ଗଞ୍ଜାମର ଲୁପ୍ତପ୍ରାୟ ପ୍ରାଚୀନ ଲୋକ କଳା: ପ୍ରହଲ୍ଲାଦ ନାଟକ

ଓଡ଼ିଶା ହେଉଛି ସାହିତ୍ୟ ସଂସ୍କୃତି ଓ ଐତିହ୍ୟର ଭଣ୍ଡାର । ଏଠି ପର୍ବଠାରୁ ଆରମ୍ଭ କରି ନୃତ୍ୟ ଗୀତ ସବୁଥିରେ ରହିଛି ପରମ୍ପରାର ସୁନ୍ଦର ଝଲକ । ସେ ପ୍ରାଚୀନ ହେଉ ଅବା ବର୍ତ୍ତମାନ ସମୟ, ସମାଜରେ ମନୋରଞ୍ଜନର ବିଭିନ୍ନ ମାଧ୍ୟମ ଲୋକଙ୍କୁ ବାନ୍ଧି ରଖିଛି । ପ୍ରତିଟି ମାଧ୍ୟମର ଶୈଳୀ ସ୍ୱତନ୍ତ୍ର । ଆମ ମନୋରଞ୍ଜନର ମାଧ୍ୟମ ଯେତେ ବୈଶିଷ୍ଟ୍ୟପୂର୍ଣ୍ଣ ସେତେ ଶିକ୍ଷଣୀୟ । ଏପରି ଅନେକ ଲୋକକଳା ରହିଛି ଯାହା ସମୟ ସୁଅରେ ତଥା ପୃଷ୍ଠପୋଷକତାର ଅଭାବରୁ ଲୁପ୍ତପ୍ରାୟ ଅବସ୍ଥାରେ ଉପନୀତ । ସେମାନଙ୍କ ମଧ୍ୟରେ ପ୍ରହଲ୍ଲାଦ ନାଟକ ହେଉଛି ଅନ୍ୟତମ ।
ଭକ୍ତି, ନାଟକ ଓ ସଙ୍ଗୀତର ଏହି ସୁନ୍ଦର ସଙ୍ଗମ ଖୋଲା ମଞ୍ଚରେ ଜୀବନ୍ତ ପୁରାଣର ରୂପ ନେଇଥାଏ । ଗଞ୍ଜାମ ଜିଲ୍ଲାରେ ଉତ୍ପତ୍ତି ହୋଇଥିବା ଏହି ଲୋକନାଟ୍ୟ ବର୍ଣ୍ଣନା କରେ ପ୍ରହଲ୍ଲାଦର ଅତୁଟ ଭକ୍ତିର କାହାଣୀ । ଯେବେ ଯେବେ ପୃଥିବୀରେ ଦୁଷ୍ଟ ଶକ୍ତିର ଉପଦ୍ରବ ସୀମା ଅତିକ୍ରମ କରିଯାଏ, ଶାନ୍ତି ଓ ଧର୍ମ ରକ୍ଷା ପାଇଁ ଭଗବାନ ଧରାପୃଷ୍ଠରେ ଅବତାର ନିଅନ୍ତି । ବିଷ୍ଣୁଙ୍କ ଭକ୍ତିରେ ଲୀନ ପ୍ରହଲ୍ଲାଦକୁ ପିତା ହିରଣ୍ୟକଶ୍ୟପର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ମଧ୍ୟ ପ୍ରଭୁ ସିଂହଋପୀ ନର ଅବତାର ଧାରଣ କରି ହିରଣ୍ୟକଶ୍ୟପର ବଧ କରିଥିଲେ ।
ରଜା ନାଟକ ଭାବରେ ଜଣାଶୁଣା ଏହି ପ୍ରହଲ୍ଲାଦ ନାଟକ ପାରଳାଖେମୁଣ୍ଡିର ଜଣାଶୁଣା କବି ତଥା ନାଟ୍ୟକାର ଗୋପୀନାଥ ପରିଚ୍ଛାଙ୍କ ଦ୍ୱାରା ଲିଖିତ ନାଟକ ଉପରେ ଆଧାରିତ । ୧୯ଶହ ଶତାବ୍ଦୀ ସମୟରେ ପ୍ରଥମେ ଓଡ଼ିଶାର ଦକ୍ଷିଣ ଭାଗରେ ଥିବା ଏକ ଛୋଟ ଗଡ଼ଜାତ ଅଞ୍ଚଳ ଜଳନ୍ତରାର ରାଜା ରାମକୃଷ୍ଣ ଛୋଟରାୟଙ୍କ ପୃଷ୍ଠପୋଷକତାରେ ଦ୍ୱାରା ସୃଷ୍ଟି ହୋଇଥିବା ଏହି ନାଟକ ଖୁବ ଲୋକପ୍ରିୟ ହୋଇଥିଲା । କ୍ରମଶଃ ଏହି ଲୋକକଳା ନିକଟବର୍ତ୍ତୀ ଅଞ୍ଚଳ ମାନଙ୍କରେ ପ୍ରସାରିତ ହେବାକୁ ଲାଗିଲା । ଏହି ନାଟକରେ ପ୍ରାୟ ୨୫ ଜଣ କଳାକାର ରହିଥାନ୍ତି । ଆଗ ମହିଳାଙ୍କ ଭୁମିକାରେ ପୁରୁଷ ମାନେ ଅଭିନୟ କରୁଥିବା ବେଳେ ବର୍ତ୍ତମାନ ମହିଳାମାନେ ମଧ୍ୟ ଭାଗ ନେଉଛନ୍ତି । ହିରଣ୍ୟକଶ୍ୟପ, ପ୍ରହଲ୍ଲାଦ, ଲୀଳାବତୀ, ମନ୍ତ୍ରୀ ଏବଂ ନୃସିଂହଙ୍କ ଅବତାର ଆଦି ଭୂମିକା ଏହା ମଧ୍ୟରେ ପ୍ରମୁଖ । ଏହି ନାଟକର ମୁଖ୍ୟ ଗାୟକ ମଞ୍ଚର ଗୋଟିଏ ପାଖରେ ଅନ୍ୟ ବାଦ୍ୟ ଚାଳକଙ୍କ ସହ କାହାଣୀ ଗାଇଥାନ୍ତି । ଏଥିରେ ଗିନି, ମାର୍ଦଳ, ଶଙ୍ଖ, ହାରମୋନିୟମ, ମୁଖବୀଣା ଆଦିର ବ୍ୟବହାର ହୋଇଥାଏ । ଉଭୟ ଗଦ୍ୟ ଓ ପଦ୍ୟର ମିଶ୍ରିତ ଋପରେ ଭିନ୍ନ ରାଗ ଓ ତାଳ ସହ ନାଟକ ଚାଲିଥାଏ । କଳାକାରମାନେ ବାହୁଟି, ମଥାମଣି, ଖଡ଼ୁ, କାନଫୁଲ, ନୋଥ ଆଦି ବିଭିନ୍ନ ପାରମ୍ପରିକ ଗହଣା ବ୍ୟବହାର କରିଥାନ୍ତି ।
ମୁକ୍ତାକାଶ ତଳେ ସାତଟି ପାହାଚ ବିଶିଷ୍ଟ ମଞ୍ଚରେ ଏହି ନାଟକ କରାଯାଏ । ମଞ୍ଚ ଉପରେ ରାଜାଙ୍କ ସିଂହାସନ ରହିଥାଏ ଏବଂ ସମ୍ମୁଖ ଭାଗ ରାଜଙ୍କ ଦରବାର ହୋଇଥାଏ । ଏହାର ବିପରୀତ ପାଶ୍ୱର୍ରେ ନାଟକର ଶେଷ ଦୃଶ୍ୟ ପାଇଁ କୃତ୍ରିମ ଅସ୍ଥାୟୀ ଖମ୍ବ ତିଆରି କରାଯାଇଥାଏ । ନାଟକରେ ଭଗବାନ ନୃସିଂହଙ୍କ ଋପ ଗ୍ରହଣ କରୁଥିବା ବ୍ୟକ୍ତି ଜଣକ ଏହି ଚରିତ୍ର ପାଇଁ ନିଜକୁ ଶୁଦ୍ଧତାର ସହ ପ୍ରସ୍ତୁତ କରିଥାଏ । ନାଟକରେ ସେହି ବ୍ୟକ୍ତି ଜଣକ ସ୍ୱତନ୍ତ୍ର ଧରଣର ମୁଖା ପରିଧାନ କରନ୍ତି । ଯାହାକୁ ମନ୍ଦିରରେ ପୂଜାର୍ଚ୍ଚନା କରି ରଖାଯାଇଥାଏ । ଏହା ଶତାବ୍ଦିର ପୁରାତନ ତଥା ଲୋପ୍ରିୟ ନାଟକ । ଏଥିପାଇଁ ପ୍ରଶିକ୍ଷିତ ଦଳ ରାଜ୍ୟ, ଦେଶ ତଥା ଦେଶ ବାହାରେ ଆକର୍ଷଣୀୟ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କୁ ଆମ ସଂସ୍କୃତିର ଝଲକ ଦେଖାଉଛନ୍ତି ।
ଏହି ପାରମ୍ପରିକ ନାଟକ ସୂଚାଏ ଅଧର୍ମ ଉପରେ ଧର୍ମର ବିଜୟ । ଅସତ୍ୟ ଉପରେ ସତ୍ୟର ଜୟ । ପାପର ବିନାଶ କରି ହୁଏ ପୂଣ୍ୟର ଅୟମାରମ୍ଭ । ଏହି ପୌରାଣିକ ଗାଥାର ନୈତିକ ଓ ସାମାଜିକ ପ୍ରାସଙ୍ଗିକତା ରହିଛି । ଯାହାର ଉପସ୍ଥାପନା ଜୀବନରେ ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସର ସହ ଏକ ଆଦର୍ଶପୂଣ୍ଣ ଜୀବନକୁ ଆଗେଇନେବା ପାଇଁ ଲୋକଙ୍କୁ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିଛି । ପ୍ରହ୍ଲାଦ ନାଟକର ନିଜସ୍ୱ ନୀତି-ନିୟମ ଓ ସ୍ୱତନ୍ତ୍ର ଶୈଳୀ ଏହାର ବୈଶିଷ୍ଟ୍ୟତା ପ୍ରତିପାଦନ କରେ । ଏହା ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ ରଖିବା ସହ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।




