ଅଧ୍ୟୟନ ପରିପ୍ରେକ୍ଷୀରେ ବଣ୍ଡା ସମ୍ପ୍ରଦାୟ
ଆମ ଓଡ଼ିଶାର କୋଣ ଅନୁକୋଣରେ ଏମିତି ଅନେକ ରହସ୍ୟ ଓ ସଂସ୍କୃତି ଲୁଚି ରହିଛି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ସେହିପରି ଏକ ନିଆରା ଓ ଅନନ୍ୟ ଜନଜାତି ହେଉଛନ୍ତି 'ବଣ୍ଡା ସମ୍ପ୍ରଦାୟ'। ପ୍ରକୃତିର କୋଳରେ, ଆଧୁନିକ ଚାକଚକ୍ୟଠାରୁ ଦୂରରେ ଏମାନଙ୍କର ଜୀବନଶୈଳୀ ଦେଖିଲେ ଲାଗିବ ସତେ ଯେମିତି ସମୟ କୌଣସି ଅଲଗା ଦୁନିଆରେ ପହଞ୍ଚିଯାଇଛି। ବଣ୍ଡା ପାହାଡ଼ର ସେହି ଦୁର୍ଗମ ଇଲାକା ଏବଂ ସେଠାରେ ଥିବା ସମ୍ପ୍ରଦାୟକୁ ବୁଝିବା ପାଇଁ ବିଭିନ୍ନ ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଗବେଷଣା ହୋଇଛି।
ଆଦିମ ଜନଜାତି ସମ୍ପ୍ରଦାୟ ବଣ୍ଡା ମୁଖ୍ୟତଃ ଓଡ଼ିଶାର ମାଲକାନାଗିରି ଜିଲ୍ଲାର ଖଇରପୁଟ ବ୍ଲକ୍ର ଦୁର୍ଗମ ପାହାଡ଼ିଆ ଅଂଚଳରେ ବସବାସ କରିଥାଅନ୍ତି। ଏହି ପାହାଡ଼ମାଳା ସମୁଦ୍ର ପତ୍ତନଠାରୁ ପ୍ରାୟ ୩୦୦୦ରୁ ୪୦୦୦ ଫୁଟ୍ ଉଚ୍ଚରେ ରହିଛି। ପାହାଡ଼ର ଶିଖର, ଗଡ଼ାଣି, ପାହାଡ଼ିଆ ଭୂଖଣ୍ଡ ଦ୍ବାରା ଘେରି ରହିଥିବା ମାଳଭୂମିକୁ ନେଇ ଗଠିତ ବଣ୍ଡା ପାହାଡ଼ ବା ବଣ୍ଡାମାନଙ୍କର ବାସସ୍ଥଳୀର କ୍ଷେତ୍ରଫଳ ହେଉଛି ୩୫୯ ୧୦.୨୫ ହେକ୍ଟର୍।
ତଥ୍ୟ ଅନୁଯାୟୀ ପ୍ରାୟ ୬୦, ୦୦୦ ବର୍ଷ ତଳେ ଆଫ୍ରିକାରୁ ସ୍ଥାନାନ୍ତରିତ ହୋଇଥିବା ଏହି ସମ୍ପ୍ରଦାୟ ଓଡ଼ିଶାର ଏହି ସ୍ଥାନରେ ବସତି ସ୍ଥାପନ କରିଥିଲେ। ଏଣୁ ଏମାନଙ୍କୁ ଓଡ଼ିଶାର ସବୁଠାରୁ ପୁରାତନ ଜନଜାତି ଓ କେବଳ ଏତିକି ନୁହେଁ ଜଙ୍ଗଲରେ ବସତି ସ୍ଥାପନ କରିବାରେ ପୃଥିବୀର ସର୍ବ ପୁରାତନ ସମ୍ପ୍ରଦାୟ ଭାବେ ଗଣନା କରାଯାଏ। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ନା ବଦଳିଛି ସେମାଙ୍କର ଜୀବନ ଶୈଳୀ ନା ସେମାନଙ୍କୁ ଛୁଇଁ ପାରିଛି ଆଧୁନିକତାର ସ୍ପର୍ଶ। ଏଵେ ମଧ୍ୟ ନେଣ ଦେନ ବ୍ୟବସ୍ଥା, କୁଳବେଉସା ଓ ପ୍ରଚଳିତ ସଂସ୍କୃତି ଆଧାରରେ ବଞ୍ଚୁଛନ୍ତି ବଣ୍ଡା ଜାତି।
ଏହା ମହିଳା ପ୍ରଧାନ ସମ୍ପ୍ରଦାୟ ଏବଂ ରେମୋ ନାମକ ଭାଷା ପ୍ରଚଳିତ। ଏଠାରେ ମହିଳାଙ୍କ ସଂଖ୍ୟା ଅଧିକ ଓ ସବୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମହିଳାମାନେ ହିଁ ତୁଲାଇଥାନ୍ତି। ଭିନ୍ନ ବେଶଭୂଷା, ଖଡୁ, ଥାକ ଥାକ ବେକ ବଳା, ବଡ଼ ଗୋଲ କାନ ଝୁମୁକା, ରଙ୍ଗବେରଙ୍ଗ ମାଳି ଗୁନ୍ଥା ଆଭୂଷଣ ବେଶ ଅଲଗା ଦେଖାଯାଏ।
ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀ ଉପରେ ବିଭିନ୍ନ ସମୟରେ ଗବେଷଣା ଓ ଅଧ୍ୟୟନ କରାଯାଇଛି । ଏହି ବର୍ଗର ପ୍ରଥମ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ୧୯୫୦ରେ ପ୍ରକାଶିତ ହୋଇଥିଲା । ବ୍ରିଟିସ୍ ନୃତତ୍ତ୍ବ ବିଜ୍ଞାନୀ ଭେରିୟର୍ ଏଲ୍ୱିନ୍ ଏହା ରଚନା କରିଥିଲେ। ଏହାର ତିନି ଦଶନ୍ଧି ପରେ ଓଡ଼ିଶାର ପ୍ରସିଦ୍ଧ ମାନବବିଜ୍ଞାନୀ ନିତ୍ୟାନନ୍ଦ ପଟ୍ଟନାୟକ ୧୯୮୪ ମସିହାରେ ବଣ୍ଡାମାନଙ୍କ ଉପରେ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ କରିଥିଲେ । ଏହି ପୁସ୍ତକର ଶୀର୍ଷକ ଥିଲା 'ବଣ୍ଡା ଏବଂ ବିକାଶ ପ୍ରତି ସେମାନଙ୍କର ପ୍ରତିକ୍ରିୟା’। ପ୍ରଫେସର୍ ପଟ୍ଟନାୟକ ଏହି ପୁସ୍ତକରେ ବଣ୍ଡାମାନଙ୍କର ସାମାଜିକ ସଙ୍ଗଠନ, ଅର୍ଥନୈତିକ ଜୀବନ, ରାଜନୈତିକ ସଙ୍ଗଠନ, ଧାର୍ମିକ ବିଶ୍ଵାସ ଓ ଅଭ୍ୟାସ ଆଦି ଦିଗ ଉପରେ ଆଲୋକପାତ କରିଥିଲେ। ୧୯୯୪ ମସିହାରେ ପ୍ରକାଶ ପାଇଥିଲା ଗବେଷକ ତଥା ସମାଜବିଜ୍ଞାନୀ ବିକ୍ରମ ନାରାୟଣ ନନ୍ଦଙ୍କ ଲିଖିତ ‘କଣ୍ଟୋର୍ସ୍ ଅଫ୍ କଣ୍ଟିନ୍ୟୁଟି ଆଣ୍ଡ୍ ଚେଞ୍ଜ: ଦ ଷ୍ଟୋରି ଅଫ୍ ବଣ୍ଡା ହାଇଲାଣ୍ଡର୍ସ’। ପ୍ରଫେସର୍ ନନ୍ଦ ତାଙ୍କ ପୁସ୍ତକରେ ବଣ୍ଡାମାନଙ୍କ ସହିତ ହୋଇଥିବା ବାତ୍ତାଳାପ ଏବଂ ତାଙ୍କର ସାମାଜିକ ଇତିହାସ, ଜୀବିକା ପାଇଁ ଉତ୍ପାଦନ, ଶିକ୍ଷା ବିଜ୍ଞାନ, ନିର୍ଦ୍ଧାରଣ ବ୍ୟବସ୍ଥା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।
୨୦୦୨ ମସିହାରେ ଗବେଷକ ବି. ମୋଡକ୍ ତାଙ୍କ ପିଏଚ୍ଡି ଥେସିସ୍ରେ ‘‘ଉପର ବଣ୍ଡାମାନଙ୍କର ପୁଷ୍ଟିର ସ୍ଥିତି ଏବଂ ସ୍ବାସ୍ଥ୍ୟ ଅବସ୍ଥା" ଉପରେ ଏକ ଅଧ୍ୟୟନ କରିଥିଲେ। ଏଥିରେ ସେ ମୁଖ୍ୟତଃ ବଣ୍ଡା ସମ୍ପ୍ରଦାୟର ସ୍ବାସ୍ଥ୍ୟ ଏବଂ ପୁଷ୍ଟିଜନିତ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ୨୦୦୫ ମସିହାରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପାଦିତ ଆଉ ଏକ ପୁସ୍ତକ ପ୍ରକାଶ ପାଇଥିଲା। ଏହା ଆଦିମ ଜନଜାତିଙ୍କ ଜୀବନ ଆଧାରିତ ପୁସ୍ତକ ଥିଲା ଓ ସେଥିରେ ସେ ବଣ୍ଡା ଜନଜାତି ଉପରେ ଗୋଟିଏ ଅଧ୍ୟାୟ ଉତ୍ସର୍ଗ କରିଥିଲେ | ଏଥିରେ ସେ ସଂକ୍ଷେପରେ ବଣ୍ଡା ସମ୍ପ୍ରଦାୟର ଜୀବନ, ଜୀବନଚକ୍ର, ସାମାଜିକ, ରାଜନୈତିକ ସଂଗଠନ ଆଦିକୁ ସାମିଲ କରିଥିଲେ। ଓଡ଼ିଶାର ଆଉ ଜଣେ ପ୍ରସିଦ୍ଧ ନୃତତ୍ତ୍ବବିଜ୍ଞାନୀ ପ୍ରଫେସର୍ ଏଲ୍.କେ. ମହାପାତ୍ର ଏବଂ ଡକ୍ଟର ଆର୍. ପି. ମହାନ୍ତିଙ୍କ ସହିତ ମିଶି ୨୦୦୯ ମସିହାରେ 'ଦ ଚାଲେଞ୍ଜେସ୍ ଅଫ୍ ସେଲ୍ଫ-ମ୍ୟାନେଜ୍ଡ୍ ଡେଭ୍ଲପ୍ମେଣ୍ଟ୍- ଦ ଫିଏର୍ସ ହିଲ୍ ବଣ୍ଡା କେସ୍' ଶୀର୍ଷକ ପୁସ୍ତକ ରଚନା କରିଥିଲେ। ଏଥିରେ ମୁଖ୍ୟତଃ ବଣ୍ଡାମାନଙ୍କର ଆର୍ଥିକ ଦିଗ ଅର୍ଥାତ୍ ସମ୍ବଳର ବଣ୍ଟନ, ସମ୍ବଳର ସର୍ବୋତ୍ତମ ବ୍ୟବହାର ତଥା ପରିଚାଳନା, ଗ୍ରାମ୍ୟ ସ୍ବାୟତତା, ବିକାଶ ପାଇଁ ଥିବା ସମ୍ଭାବ୍ୟ ସୁଯୋଗ ଆଦି ଉପରେ ଗୁରୁତ୍ବ ଆରୋପ କରିଥିଲେ।
ସେହିପରି ବଣ୍ଡାମାନଙ୍କ ଦୈନନ୍ଦିନ ଜୀବନ ଶୈଳୀର କିଛି ଅଭ୍ୟାସକୁ ନେଇ ଡକ୍ଟର ଜୟନ୍ତ କେ ନାୟକଙ୍କ ଦ୍ବାରା ଏକ ଅଧ୍ୟୟନ ହୋଇଥିଲା। ଏହା ଆଧାରରେ ୨୦୧୨ରେ ସେ 'କନ୍ଷ୍ଟ୍ରକ୍ଟିଭ୍ କମ୍ୟୁନିଟି ଡ୍ରିଙ୍କିଙ୍ଗ୍: ଏ ଜିନୋମ୍ ବେସ୍ଡ୍ ସୋସିଓ-କଲ୍ଚରାଲ୍ ଷ୍ଟଡି ଅନ୍ ବଣ୍ଡା ହାଏଲାଣ୍ଡର୍ସ' ଶୀର୍ଷକ ପୁସ୍ତକ ପ୍ରକାଶ କରିଥିଲେ। ପେସାରେ ଓକିଲ ତଥା ବଣ୍ଡା ସମାଜରେ ଜନ୍ମିତ ଓ ଲାଳିତ-ପାଳିତ ପ୍ରଥମ ବଣ୍ଡା ବିଧାୟକ ଡମ୍ବରୁ ସୀସା ୨୦୨୦ରେ ବଣ୍ଡାମାନଙ୍କ ସଂପର୍କରେ 'ଦ ବଣ୍ଡା ଟ୍ରାଇବ୍ସ୍: ସୋସିଓ-କଲ୍ଚରାଲ୍ ସିଷ୍ଟମ୍ ଆଣ୍ଡ୍ ଚେଞ୍ଜ’ ଶୀର୍ଷକ ପୁସ୍ତକ ଲେଖିଥିଲେ। ଏଥିରେ ବଣ୍ଡା ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଓ ଅର୍ଥନୈତିକ ବ୍ୟବସ୍ଥା, ଆଦିମ ରାଜନୈତିକ ବ୍ୟବସ୍ଥା, ଭୌତିକ ଓ ଅଣଭୌତିକ ସଂସ୍କୃତି, ଲୋକକଥା ଏବଂ ସାମାଜିକ ପରିବର୍ତ୍ତନ ଆଦି ବଣ୍ଡା ସମାଜର ଅନେକ ଦିଗ ଉପରେ ଆଲୋକପାତ କରାଯାଇଛି। ଏହିପରି ଅନେକ ଆଗ୍ରହୀ ଗବେଷକ ଅଦ୍ୟାବଧି ଗଣେଷଣା ଓ ଅନୁସନ୍ଧାନ କରିବା ସହ ଏହି ଜନଜାତିର ସୁରକ୍ଷା ପାଇଁ ପ୍ରୟାସରତ।