ଡ୍ରାଗନ୍ଫ୍ରୁଟ୍ ଚାଷ କରି ମାଲାମାଲ ଚାଷୀ

ସେ ବିଜ୍ଞାନର ପରୀକ୍ଷଣ ହେଉ ଅବା ଚାଷ ସବୁ କ୍ଷେତ୍ରରେ ଲୋକ ମାନେ କିଛି ଭିନ୍ନ କରିବାର ପନ୍ଥା ଖୋଜୁଛନ୍ତି । ଆଗରୁ ଯୁବଗୋଷ୍ଠୀ ରୋଜଗାର କରିବା ପାଇଁ ସହର ମୁହାଁ ହେଉଥିଲେ, ହେଲେ ଏବେ ଶିକ୍ଷିତ ତଥା ଯୁବ ଚାଷୀମାନେ ଧିରେ ଧିରେ ନିଜ ମାଟିରେ କିଛି କରି ଦେଖାଇବା ପାଇଁ ଆଗଭର ହେଉଛନ୍ତି । ଉନ୍ନତ ଚାଷ ପ୍ରଣାଳୀ, କୌଶଳ ଓ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଆଜିର ଚାଷୀ ବିଭିନ୍ନ ନୂତନ ଚାଷ କରି ସଫଳ ହେବା ସହ ଅନ୍ୟକୁ ଉନ୍ନତ ଚାଷ ଦିଗରେ ପ୍ରେରଣା ଦେଉଛନ୍ତି ।
ଏକ ସମୟ ଥିଲା, ଯେତେବେଳେ ଓଡ଼ିଶାର ଚାଷୀମାନେ ଧାନ ଡ଼ାଲି ଓ ପନି-ପରିବା ଚାଷ କରି ସ୍ୱଳ୍ପ ରୋଜଗାର କରୁଥିଲେ ହେଲେ ଏବେ ଚାଷକୁ ନେଇ ବଦଳିଛି ଲୋକ ଧାରଣା । ଡ୍ରାଗନ୍ଫ୍ରୁଟ୍ ଚାଷ ଏବେ ଚାଷୀଙ୍କ ପାଇଁ ରୋଜଗାରର ଏକ ନୂତନ ଲାଭକାରୀ ବିକଳ୍ପରେ ପରିଣତ ହୋଇଛି । ଏକର ଏକର ଜମିରେ ଡ୍ରାଗନ୍ଫ୍ରୁଟ୍ ଚାଷ କରି ଓଡ଼ିଶାର ଚାଷୀ ମାନେ ନୂତନ ଧରଣର ଚାଷକରି, ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି ।
ପ୍ରଥମେ ପ୍ରଥମେ ଡ୍ରାଗନ୍ଫ୍ରୁଟ୍ ଓଡ଼ିଶା ବଜାରରେ ଏତେଟା ପରିମାଣରେ ଉପଲବ୍ଧ ନଥିଲା । କୋରୋନା ମହାମାରୀର ପରବର୍ତ୍ତୀ ସମୟରେ ଓଡ଼ିଶାରେ ଡ୍ରାଗନ୍ଫ୍ରୁଟ୍ର ଚାହିଦା ବଢ଼ିବା ସହିତ ଅଧିକ ପରିମାଣରେ ଚାଷ ହେବା ଆରମ୍ଭ ହୋଇଥିଲା । ଗତ କିଛି ବର୍ଷ ଧରି ଡ୍ରାଗନ୍ଫ୍ରୁଟ୍ ଚାଷ ଓଡ଼ିଶାରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏହା ଚାଷୀମାନଙ୍କ ପାଇଁ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିଛି। ସ୍ଥାନୀୟ ବଜାରରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବବେଳେ, ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଉଚ୍ଚ ଥିବାରୁ ଚାଷୀମାନେ ଉତ୍ପାଦନରୁ ଅଧିକ ଲାଭ ଅର୍ଜନ କରୁଛନ୍ତି । ଆଜିକାଲି ଜୌବିକ ପଦ୍ଧତିରେ ଚାଷ କରିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି କାରଣ ଲୋକମାନେ ନିଜ ସ୍ୱାସ୍ଥ୍ୟପ୍ରତି ସଚେତନ ହେଲେଣି । ତେଣୁ ବଜାରରେ ବିଭିନ୍ନ ପ୍ରକାରର ଜୈବିକ ପଦ୍ଧତିରେ ଚାଷ କରାଯାଉଥିବା ଫଳ ଓ ପନି-ପରିବାର ଚାହିଦା ଏବେ ବଢ଼ିବାରେ ଲାଗିଛି । ଏହି ଦୃଷ୍ଟିରୁ ଡ୍ରାଗନ୍ଫ୍ରୁଟ୍କୁ ଓଡ଼ିଶାରେ ଅର୍ଗାନିକ୍ ଉପାୟରେ ମଧ୍ୟ ଉତ୍ପାଦନ କରାଯାଉଛି । ଯାହାକି ଲୋକଙ୍କ ଚାହିଦା ପୁରଣ କରିବା ସହ ରୋଜଗାରର ଉତ୍ତମ ମାଧ୍ୟମ ସୃଷ୍ଟି ହୋଇପାରିଛି ।
ବର୍ତ୍ତମାନ ଅନେକ ସ୍ଥାନରେ ଦେଖାଗଲାଣି ଶିକ୍ଷିତ ଯୁବକମାନେ ଚାଷକାର୍ଯ୍ୟ ପାଇଁ ଅଗ୍ରହୀ ହେଉଛନ୍ତି । ଯୁବ-ଉଦ୍ୟୋଗୀମାନେ କେବଳ ଡ୍ରାଗନ୍ଫ୍ରୁଟ୍ ଚାଷ କରୁନାହାନ୍ତି, ଏଥିରୁ ଡ୍ରାଏ ଡ୍ରାଗନ୍ଫ୍ରୁଟ୍, ଏହାର ଜାମ୍ ତଥା ଜୁସ୍ ତିଆରି କରି ମଧ୍ୟ ଭଲ ବ୍ୟବସାୟ କରୁଛନ୍ତି । ଗ୍ରାମାଞ୍ଚଳରେ କିଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମିଳିତ ଭାବେ ଏହି ଚାଷରୁ ଲାଭ ଅର୍ଜନ କରୁଛନ୍ତି । ବଲାଙ୍ଗିରି, କଳାହାଣ୍ଡି, ବରଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳରେ ଏହି ଚାଷ ସଫଳ ଭାବେ ଆରମ୍ଭ ହୋଇଥିବା ବେଳେ ଏବେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଚାଷ ହେଉଛି । ଏହା ବଜାରରେ କିଲୋ ପିଛା ୨୦୦ ରୁ ୨୫୦ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହୋଇଥାଏ । ସଠିକ୍ ଭାବେ ଦେଖାଶୁଣା କଲେ ଏହି ଚାଷରୁ ବାର୍ଷିକ ୪ ରୁ ୬ ଲକ୍ଷ୍ୟ ପର୍ଯ୍ୟନ୍ତ ଲାଭ ହୋଇଥାଏ । ଡ୍ରାଗନ୍ଫ୍ରୁଟ୍ ମୃଦୁ ଉଷ୍ଣ ଓ ଅର୍ଦ୍ଧ-ଶୁଷ୍କ ଜଳବାୟୁରେ ଭଲ ବଢ଼ିଥାଏ ଏଣୁ ଓଡ଼ିଶାର ଅଳ୍ପ ଜଳ ଥିବା ଅଞ୍ଚଳରେ ଏହା ଚାଷ କରିବାରେ ସୁବିଧା ହୋଇଥାଏ ।
ଏହି ଫଳର ସ୍ୱାସ୍ଥ୍ୟ ପାଇଁ ଅନେକ ଉପାଦେୟତା ଅଛି । ଏଥିରେ ଖଣିଜ ତତ୍ତ୍ୱ ସହ ଆଣ୍ଟିଅକ୍ସିଡ଼ାଣ୍ଟ୍ ରହିଛି, ଯାହା ଡାଇବେଟିସ୍, କ୍ୟାନ୍ସର ଓ ହୃଦ୍ରୋଗ ଆଦି ସମସ୍ୟା ପାଇଁ ସହାୟକ ହୋଇଥାଏ । ଏଥିରେ ଭରପୁର ଭିଟାମିନ୍ ସି ଅଛି । ଯାହା ରୋଗପ୍ରତିରୋଧକ ଶକ୍ତି ସହ ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ । ଏହା ଚର୍ମ, ହାଡ଼ ଓ ଆଖିକୁ ସୁସ୍ଥ ରଖିବା ସହିତ ଗର୍ଭବତୀଙ୍କୁ ପୋଷକତତ୍ତ୍ୱ ଯୋଗାଇଥାଏ ।
ଡ୍ରାଗନ୍ଫ୍ରୁଟ୍କୁ ଫ୍ରୁଟ୍ ସାଲାଡ଼, ସେକ୍, ସ୍ମୁଦି ତଥା କେକ୍ର ସାଜସଜ୍ଜା ଆଦି ବିଭିନ୍ନ ଉପାୟରେ ଖାଦ୍ୟରେ ବ୍ୟବହାର କରାଯାଉଛି । ଭେରାଇଟି ଦେଖିବାକୁ ଗଲେ ଏହାର ଗାଢ଼ ଗୋଲାପୀ, ହାଲୁକା ଗୋଲାପୀ ତଥା ହଳଦିଆ ରଙ୍ଗ ରହିଛି । ଓଡ଼ିଶାରେ ପ୍ରାୟତଃ ଏହାର ଗୋଲାପୀ ରଙ୍ଗଟି ଦେଖିବାକୁ ମିଳେ ଯାହାର ଭିତର ଅଂଶ କିଛି ଧଳା ଓ କିଛିରେ ଗୋଲାପୀ ରହିଥାଏ । କେବଳ ପୋଷକ ତତ୍ତ୍ୱ ନୁହେଁ ଏହାର ସୁନ୍ଦର ଋପ ଓ ଭିନ୍ନ ସ୍ୱାଦ ପାଇଁ ଡ୍ରାଗନ୍ଫ୍ରୁଟ୍ ବେଶ୍ ଜଣାଶୁଣା ।


