କଳା ଓ ସଂସ୍କୃତିର ମନ ମୁଗ୍ଧକର ମିଶ୍ରଣ କାଗଜ ମୁଖା ଚିତ୍ର
ଓଡ଼ିଶାରେ ଏହା ମୁଖା ଚିତ୍ର ନାମରେ ପରିଚିତ। ଭାରତର ବିଭିନ୍ନ ଅଞ୍ଚଳରେ ଏହି କଳା ସହ ସାମଞ୍ଜସ୍ୟ ଥିବା ଅନେକ ଶୈଳୀ ଦେଖାଯାଏ, କିନ୍ତୁ ତାହାର ସୁକ୍ଷ୍ମ କାରୁକାର୍ଯ୍ୟ, ଉଜ୍ଜ୍ୱଳ ରଙ୍ଗ ଏବଂ ସାଂସ୍କୃତିକ ମାନ୍ୟତା ପାଇଁ ଓଡ଼ିଶା ବିଶେଷ ଭାବେ ପରିଚିତ। ମୁଖା ଚିତ୍ରରେ ପ୍ରମୁଖ ଭାବେ ଆମ ପୌରାଣିକ କାହାଣୀ ତଥା ଲୋକକଥାର ଅନେକ ଚରିତ୍ରକୁ ଆଧାର କରି କାଗଜ ମୁଖା ପ୍ରସ୍ତୁତ କରାଯାଇଥାଏ। ଲୋକକଳା ଆଧାରିତ ପାରମ୍ପରିକ ନାଟକରେ ଆଗ କାଠ ମୁଖାର ପ୍ରଚଳନ ଥିଲା। ହିରଣ୍ୟ କଶ୍ୟପ, ନରସିଂହ, ଶିବ, ବିଷ୍ଣୁ ଆଦି ଅବତାର ପାଇଁ ହେଉଥିଲା ବିଶାଳ ମୁଖା। କ୍ରମେ ତତ୍କାଳୀନ ଗଡ଼ଜାତ ରାଜାଙ୍କ ପୃଷ୍ଠପୋଷକତାରେ କାଗଜ ମୁଖା କଳା ଓ କାରିଗରଙ୍କୁ ପ୍ରୋତ୍ସାହନ ମିଳିଥିଲା।
ଓଡ଼ିଶାରେ ଏହି କାଗଜ କଳା କେବେ ଓ କେମିତି ଆରମ୍ଭ ହେଲା ଏହାର ଠିକଣା ନିର୍ଦ୍ଧିଷ୍ଟ ନାହିଁ କିନ୍ତୁ ପିଢ଼ି ଧରି କାହିଁ କେତେଦିନରୁ ଏହି ପ୍ରଥା ଆସିଛି। ଯାହା ଓଡ଼ିଶାରେ ମୁଖା ଚିତ୍ର ନାମରେ ବେଶ ଜଣାଶୁଣା। ଏହି କଳା ଧାର୍ମିକ ଓ ସାଂସ୍କୃତିକ ପ୍ରଥା ସହ ଗଭୀର ଭାବେ ସଂପୃକ୍ତ। ପ୍ରଥମେ ଶିଳ୍ପୀମାନେ ମନ୍ଦିର ପାଇଁ ଦେବଦେବୀଙ୍କ ମୂର୍ତ୍ତି ଓ ପୂଜାସାମଗ୍ରୀ ତିଆରି କରୁଥିଲେ, କିନ୍ତୁ କ୍ରମେ ଏହି କଳା ଏକ ବିସ୍ତୃତ ସୃଜନଶୀଳ ଅଭିବ୍ୟକ୍ତିର ରୂପ ନେଲା। ଆଜି ଏହା ପାରମ୍ପରିକର ମୁଖା ତଥା ସାଜସଜ୍ଜା ଉଭୟ ପ୍ରୟୋଜନରେ ବ୍ୟବହାର ହେଉଛି।
କାଗଜ ମୁଖା ତିଆରି କରିବା ଏକ ପରିଶ୍ରମସାଧ୍ୟ ପ୍ରକ୍ରିୟା, ଯାହା ପାଇଁ କୌଶଳ, ଧୈର୍ଯ୍ୟ ଓ କଳ୍ପନାଶକ୍ତି ଆବଶ୍ୟକ।
ପ୍ରସ୍ତୁତି ପ୍ରକ୍ରିୟା ଶ୍ରମ ସହ ସମୟ ସାପେକ୍ଷ। ପୁରୁଣା ସମ୍ବାଦପତ୍ର ଓ ଅପଚୟ କାଗଜକୁ ପାଣିରେ ଭିଜାଇ ନରମ ମଣ୍ଡରେ ପରିଣତ କରାଯାଏ। ମାଟିର ଛାଞ୍ଚ ପ୍ରସ୍ତୁତ କରାଯାଏ ଏବଂ ଏହି ମଣ୍ଡକୁ ତେଁନ୍ତୁଳି ମଞ୍ଜି ଲେପ ବା ପ୍ରାକୃତିକ ଅଠା ସହ ମିଶାଇ ମିଶ୍ରଣ ତିଆରି କରାଯାଏ। ଏହାକୁ ବ୍ୟବହାର କରି ଛାଞ୍ଚ ବା ହାତରେ ଆକୃତି ଦେଇ ସୂର୍ଯ୍ୟାଲୋକରେ ଶୁଖାଯାଏ। ଶୁଖିବା ପରେ ଶିଳ୍ପୀମାନେ ପୃଷ୍ଠକୁ ଘସି ସମତଳ କରି ଥାଆନ୍ତି। ପୃଷ୍ଠକୁ ଚିକ୍କଣ କରି ଉଜ୍ଜ୍ୱଳ ରଙ୍ଗରେ ପାରମ୍ପରିକ ରୂପ, ଦେବଦେବୀ ଓ ପୌରାଣିକ ଚିତ୍ର ଅଙ୍କନ କରନ୍ତି। ଶେଷରେ ଲାଖ ବା ଭାର୍ନିଶ୍ ଲଗାଇ ଏହାକୁ ଚମକଦାର ଓ ଦୀର୍ଘସ୍ଥାୟୀ କରାଯାଏ।
ଜଗନ୍ନାଥ, କୃଷ୍ଣ, ଦେବୀ ଦୁର୍ଗା ଆଦିଙ୍କ ମୁଖା ପ୍ରାୟତଃ ପ୍ରସ୍ତୁତ କରାଯାଏ ଯାହା ପୌରାଣିକ କାହାଣୀ ବର୍ଣ୍ଣନା କରେ। ହାତୀ, ବାଘ ଆଦି ପଶୁ ପକ୍ଷୀମାନଙ୍କ ଆକୃତି ସାଧାରଣତଃ ଶକ୍ତି, ସୌନ୍ଦର୍ଯ୍ୟ ଓ ପ୍ରକୃତିର ସମୃଦ୍ଧିକୁ ପ୍ରତିନିଧିତ୍ୱ କରେ। ଯାହା ପଥ ଉତ୍ସବ ଓ ନାଟକ ମାନଙ୍କରେ ବ୍ୟବହୃତ ହୁଏ। ଏହାଛଡ଼ା ପ୍ରସିଦ୍ଧ ଛଉ ନୃତ୍ୟରେ ମଧ୍ୟ ଏହି ସୁଶୋଭିତ ମୁଖାର ବ୍ୟବହାର ହୁଏ, ଯାହା ଆମର ପାରମ୍ପରିକ ସାମରିକ କଳାରେ କାହାଣ ବ୍ୟାଖ୍ୟା କରେ। ପାରମ୍ପରିକ ନୃତ୍ୟ ସହ ବିଭିନ୍ନ ପର୍ବପର୍ବାଣି ଓ ମେଳାରେ ଏହି ମୁଖା ଉପଲବ୍ଧ ହୋଇଥାଏ।
ବିଲୋପର ଧାରାରେ ପ୍ରବାହିତ ଏହି କାଗଜ କଳା ପରିବେଶ ଉପଯୋଗୀ। ପରିବେଶ ସୁରକ୍ଷା ନେଇ ବର୍ତ୍ତମାନ ସମୟରେ ବଢୁଥିବା ଚିନ୍ତା ମଧ୍ୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଉଛି। କାରଣ, ଏହା ଏକ ପରିବେଶ-ମିତ୍ର କଳା। ପ୍ଲାଷ୍ଟିକ୍ ବା କୃତ୍ରିମ ପଦାର୍ଥ ପରିବର୍ତ୍ତେ ଏହା ପୁନଃବ୍ୟବହୃତ କାଗଜରୁ ତିଆରି ହୋଇ ଜୈବିକ ରୂପେ ବିଘଟିତ ହୁଏ। ଅନେକ ଶିଳ୍ପୀ ପାରମ୍ପରିକ ପଦ୍ଧତିକୁ ଆଧୁନିକ ଶୈଳୀ ସହ ମିଶାଇ ଆଧୁନିକ ଗହଣା, ଫ୍ୟାସନ୍ ସାମଗ୍ରୀ ଓ ଘର ସାଜସଜ୍ଜା ବସ୍ତୁ ତିଆରି କରୁଛନ୍ତି। ଇ-କମର୍ସ ମାଧ୍ୟମରେ ବିଭିନ୍ନ ୱେବ୍ସାଇଟ୍ ଗୁଡ଼ିକରେ ଆଜିକାଲି ଏହି ମୁଖା ଚିତ୍ର ବେଶ ଆଦୃତ ହେଉଛି।