ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର - ଜୀବନ୍ତ କାଷ୍ଠ କଳାର ନିଦର୍ଶନ
ପୁରାତନ କାଳରୁ ଓଡ଼ିଶା, ମନ୍ଦିର ସଂସ୍କୃତି ଓ ଶିଳ୍ପକଳାର ଏକ ମହାନ କେନ୍ଦ୍ର ଭାବେ ପରିଚିତ। ରାଜ୍ୟର ବିଭିନ୍ନ ଐତିହାସିକ ମନ୍ଦିରମାନଙ୍କରେ ଦେଖାଯାଉଥିବା ଶିଳ୍ପକଳା, ଚିତ୍ରକଳା ଓ ସୁକ୍ଷ୍ମ କାରୁକାର୍ଯ୍ୟ ଆମ ପୂର୍ବଜମାନଙ୍କ ଉତ୍କୃଷ୍ଟ କଳାବୋଧ ଓ ସୃଜନଶୀଳତାର ଜୀବନ୍ତ ପ୍ରମାଣ। ଏହି କଳାକୃତିମାନେ କେବଳ ଶୋଭା ବର୍ଦ୍ଧନ କରନ୍ତିନାହିଁ, ବରଂ ଧାର୍ମିକ ଆସ୍ଥା, ସାମାଜିକ ଜୀବନ ଓ ପାରମ୍ପରିକ ଜ୍ଞାନର ଏକ ଅନନ୍ୟ ପ୍ରତିଫଳନ ।
କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଉତ୍କଳୀୟ କଳା କାରିଗରୀ ଓ ନୈପୁଣ୍ୟର ଆଉ ଏକ ବିସ୍ମୟ ବୁଗୁଡ଼ାର "ବିରଞ୍ଚି ନାରାୟଣ ମନ୍ଦିର"। ଉଦୟ ମାତ୍ରେ ସୂର୍ଯ୍ୟଙ୍କ ପ୍ରଥମ କିରଣ କୋଣାର୍କରେ ସୂର୍ଯ୍ୟଦେବଙ୍କ ଚରଣ ସ୍ପର୍ଶ କରୁଥିବାବେଳେ ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣ ବୁଗୁଡ଼ାରେ ପ୍ରଭୁ ବିରଞ୍ଚି ନାରାୟଣଙ୍କୁ ସ୍ପର୍ଶ କରିଥାଏ । ଏହା ହିଁ ଶିଳ୍ପୀଙ୍କ କଳା ଚାତୁରୀକୁ ପ୍ରତିପାଦିତ କରିଥାଏ । ଘୁମୁସର ରାଜବଂଶର ଅନ୍ୟତମ ଶ୍ରେଷ୍ଠ ରାଜା ଶ୍ରୀକର ଭଞ୍ଜଙ୍କ ରାଜତ୍ୱ କାଳରେ ନିର୍ମାଣ ହୋଇଥିଲା ଏହି ବିରଞ୍ଚି ନାରାୟଣ ମନ୍ଦିର।
ଗଙ୍ଗାପାଣି ମହାପାତ୍ରଙ୍କ ତାଳପତ୍ର ପୋଥି ‘ଭଞ୍ଜ ବଂଶାବଳୀ'ରୁ ଜଣାପଡ଼େ ୧୮୨୨ ମସିହା ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ଆଦିତ୍ୟ ଦେବଙ୍କୁ ମାଳତୀଗଡ଼ରୁ ଅଣାଯାଇ ଏଠାରେ ସ୍ଥାପନ କରାଯାଇଥିଲା ଓ ପରବର୍ତ୍ତୀ ସମୟରେ ଏହା ବିରଞ୍ଚି ନାରାୟଣ ମନ୍ଦିର ଭାବେ ଖ୍ୟାତି ଲାଭ କରିଥିଲା।
ରଥ ସଦୃଶ ମନ୍ଦିରରେ ସାରଥୀ ଅରୁଣଙ୍କ ସହ ୭ଟି ଧାବମାନ ଘୋଡ଼ା ବଉଳମାଳିଆ ପଥରରେ ନିର୍ମିତ। ମନ୍ଦିରର ଛାତଟି ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି ଯାହାର ଉପର ଭାଗ ତାମ୍ର ପଟି ଦ୍ୱାରା ଆଚ୍ଛାଦିତ। ଏହି ଛାତଟି ହିଁ ମନ୍ଦିରର ମୁଖ୍ୟ ଆକର୍ଷଣ । ମୋଟ ଉପରେ ୪୮ଟି ସ୍ତମ୍ଭ ରହିଥିବାବେଳେ ୧୬ଟି ସ୍ତମ୍ଭ ମନ୍ଦିର କାନ୍ଥ ସହ ମିଶି ରହିଛି ଏବଂ ୩୨ଟି ସ୍ତମ୍ଭ ଚତୁପାର୍ଶ୍ବରେ ରହିଛି। ବଉଳମାଳିଆ ପଥର ନିର୍ମିତ ଏହି ସ୍ତମ୍ଭଗୁଡ଼ିକର ଉପରଭାଗ କାଷ୍ଠ କାରୁକାର୍ଯ୍ୟରେ ସୁସଜ୍ଜିତ। ସାଧୁ, ସନ୍ଥ, ନର୍ତ୍ତକୀ, ଫୁଲ, ଗଛ, ଡାଳ ଶିକାରୀ, ପଶୁପକ୍ଷୀ ତଥା ସିଂହ, ହରିଣ, କୁକୁର ଆଳି ପ୍ରତିକୃତି ସ୍ତମ୍ଭଗୁଡ଼ିକରେ ନିଖୁଣ ଭାଇ ଖୋଦିତ ହୋଇଛି। କାଠ କାରୁକାର୍ଯ୍ୟପୂର୍ଣ୍ଣ ଛାତର ମଧ୍ୟଭାଗରେ ଝୁଲାୟମାନ କୃଷ୍ଣ ଓ ଗୋପୀଙ୍କ ଖୋଦିତ ନୃତ୍ୟ ପ୍ରତିକୃତି ବେଶ୍ ଦୃଷ୍ଟି ଆକର୍ଷଣ କରେ। ଏଥିଲେ ରାମାୟଣର ପୁତ୍ରେଷ୍ଟି ଯଜ୍ଞରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ବିଷୟବସ୍ତୁ ଛୁଞ୍ଚି ମୁନରେ ନିଖୁଣ ଭାବେ ଖୋଦିତ ହୋଇଛି। ଏଥିରେ ଦଶାବତାର, ଅଷ୍ଟବସୁ, ଦଶଦିଗପାଳ ଦଣ୍ଡପିଙ୍ଗଳ, ରାମାନୁଜାଚାର୍ଯ୍ୟ ଓ ତୋରଣ ଲକ୍ଷ୍ମୀ ଆଦି ଖୋଦିତ ହୋଇଛି । ଏହାର ପ୍ରବେଶ ପଥଠାରୁ ଆରମ୍ଭ କରି ମଣୋହି ବଖରା ସବୁଠି କାଷ୍ଠର କାରୁକାର୍ଯ୍ୟ ଦେଖିବାକୁ ମିଳେ।
ଏଠି ରାମଲୀଳା ଓ କୃଷ୍ଣଲୀଳା ସହ ବିଭିନ୍ନ ଦେବୀ ଦେବତାଙ୍କର ଚିତ୍ର ମଧ୍ୟ ରହିଛି। ଉତ୍ତର ଦିଗ କାନ୍ଥରେ ପୁରୀ ଶଙ୍ଖ କ୍ଷେତ୍ରର ମାନଚିତ୍ର ଶୋଭା ପାଉଥିବାବେଳେ ଦକ୍ଷିଣ ଦିଗ କାନ୍ଥ ରାମ-ରାବଣ ଯୁଦ୍ଧ ଦୃଶ୍ୟ ଘୁମୁସରର ଚିତ୍ରକରମାନଙ୍କ ନିଚ୍ଛକ କଳା ଦକ୍ଷତାକୁ ବଖାଣୁଛି। ମନ୍ଦିର ପଛପଟ କାନ୍ଥରେ ସୀତାଙ୍କୁ ରେଗୁଟିକା ପ୍ରଦାନ, ରାମ ଲକ୍ଷ୍ମଣଙ୍କ ବାନର, ଜାମ୍ବବାନ ଯୋଦ୍ଧାଙ୍କୁ ଉପଦେଶ ପ୍ରଦାନ, ଶିବଧନୁ ଭଙ୍ଗ, ପୁତ୍ରେଷ୍ଟି ଯଜ୍ଞ, ସୀତା ସ୍ବୟମ୍ବର, ହୟଗ୍ରୀବ, ଜଗନ୍ନାଥ ଓ ରାମଲୀଳାର ଅନେକ କାହାଣୀ ଚିତ୍ରିତ ହୋଇଛି । ସେହିପରି ସେତୁବନ୍ଧ ନିର୍ମାଣ ପାଇଁ ବାନରମାନେ ପଥର ବୋହିନେଉଥିବାର ଚିତ୍ର ବେଶ୍ ଜୀବନ୍ତ ମନେହୁଏ ।
ପ୍ରକୃତିର ବହୁବିଧ ପରିବର୍ତ୍ତନ ଭିତରେ ମଧ୍ୟ କାଠ ଖୋଦେଇ ଭିତ୍ତିଚିତ୍ର ଯେତେ ଜୀବନ୍ତ ମନେ ହୁଏ ସେମିତି ପ୍ରାଣବନ୍ତ ହୋଇ ଅଦ୍ୟାବଧି ଦେଖଣାହାରୀଙ୍କ ମାନଙ୍କୁ ବାନ୍ଧି ରଖୁଛି । ଏଣୁ ଗଞ୍ଜାମ ବୁଲିଆସିଲେ ଏହି ସ୍ଥାନର ପରିଦର୍ଶନ ଦର୍ଶକଙ୍କୁ ନିଶ୍ଚେ ଏକ ଭିନ୍ନ ଅନୁଭୂତି ବାଢ଼ିଦେବ ।