ମନ ମୋହୁଛି ମାଣିକପାଟଣା ଦହି

ଜଗନ୍ନାଥ ସଂସ୍କୃତି ଓ ଦହିର କିମ୍ବଦନ୍ତୀ 

ପୁରୀ ରାଜା ପୁରୁଷୋତ୍ତମଦେବ ଗଜପତି କାଞ୍ଚି ରାଜକୁମାରୀଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ। କିନ୍ତୁ ରଥଯାତ୍ରା ସମୟରେ ରଥ ଛେରା ପହଁରା ଦେଖି କାଞ୍ଚି ରାଜା ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲେ। ଏଣୁ ରାଜା ଯୁଦ୍ଧ ଅଭିମୁଖେ ବାହାରିଥିଲେ। ପ୍ରଥମ ଯୁଦ୍ଧରେ ପରାଜିତ ହୋଇ ଜଗନ୍ନାଥଙ୍କ ନିକଟରେ ବିଜୟ ପାଇଁ ପ୍ରାର୍ଥନା କରିଥିଲେ। 

ଭକ୍ତର ଜଣାଣ ପ୍ରଭୁ କେମିତି ବା ନ ଶୁଣନ୍ତେ!

ଦୁଇ ଭାଇ କଳା ଓ ଧଳା ଘୋଡ଼ା ନେଇ ବାହାରିଥିଲେ କାଞ୍ଚି ଅଭିମୁଖେ। ବାଟରେ ତୃଷାତୁର ହୋଇ ମାଣିକ ଗଉଡ଼ୁଣୀଠାରୁ ଦହି ପିଇଥିଲେ। ଛଦ୍ମବେଶୀ ପ୍ରଭୁଙ୍କୁ ଚିହ୍ନିନପାରି ଗୁଉଡ଼ୁଣୀ ପାଉଣା ମାଗିଥିଲା। ପ୍ରଭୁ ନିଜ ରତ୍ନ ଖଚିତ ମୁଦି ବନ୍ଧକ ରଖି ପଛରେ ଆସୁଥିବା ରାଜାଙ୍କଠୁ ପାଉଣା ନେବାକୁ ନିର୍ଦେଶ ଦେଇ ଅଗ୍ରସର ହୋଇଥିଲେ। ରାଜା ଆସିବା ପରେ ଗଉଡ଼ୁଣୀଠାରୁ ସମସ୍ତ ଘଟଣା ଶୁଣି ଓ ଜଗନ୍ନାଥଙ୍କ ମୁଦି ଦେଖି ଭାବବିହ୍ଵଳ ହୋଇପଡ଼ିଥିଲେ। ପାଉଣା ସହ ଗଉଡ଼ୁଣୀ ମାଣିକକୁ ସମ୍ପୂର୍ଣ୍ଣ ଗାଁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ସେବେଠାରୁ ମାଣିକପାଟଣା ଗାଁ ଓ ଏହାର ଦହି ଖୁବ୍ ପ୍ରସିଦ୍ଧ। 

ଏ ହେଉଛି ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ମାଣିକପାଟଣା ଦହି। କୃଷ୍ଣ ପ୍ରସାଦ ଓ ବ୍ରହ୍ମଗିରି ଅଞ୍ଚଳରେ ପାଳିତ ଦେଶୀ ମଇଁଷିଙ୍କ କ୍ଷୀରରୁ ଏହା ପ୍ରସ୍ତୁତ ହୁଏ। ଯାହା ନିଜର ଭିନ୍ନ ସ୍ୱାଦ ଓ ଘନତା ପାଇଁ ବେଶ ଜଣାଶୁଣା। ଏହାର ପ୍ରୋବାୟୋଟିକ୍ ତତ୍ତ୍ୱ ପାଚନ ପାଇଁ ଉପକାରୀ। ଚିଲିକା ନିକଟବର୍ତ୍ତୀ ଅଞ୍ଚଳରେ ଦେଖାଉଥିବା ଏହି ମଇଁଷିଙ୍କ ପ୍ରଜାତି ବିରଳ। କେବଳ ସ୍ୱାଦରେ ନୁହେଁ ଧାର୍ମିକ ଓ ପୌରାଣିକ ମହତ୍ତ୍ୱ ସହ ଔଷଧୀୟ ଗୁଣ ପାଇଁ ବି ଏହି ଦହିର ପ୍ରସିଦ୍ଧି ରହିଛି। କାରଣ ଚିଲିକା ମଇଁଷି କ୍ଷୀରରେ ରୋଗପ୍ରତିରୋଧକାରୀ ଗୁଣ ଖୁବ ଅଧିକ।

ଓୟୁଏଟି କୁଳପତି ପ୍ରୋଫେସର୍ ପି.କେ ରାଉତ ଏହି ଦହି ସମ୍ପର୍କିତ   ଇତିହାସ ଓ ପରମ୍ପରା ସମ୍ପର୍କରେ ତଥ୍ୟ ସଂଗ୍ରହରେ ପ୍ରମୁଖ ଭୂମିକା ନେଇଛନ୍ତି। ଏ କଥା ପ୍ରାୟ ୧୫00 ଶତାବ୍ଦୀ ପୁରୁଣା।ଜଗନ୍ନାଥ ମନ୍ଦିରର ପାଣ୍ଡୁଲିପି ସହ ମାଦଳା ପାଞ୍ଜିରେ ଏହି ବିଷୟରେ ଉଲ୍ଲେଖ ରହିଛି। ଏହାର ନିର୍ମାଣ ପ୍ରଣାଳୀ ଟିକିଏ ନିଆରା। ଏଥିପାଇଁ ସ୍ୱତନ୍ତ୍ର ବାଉଁଶ ପାତ୍ର ବୁଣାଯାଇଥାଏ। କ୍ଷୀର  ସଂଗ୍ରହ ପରେ ଦହି ବସାଇବା ପୂର୍ବରୁ ବାଉଁଶ ଟୋକେଇକୁ ୨୪ ଘଣ୍ଟା ଧରି ଶୁଖାଯାଇଥାଏ। ସେହି ଟୋକେଇରେ ଦହି ବସିଲେ ସ୍ୱାଦ ଉତ୍କୃଷ୍ଟ ହୋଇଥାଏ। ଛୋଟ ବଡ଼ ଏମିତି ବିଭିନ୍ନ ଆକାରର ବାଉଁଶ ପାତ୍ରରେ ଦହି ବସାଇବା ସହ ସେଇ ବାଉଁଶ ପାତ୍ରରେ ଦହି ବିକ୍ରି ମଧ୍ୟ ହୋଇଥାଏ।

ଚିଲିକା କୂଳରେ ଆଜି ମଧ୍ୟ ଅନେକ ମଇଁଷି ଚରାଳି ମଇଁଷି ପାଳନ ଓ କ୍ଷୀର ବିକ୍ରି କରି ପେଟ ପୋଷୁଛନ୍ତି। ଏଇ ମଇଁଷିମାନେ ସ୍ଥାନୀୟ ଘାସ ଓ ଦଳ ଆଦି ଖାଇବା ସହ ସେଠିକାର ମିଠା ପାଣି ପିଇଥାନ୍ତି। ପ୍ରାକୃତିକ ଖାଦ୍ୟ ଓ ପରିବେଶ ହିଁ ମାଣିକ ପାଟଣା ଦହିର ସ୍ୱାଦ ଓ ଗୁଣବତ୍ତାର ମୂଳକାରଣ। ସ୍ଥାନୀୟ ସ୍ବେଚ୍ଛାସେବୀ ଦଳ ମିଳିତ ଉଦ୍ୟମରେ ଦହିର ପ୍ରଚାର ପ୍ରସାର କରୁଛନ୍ତି। ଏହି ସବୁ ଦସ୍ତାବିଜକୁ ଆଧାର କରି ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଛି। ଏହି ବିଶ୍ୱସ୍ତରୀୟ ମାନ୍ୟତା ସହ ଦହିର ବିଶେଷତ୍ତ୍ଵ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ, ପାରମ୍ପରିକ ପ୍ରସ୍ତୁତି ପ୍ରଣାଳୀ ଆଗାମୀ ଦିନରେ ସୁରକ୍ଷିତ ରହିବ ଏବଂ ଏହି ବୃତ୍ତି ଉପରେ ନିର୍ଭରଶୀଳ ଲୋକଙ୍କୁ ପ୍ରୋତ୍ସାହନ ମିଳିବ।