ଓଡ଼ିଶାର ଏକମାତ୍ର ସରସ୍ୱତୀ ମନ୍ଦିର

ସମଗ୍ର ଓଡ଼ିଶାରେ ବୁଲାବୁଲି କଲେ, କୋଣ ଅନୁକୋଣରେ ପ୍ରାୟ ସବୁ ଦେବାଦେବୀଙ୍କ ମନ୍ଦିର ପାଇଯିବା । ହେଲେ ମା' ସରସ୍ୱତୀଙ୍କ ମନ୍ଦିର ବିଷୟରେ ହୁଏତ କ୍ୱଚିତ୍ ଜାଣିଥିବେ । ଏହା ସ୍ୱାଭାବିକ, କାରଣ ଏ ହେଉଛି ଆମ ରାଜ୍ୟରେ ଏକମାତ୍ର ମା' ସରସ୍ୱତୀଙ୍କ ମନ୍ଦିର, ଯେଉଁଠି କେବଳ ମା' ବାଗ୍‌ଦେବୀ ପୂଜା ପାଆନ୍ତି । ଏ ମନ୍ଦିର ପ୍ରାଚୀନ ଓ ପ୍ରତ୍ୟକ୍ଷ ଦେବୀ ପୂଜା ପାଆନ୍ତି । ନିତ୍ୟ ପୂଜା ସହ ଖୁବ୍ ଆଡ଼ମ୍ବର ସହକାରେ ଏଠି ସରସ୍ୱତୀ ପୂଜା ପାଳନ କରାଯାଏ । 

ମୟୁରଭଞ୍ଜ ଜିଲ୍ଲା ଉଦଳା ବଜାରର ମଧ୍ୟ ଭାଗରେ ଅଛି ମା' ସରସ୍ୱତୀଙ୍କ ଏହି ପ୍ରାଚୀନ ମନ୍ଦିର । ଶ୍ୱେତ ବସ୍ତ୍ର ପରିହିତା ମାଆଙ୍କ ହାତରେ ଶୋଭା ପାଉଛି ସୁନ୍ଦର ବୀଣା । ଏହି ପୂଜା ଓ ମେଳାର ପରମ୍ପରା ଏବେକାର ନୁହେଁ, କେଉଁ ରାଜାରାଜୁଡ଼ା ଅମଳରୁ ମା' ବିଦ୍ୟାଦାୟିନୀ ଏଠି ପାରମ୍ପରିକ ରୀତିନୀତି ସହ ପୂଜା ପାଇଆସୁଛନ୍ତି । ପ୍ରତ୍ୟକ୍ଷ ଦେବୀ ଭାବେ ପୂଜା ପାଉଥିବାରୁ ମା' ବୀଣାପାଣିଙ୍କ ପାଖେ ଭକ୍ତମାନେ ମାନସିକ ବ୍ରତ କରିଥାଆନ୍ତି । ପ୍ରଥମେ ଏକ ଅସ୍ଥାୟୀ ଚାଳଘରେ ମା' ଙ୍କୁ ପୂଜା କରାଯାଉଥିଲା । କ୍ରମଶଃ ସ୍ଥାନୀୟ ଲୋକମାନଙ୍କ ମିଳିତ ଉଦ୍ୟମରେ କ୍ରମେ ଏଠି ମନ୍ଦିର ନିର୍ମାଣ ହେଲା । ପୂର୍ବ କାଳରୁ କପ୍ତିପଦାର ବିରାଟଗଡ଼ର ରାଜା ମାଆଙ୍କୁ ପୂଜାର୍ଚ୍ଚନା କରୁଥିଲେ । କ୍ରମଶଃ ଏହି ଆସ୍ଥାନ ବାଣୀପୀଠ ଭାବେ ସର୍ବପରିଚିତ ହୋଇଗଲା । 

ଗ୍ରାମବାସୀ କୁହନ୍ତି ଭକ୍ତି ଓ ଆସ୍ଥାର ସହ ମାଗିଥିବା ସବୁ ମନସ୍କାମନା ଏଠି ପୁର୍ଣ୍ଣ ହୁଏ । ଯିଏ ଯାହା ମାଗିଛି ନିଶ୍ଚେ ପାଇଛି ଏଣୁ ଦୂର ଦୂରାନ୍ତରୁ ଦର୍ଶନ ପାଇଁ ଜମେ ଭିଡ଼ । ଖାସ୍ କରି ସରସ୍ୱତୀ ପୂଜା ଖୁବ୍ ଆଡ଼ମ୍ବରରେ ପାଳନ କରାଯାଏ । ସରସ୍ୱତୀ ପୂଜା ସମୟରେ ଖଣ୍ଡମଣ୍ଡଳ ଚଳ ଚଞ୍ଚଳ ହୋଇଉଠେ । ମନ୍ତ୍ର ପାଠ ଧ୍ୱନିରେ ପ୍ରକମ୍ପିତ ପରିସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ବାସ୍ତବରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରେ । ଓଡ଼ିଶାରେ ଏକମାତ୍ର ସରସ୍ୱତୀ ପୀଠ ହୋଇଥିବାରୁ ପୂଜାର୍ଚ୍ଚନା ସହ ଛୁଆଙ୍କ ଖଡ଼ି ଛୁଆଁ ପାଇଁ ପ୍ରାୟ ଭିଡ଼ ଜମେ । ବସନ୍ତ ପଞ୍ଚମୀରେ ଏଠାରେ ସ୍ୱତନ୍ତ୍ର ମେଳା ଆୟୋଜନ ହୁଏ । ସରସ୍ୱତୀ ମେଳା ଭବେ ଜଣାଶୁଣା ଏହି ମେଳା ପ୍ରାୟ ୧୫ ଦିନ ଧରି ଚାଲେ । ଶ୍ରଦ୍ଧାଳୁଙ୍କ ଭିଡ଼ ସହ ଏଠି ବିଭିନ୍ନ ପ୍ରକାରର ଦୋକାନୀଙ୍କ ପସରା ଜମେ । ଚଳ ଚଞ୍ଚଳ ହୋଇଉଠେ ପୁରା ଉଦଳା ସହର । 

ବସନ୍ତ ପଞ୍ଚମୀ ଦିନ ବ୍ରାହ୍ମ ମୂହୁର୍ତ୍ତରୁ ହିଁ ମାଆଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଏ । ମାର୍ଜଣା ପରେ ନେତ ବନ୍ଧନ, ସୂର୍ଯ୍ୟପୂଜା ଏବଂ ମଙ୍ଗଳ ଆଳତୀ ଓ ବାଳଭୋଗ ହୋଇ ମାଆ ରାଜାରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହାପରେ ଶିଶୁମାନଙ୍କ ବିଦ୍ୟାରମ୍ଭ ଉତ୍ସବ ଆରମ୍ଭ ହୋଇ ଶେଷରେ ପୁଷ୍ପାଞ୍ଜଳି ଅର୍ପଣ ହୁଏ । ସକାଳ ପୂଜା ପରେ ଘଟ ଉତ୍ତୋଳନ ହୋଇ ସହର ପରିକ୍ରମା ହୋଇଥାଏ । ଏହା ପରେ ମାଆଙ୍କ ସ୍ୱତନ୍ତ୍ର ପୂଜା ଉପଚାର ଓ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୁଏ । 

ଓଡ଼ିଶାର ଏକ ମାତ୍ର ସରସ୍ୱତୀ ମନ୍ଦିର ହୋଇଥିବାରୁ ଲୋକମାନେ ନିଜ ଏଠି ନିଜ ଛୁଆମାନଙ୍କର ଖଡ଼ି ଛୁଆଁ କରାଇବା ପାଇଁ ଅପେକ୍ଷା କରିଥାଆନ୍ତି । ଦିନ ସାରା ପୀଠରେ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ସମୟରେ ମେଳା ଦେଖିବା ପାଇଁ ବେଶ୍ ଭିଡ଼ ଜମିଥାଏ ।