ପ୍ରଭୁଙ୍କ ଟାହିଆ ନିର୍ମାଣକାରୀ ରାଘବ ଦାସ ମଠ

ଚାରିଆଡ଼େ ଭକ୍ତଙ୍କ ସମୁଦ୍ର। ଏହି ଭାବର ଯାତ୍ରାରେ ଗହଳି ଭିତରେ ଝୁଲି ଝୁଲି ଆସନ୍ତି ବ୍ରହ୍ମାଣ୍ଡ ସାଆନ୍ତ । ମସ୍ତକରେ ଥାଏ ପାନ ପତ୍ର ଆକୃତିର ବିରାଟ ମୁକୁଟ । ଏହି ଫୁଲ ପତ୍ର ଆଉ ସୋଲରେ ସୁସଜ୍ଜିତ ଧୋବ ଫର ଫର ମୁକୁଟ ମଧ୍ୟ ପ୍ରଭୁଙ୍କ ସହ ଦୋଳି ଖେଳୁଥାଏ । ମୁକୁଟଟି ହେଉଛି ଟାହିଆ। ସୁଶୋଭିତ ଟାହିଆ ପରିଧାନ କରି ବଡ଼ଦାଣ୍ଡରେ ପ୍ରଭୁଙ୍କ ଦୋଳାୟମାନ ବିଗ୍ରହ ଆସୁଥିବାର ଏହି ସୁନ୍ଦର କ୍ଷଣକୁ ସ୍ୱଚକ୍ଷୁରେ ଦେଖିବାର ଯେଉଁ ଆତ୍ମ ତୃପ୍ତି, ତାହା ଜଣେ ଅନୁଭବୀ ହିଁ ଜାଣେ । ବେଶ ପାଇଁ ବ୍ୟବହୃତ ସୌନ୍ଦର୍ଯ୍ୟ ବର୍ଦ୍ଧକ ଅଳଙ୍କାର ଓ ପରିପାଟୀ ମଧ୍ୟରେ ଟାହିଆର ସୌନ୍ଦର୍ଯ୍ୟ ସ୍ୱତନ୍ତ୍ର । ପହଣ୍ଡି ବିଜେ ସମୟରେ ପ୍ରଭୁ ପରିଧାନ କରୁଥିବା ଏକମାତ୍ର ଅଳଙ୍କାର ହେଉଛି ଏହି ଟାହିଆ । ରଥ ଯାତ୍ରା ସହ ସ୍ନାନ ପୂର୍ଣ୍ଣିମା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ - ଏହି ଚାରିଟି ଅବସରରେ ମସ୍ତକରେ ଟାହିଆଧାରୀ ଚତୁର୍ଦ୍ଧା ମୂର୍ତ୍ତି ବେଶ୍ ମନୋରମ ଦୃଶ୍ୟମାନ ହୋଇଥାଆନ୍ତି । 

ଟାହିଆ ପଛରେ ଜଗନ୍ନାଥଙ୍କ ସହ ଜଡ଼ିତ ପୌରାଣିକ କଥା ରହିଛି । ଭକ୍ତିରେ ଲୀନ ରଘୁ ଅରକ୍ଷିତ ନାମକ ଜଣେ ଶ୍ରଦ୍ଧାଳୁ ସିଂଘଦ୍ୱାର ନିକଟରେ ଧ୍ୟାନମଗ୍ନ ଥିଲେ । ଖୋଲା ଆକାଶ ତଳେ ପ୍ରବଳ ଖରା ତାତି ସହ୍ୟକରି ଧ୍ୟାନ ନିମଜ୍ଜିତ ଭକ୍ତର କଷ୍ଟକୁ ଲାଘବ କରିବା ପାଇଁ ପ୍ରଭୁ ସ୍ୱୟଂ ଛତାରେ ଛାୟା ପ୍ରଦାନ କରିଥିଲେ । ଏହା ଜାଣିପାରି ଭକ୍ତିରେ ଭାବବିହ୍ୱଳ ରଘୁ ଅରକ୍ଷିତ, ପ୍ରଭୁଙ୍କ ପାଇଁ ଟାହିଆ ତିଆରି କରିବାର ଶପଥ ନେଇଥିଲେ । ଏହାପରଠାରୁ ପ୍ରତି ବର୍ଷ ରାଘବ ଦାଶ ମଠ ପକ୍ଷରୁ ସୁସଜ୍ଜିତ ଟାହିଆ ନିର୍ମାଣକରି ମନ୍ଦିରକୁ ଯୋଗାଇଦିଆଯାଏ ।

ଟାହିଆ ନିର୍ମାଣ: 

ଟାହିଆ ନିର୍ମାଣକାରୀ ରାଘବ ଦାସ ମଠ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଅଛି । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଆରମ୍ଭ ହେବାସହ କାରିଗରମାନେ ଟାହିଆ ତିଆରିରେ ଲାଗି ପଡ଼ନ୍ତି । ଛୋଟ ଛୋଟ ଅଂଶକୁ ତିଆରି କରିବା ପରେ ଶେଷରେ ସବୁକୁ ଯୋଡ଼ି ସମ୍ପୂର୍ଣ୍ଣ ଟାହିଆ ତିଆରି କରାଯାଏ । ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ମୋଟ ୨୪ ଗୋଟି ଟାହିଆ ନିର୍ମାଣ କରାଯାଏ ଏବଂ ପ୍ରତିଟି ଟାହିଆକୁ ତିଆରି କରିବା ପାଇଁ ପ୍ରାୟ ୧୫ଦିନ ପାଖାପାଖି ସମୟ ଲାଗିଯାଏ । ଟାହିଆର ଆକୃତି ନିର୍ମାଣ ପାଇଁ ବାଉଁଶ ପାତିଆର ବ୍ୟବହାର କରାଯାଏ । ବଳଭଦ୍ରଙ୍କ ଟାହିଆରେ ସଜେଇବା ପାଇଁ ୩୭ଟି ବାଉଁଶପାତିଆ ବ୍ୟବହାର ହେଉଥିବା ବେଳେ ଜଗନ୍ନାଥଙ୍କ ପାଇଁ ୩୩ଟି ବ୍ୟବହାର କରାଯାଏ ଯାହାର ମାପ ପାଇଁ କେବଳ ଆଙ୍ଗୁୁଠିର ବ୍ୟବହାର ହୁଏ । ଏହାକୁ ସଜାଇବା ପାଇଁ ରଙ୍ଗିଣୀ, ମାଳତୀ, ଜୁହି, ବେଲ, ଚମ୍ପା ଓ ପଦ୍ମ ଆଦି ଫୁଲର ବ୍ୟବହାର ହୁଏ । ଟାହିଆର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ସୋଲ ଖଣ୍ଡଗୁଡ଼ିକୁ କଦମ୍ବ ଫୁଲ, ତୀର ତଥା ଚାରିକୋଣିଆ ଆକାରରେ ଦେଇ ସଜାଯାଇଥାଏ । ଏହାସହ ଦୁବ ଘାସ ଓ ତୁଳସୀ ଗୁନ୍ଥା ମାଳ ଖୁବ୍ ଶୋଭା ପାଏ । ଏହାକୁ ତିଆରି କରିବା ପାଇଁ ରଙ୍ଗଠାରୁ ଆରମ୍ଭ କରି ଅଠା ଓ ଅନ୍ୟାନ୍ୟ ଉପକରଣ ଯାଏଁ, ସବୁଥିରେ ପ୍ରାକୃତିକ ସାମଗ୍ରୀ ବ୍ୟବହାର ହୁଏ ଏବଂ ନିର୍ମାତାମାନେ ସମସ୍ତ ନିୟମ ଶ୍ରଦ୍ଧା ପୂର୍ବକ ପାଳନ କରିଥାଆନ୍ତି । ସମ୍ପୂର୍ଣ୍ଣ ନିରାମିଷ ଭୋଜନ ଗ୍ରହଣ କରିବା ସହ କାମ ଆରମ୍ଭ କରିବା ପୂର୍ବରୁ ନିଜକୁ ପରିଷ୍କାର କରି ଏହି, ପବିତ୍ର ସ୍ଥଳକୁ ପ୍ରବେଶ କରିଥାଆନ୍ତି । ରଥଯାତ୍ରା ଓ ନୀଳାଦ୍ରି ବିଜେ ସମୟରେ ଦୁଇ ଭାଇ ବଡ଼ ଆକାରର ଟାହିଆ ପରିଧାନ କରୁଥିବା ବେଳେ ମା ସୁଭଦ୍ରା ଓ ସୁଦର୍ଶନଙ୍କ ଟାହିଆ ଅପେକ୍ଷାକୃତ ସାନ ହୋଇଥାଏ । ବଳଭଦ୍ରଙ୍କ ଟାହିଆର ଆକାର ୬ ଫୁଟ୍ ଓ ଜଗନ୍ନାଥଙ୍କ ପାଇଁ ପ୍ରାୟ ୭ ଫୁଟ୍‌ର ଟାହିଆ ତିଆରି କରାଯାଏ । ଟାହିଆ ସହ ଝୁଲି ଝୁଲି ଦାରୁ ଦିଅଁଙ୍କର ପହଣ୍ଡି ବିଜେ ଦେଖିବା ପାଇଁ ଭାରି ସୁନ୍ଦର ଲାଗେ । ପ୍ରଭୁ ମସ୍ତକରେ ଧାରଣ କରୁଥିବା ପବିତ୍ର ଟାହିଆର ଅଂଶକୁ ଭକ୍ତମାନେ ଅତି ଶ୍ରଦ୍ଧାର ସହ ଆଶୀର୍ବାଦ ସ୍ୱରୂପ ସାଇତି ରଖିଥାଆନ୍ତି । 

ଭକ୍ତର ଡାକ ଭଗବାନ ସବୁବେଳେ ଶୁଣିଥାଆନ୍ତି । ସେ ଭାବରେ ବନ୍ଧା, ଏଣୁ ସେ ଭାବଗ୍ରାହୀ । ଶୁଦ୍ଧ ମନରେ ପ୍ରାର୍ଥନା କଲେ ପ୍ରଭୁ ସାକ୍ଷାତ ଭକ୍ତକୁ କୋଳେଇ ନିଅନ୍ତି ଓ ସମସ୍ତ ଦୁଃଖ ଲାଘବ କରନ୍ତି । ଟାହିଆ ପଛରେ ଲୁକାୟିତ କାହାଣୀ ତ କେବଳ ଗୋଟିଏ, ଏପରି ଅନେକ କଥା ଓ କାହାଣୀ ରହିଛି ଯାହା ଶୁଣିଲେ, ମନରେ ଆପେ ଜୟ ଜଗନ୍ନାଥ ଧ୍ୱନି ଉଚ୍ଚାରଣ ହୋଇଯାଏ ଓ ଖେଳିଯାଏ ଶ୍ରଦ୍ଧାର ତରଙ୍ଗ ।