ଓଡ଼ିଶା ହସ୍ତଶିଳ୍ପର ଅନନ୍ୟ ପରିଚୟ ସାଜିଛି - 'କାଇଁଚ କାମ'
ସବୁଜ କେରା କେରା ଲମ୍ବା ଘାସ ଯାହା ଶୁଖିବା ପରେ ଧାରଣ କରେ ଚମତ୍କାର ସୁବର୍ଣ୍ଣ ରଙ୍ଗ। କେବଳ ରଙ୍ଗ ନୁହେଁ, ଗୁଣରେ ମଧ୍ୟ ଏହି ଘାସ କିଛି କମ୍ ନୁହେଁ। ଓଡ଼ିଶାର ନଦୀ ପଠା, ବିଶେଷ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଅଞ୍ଚଳରେ ଅଧିକାଂଶ ଭାବେ ଉପଲବ୍ଧ ଏହି ପ୍ରଜାତିର ଘାସ, ହସ୍ତଶିଳ୍ପ ପାଇଁ ଏକ ଉତ୍କୃଷ୍ଟ କଞ୍ଚାମାଲ। ଏବଂ ଏହି ଘାସ ନିର୍ମିତ ହସ୍ତଶିଳ୍ପର ଚାହିଦା କେବଳ ରାଜ୍ୟ ନୁହେଁ ଦେଶ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି।
ପ୍ଲାଷ୍ଟିକ୍ ଏବଂ ଧାତୁ ଭଳି ଉତ୍ପାଦରେ ପ୍ରସ୍ତୁତ ସାମଗ୍ରୀର ବହୁଳ ପ୍ରଚଳନ ହେଉଥିବା ସମୟରେ ଏହି ଘାସ ଏକ ଉତ୍ତମ ପ୍ରାକୃତିକ ତଥା ସ୍ଥାୟୀ ବିକଳ୍ପ। ଏହାର ଗୁଣ ଓ ଉପଯୋଗିତା ହେତୁ ଏହା 'ଗୋଲ୍ଡେନ୍ ଗ୍ରାସ୍' ଭାବେ ପରିଚିତ। ଏବଂ ଏହି ଘାସ ନିର୍ମିତ ହସ୍ତଶିଳ୍ପ ସ୍ଥାନୀୟ ଅଞ୍ଚଳରେ 'କାଇଁଚ କାମ' ଭାବେ ବେଶ୍ ଜଣାଶୁଣା।
ସାଧାରଣତଃ ନଦୀ ପଠାରେ ଏହି ଘାସ ଦେଖିବାକୁ ମିଳେ, ବିଶେଷ କରି ଭାଦ୍ରବ ଏବଂ ଆଶ୍ୱିନ ମାସରେ (ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର) । ଏହାକୁ ବିଭିନ୍ନ ପାରମ୍ପରିକ ହସ୍ତଶିଳ୍ପ ଯଥା ଚଟେଇ, ଟୋକେଇ, ଇତ୍ୟାଦି ତିଆରି ପାଇଁ କଞ୍ଚାମାଲ ଭାବରେ ବ୍ୟବହାର କରାଯାଏ । ଏହା ସମ୍ପୂର୍ଣ୍ଣ ଭାବେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ। କେବଳ ପାରମ୍ପରିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ନୁହେଁ, ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଗୋଲ୍ଡେନ୍ ଗ୍ରାସ୍ ବ୍ୟବହାର କରି ଡାଇନିଂ ଟେବୁଲ୍, ମ୍ୟାଟ୍, ଗହଣା ବାକ୍ସ, ରୋଷେଇ ଘର ପାଇଁ ବ୍ୟବହାର ଉପଯୋଗୀ ଉପକରଣ, ଲ୍ୟାମ୍ପ୍, ଝୁଡ଼ି, ପଙ୍ଖା, ଦର୍ପଣ, ପର୍ସ, ଆଦି ବିଭିନ୍ନ ଘରୋଇ ସାଜସଜ୍ଜା ଉପକରଣ ପ୍ରସ୍ତୁତ କରାଯାଉଛି। ସୁନେଲି ରଙ୍ଗ ସହ, ଶୁଖିବା ପରବର୍ତ୍ତୀ ଚମକ, ପ୍ରସ୍ତୁତ ସାମଗ୍ରୀର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ।
ଆଦ୍ର ଅଞ୍ଚଳରେ ଏହି ଘାସ ପ୍ରାୟ ୫ ରୁ ୬ ଫୁଟ ଉଚ୍ଚତା ଯାଏ ବଢ଼ି ଥାଏ। ସରୁ ଘାସ କେରାକୁ ସ୍ଥାନୀୟ ଶିଳ୍ପୀ ସମ୍ପୂର୍ଣ୍ଣ ଭାବେ ହାତରେ ବୁଣିଥାନ୍ତି। ବର୍ତ୍ତମାନ ଆସ୍ଥେଟିକ୍ ହୋମ୍ ଡେକୋର୍ ପାଇଁ ଲୋକମାନେ ଗୋଲ୍ଡେନ୍ ଗ୍ରାସ୍ର ଉତ୍ପାଦ ବ୍ୟବହାର କରିବାକୁ ଖୁବ୍ ପସନ୍ଦ କରୁଛନ୍ତି। ସେ ଡାଇନିଂ ଟେବୁଲ ହେଉ କି ଲିଭିଂ ରୁମ୍, ଅଫିସ୍ରୁ ଆରମ୍ଭ କରି ଘର ଯାଏଁ ସବୁ ଯାଗା ପାଇଁ ଛୋଟରୁ ବଡ଼ ଯାଏଁ ଗୋଲ୍ଡେନ୍ ଗ୍ରାସ୍ ତିଆରି ବିଭିନ୍ନ ଉପକରଣ ଉପଲବ୍ଧ। ଏପରିକି ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ଡ୍ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରି ହେଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଧରଣର କାଇଁଚ ଘାସ ବ୍ୟବହାର କରାଯାଏ। ସାଧାରଣତଃ ଅଗଷ୍ଟ ସେପ୍ଟେମ୍ବର ମାସରେ ଚାଷୀ ଏହା ଲଗାଇଥାଆନ୍ତି। ଘାସଗୁଡ଼ିକ ଉଚିତ ଅବସ୍ଥାକୁ ଆସିଲେ ତାକୁ ସଂଗ୍ରହ କରି କାରିଗରମାନଙ୍କୁ ଦେଇଥାଆନ୍ତି। କାରିଗରମାନେ ଏହି ଘାସର ଛୋଟ ଛୋଟ ବିଡ଼ା କରି ଶୁଖାଇଥାଆନ୍ତି। ଶୁଖିବାକୁ ପ୍ରାୟ ସପ୍ତାହେ ରୁ ଦଶ ଦିନ ଲାଗିଯାଏ। ଘାସ ଗୁଡ଼ିକ ପାଣି ବା କବକ ଯୋଗୁ ଖରାପ ନ ହେବା ପାଇଁ ଭଲଭାବେ ପୁଣିଥରେ ଶୁଖାଯାଇଥାଏ। ସବୁ ଜଳୀୟ ଅଂଶ ଶୁଖିଯିବା ପରେ ଚମକ୍ଦାର ସୁନେଲି ରଙ୍ଗ ଆସେ ଯାହା ସମ୍ପୂର୍ଣ୍ଣ ପ୍ରାକୃତିକ। ଏଣୁକରି ଏହାର ନା' ଗୋଲ୍ଡେନ୍ ଗ୍ରାସ୍। ଏହା ପରେ ସେହି ଘାସକୁ ପତଳା କରି ଭାଗ କରାଯାଏ ଏବଂ ପୁଣି ପାଣିରେ ବୁଡ଼ାଇ ଛୁଞ୍ଚିରେ ବୁଣିବା ଉପଯୋଗୀ କରାଯାଏ। ସାମଗ୍ରୀଗୁଡ଼ିକୁ ଆହୁରି ସୁନ୍ଦର ରୂପ ଦେବା ପାଇଁ ଗରମ ପାଣିରେ ନାଲି, ନୀଳ, ଗୋଲାପୀ, କମଳା, ସବୁଜ, ବାଇଗଣୀ ଆଦି ରଙ୍ଗ ପାଉଡ଼ର୍ ବ୍ୟବହାର କରି ରଙ୍ଗୀନ ଘାସ ପ୍ରସ୍ତୁତ କରାଯାଏ। ବୁଣିବା କାମଟି ସବୁଠାରୁ ସମୟ ସାପେକ୍ଷ। ପ୍ରସ୍ତୁତିରେ ଯେତେ ସମୟ ଲାଗେ ସାମଗ୍ରୀର ଦାମ୍ ସେତେ ଅଧିକ ହୁଏ।
ଏହି ସ୍ୱତନ୍ତ୍ର ଶିଳ୍ପ ପ୍ରଥା କେବଳ ଓଡ଼ିଶା ପାଇଁ ପରିଚୟ ଆଣିଛି ତା'ନୁହେଁ, ଅନେକ ପାରମ୍ପରିକ କାରିଗରଙ୍କ ପାରିବାରିକ ଜୀବିକାକୁ ଆଗକୁ ବଢ଼ାଇଛି ଏବଂ ଅନେକ ମହିଳାଙ୍କୁ ଦେଇଛି ରୋଜଗାରର ପନ୍ଥା। ରାଜ୍ୟ ତଥା ରାଜ୍ୟ ବାହାରେ ଏହି ସାମଗ୍ରୀ ବିକ୍ରି ହେବା ସହ ସ୍ଥାନୀୟ ମାର୍କେଟରେ ମଧ୍ୟ ବିକ୍ରି କରି ମହିଳାମାନେ ସ୍ୱାବଲମ୍ବୀ ହେଉଛନ୍ତି। ପ୍ରତିବର୍ଷ ରାଜ୍ୟ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରଦର୍ଶନୀ ଏବଂ ମେଳାରେ ବିଭିନ୍ନ ଗୋଷ୍ଠୀ, କାଇଁଚ କାମ ବିକ୍ରି କରିବା ସହ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।