ପଦ୍ମସମ୍ଭବ ମହାବୀର ବୌଦ୍ଧ ବିହାର
ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ଆମ ରାଜ୍ୟରେ ଆଧ୍ୟାତ୍ମିକ ପୀଠ ସହ ପ୍ରକୃତି ଓ ପରମ୍ପରାର ଅନେକ ସୁନ୍ଦର ଗନ୍ତବ୍ୟସ୍ଥଳ ଅଛି। ସବୁ ଜିଲ୍ଲାର କୋଣଅନୁକୋଣରେ ଦର୍ଶନୀୟ ସ୍ଥାନ ଏବଂ ସବୁ ସ୍ଥାନର ରହିଛି ସ୍ୱତନ୍ତ୍ର ବୈଶିଷ୍ଟ୍ୟ। ପ୍ରତିଟି ଜାଗା ସହ ଯୋଡ଼ି ହୋଇ ରହିଛି କିଛି ଐତିହାସିକ ବା ପୌରାଣିକ କାହାଣୀ। ସବୁଠାରେ ମନୋରଞ୍ଜନ ସହ ଶିଖିବା ଓ ଦେଖିବାକୁ ରହିଛି ପର୍ଯ୍ୟାପ୍ତ ପ୍ରସଙ୍ଗ। ସେମିତି ଏକ ଭିନ୍ନ ଜାଗା ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ପାଇବେ, ଜାଗାଟିର ନାଁ "ଜିରାଙ୍ଗ"।
ଏଠାରେ ଥିବା ତିବ୍ଦତିଆନ୍ ବୁଦ୍ଧ ବିହାର ଦେଖିବାକୁ ଯେତେ ସୁନ୍ଦର ସେତେ ସ୍ୱଚ୍ଛ ଓ ପରିଷ୍କାର। ୧୯୫୯ ମସିହା ଚାଇନାର ତିବ୍ବତ ଅଧିଗ୍ରହଣ ସମୟରେ ଅନେକ ତିବ୍ବତ୍ ଅଧିବାସୀ ଭାରତରେ ଶରଣ ନେଇଥିଲେ। ସେମାନେ ଚନ୍ଦ୍ରଗିରିଠାରେ ପ୍ରମୁଖ ଭାବେ ବସବାସ ଆରମ୍ଭ କରିଥିଲେ।
ଗୁରୁ ପଦ୍ମସମ୍ଭବଙ୍କ ଅନୁଗାମୀମାନଙ୍କ ପ୍ରୟାସ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସମର୍ଥନ ସହ ୨୦୧୦ରେ ଜିରାଙ୍ଗ ପ୍ରତିଷ୍ଠା ହୋଇଥିଲା। ଏହି ମଠର ଭିତ୍ତିଭୂମି ଭାରତରେ ତିବ୍ଦତୀୟ ବୌଦ୍ଧ ପରମ୍ପରାର ନିଦର୍ଶନ। ତିବ୍ଦତୀୟ ଶରଣାର୍ଥୀଙ୍କ ଏହି ଆଶ୍ରୟସ୍ଥଳରେ ସେମାନଙ୍କର ସମୃଦ୍ଧ ଐତିହ୍ୟ ସଂରକ୍ଷିତ। ଭିନ୍ନ ପରମ୍ପରା ସଂସ୍କୃତି ଓ କାରୁକାର୍ଯ୍ୟ ପାଇଁ କ୍ରମଶଃ ଏହି ବୌଦ୍ଧ ବିହାରର ଗୁରୁତ୍ୱ ବୃଦ୍ଧି ପାଇଛି, ଯାହା ଆଧ୍ୟାତ୍ମିକ ଚେତନା ଏବଂ ସଂସ୍କୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିବା ପରିଦର୍ଶକମାନଙ୍କୁ ଆକର୍ଷିତ କରୁଛି। ଏ ଅଞ୍ଚଳର ଅନୁଭବ ଟିକେ ନିଆରା। ଏହା ଆଧ୍ୟାତ୍ମିକ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ଭାବେ, ପର୍ଯ୍ୟଟକଙ୍କ ପାଇଁ ଲୋକପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଛି। ସ୍ଥାନୀୟ ଅଞ୍ଚଳରେ ତିବ୍ଦତୀୟ ସଂସ୍କୃତିର ମିଶ୍ରଣ ଏକ ଅନନ୍ୟ ପରିବେଶ ସୃଷ୍ଟି କରେ, ଯାହା ଶାନ୍ତି, ଶିକ୍ଷା ଏବଂ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଏକ ସୁନ୍ଦର କ୍ଷେତ୍ର ପ୍ରଦାନ କରିଥାଏ।
ଜିରାଙ୍ଗ ଗଜପତିର ସ୍ଥାନୀୟ ସଂସ୍କୃତି ଏବଂ ପରମ୍ପରାକୁ ବିଶେଷ ଭାବରେ ପ୍ରଭାବିତ କରିଛି। ସ୍ଥାନୀୟ ସମ୍ପ୍ରଦାୟ ସହିତ ଏଠି ବୌଦ୍ଧ ସମୁଦାୟ ସକ୍ରିୟ ଭାବରେ ଜଡିତ ଏବଂ ସଦ୍ଭାବ ଓ ସାଂସ୍କୃତିକ ଭାବନାର ଆଦାନପ୍ରଦାନ ଏକ ସୁନ୍ଦର ସଂଯୋଗକୁ ପ୍ରୋତ୍ସାହିତ କରେ। ଏଠି 'ଲୋସାର' (ତିବ୍ଦତୀୟ ନବବର୍ଷ) ଏବଂ 'ବୁଦ୍ଧ ପୂର୍ଣ୍ଣିମା' ଭଳି ପର୍ବଗୁଡ଼ିକ ବହୁତ ଉତ୍ସାହର ସହିତ ପାଳନ କରାଯାଏ, ଯାହା ସ୍ଥାନୀୟ ସମ୍ପ୍ରଦାୟ ତଥା ଆଗନ୍ତୁକ ଉଭୟଙ୍କୁ ଆକର୍ଷିତ କରେ। ଏହି କାର୍ଯ୍ୟକ୍ରମଗୁଡ଼ିକ ତିବ୍ଦତୀୟ ବୌଦ୍ଧ ଧର୍ମର ସାଂସ୍କୃତିର ଝଲକ ବର୍ଣ୍ଣନା କରେ।
ପ୍ରାର୍ଥନା ଏବଂ ଧ୍ୟାନ ସହ ଏହା ଶିକ୍ଷା ପ୍ରଦାନ କ୍ଷେତ୍ରରେ ସାଧକ ତଥା ବିଦ୍ୱାନଙ୍କ ପାଇଁ ପ୍ରମୁଖ ସ୍ଥଳ ପାଲିଟିଛି। ଯଦି ଆପଣ ଏକ ସୁନ୍ଦର ପରିବେଶରେ ଆଧ୍ୟାତ୍ମିକ ଚେତନା ସହ ଯୋଡ଼ିହେବାକୁ ଚାହୁଁଛନ୍ତି ଜିରାଙ୍ଗ ଆପଣଙ୍କୁ ନିଶ୍ଚିତଭାବେ ଶାନ୍ତି ଏବଂ ସୌନ୍ଦର୍ଯ୍ୟର ଏକ ଅଦ୍ଭୁତ ଅନୁଭୂତି ପ୍ରଦାନ କରିବ।