ଧରା ପୃଷ୍ଠରେ ଦେବ ବିବାହର ଅନନ୍ୟ ପର୍ବ: ଶୀତଳ ଷଷ୍ଠୀ

ବିବାହ ଉତ୍ସବ ଏକ ପବିତ୍ର ବନ୍ଧନ ଯାହା ମନରେ ଭରିଦେଇଥାଏ ଅସୁମାରି ଆନନ୍ଦ ଓ ଉତ୍କଣ୍ଠା । ଯେବେ ପ୍ରଭୁଙ୍କ ବିବାହର ଉତ୍ସବ ପାଳନ ହୁଏ, ମନରେ ଆନନ୍ଦ ସହ ଭରିଯାଏ ଏକ ସ୍ୱର୍ଗୀୟ ଅନୁଭୂତି । ଓଡ଼ିଶାର ଶୀତଳ ଷଷ୍ଠୀ ଉତ୍ସବ ହେଉଛି ହର-ପାର୍ବତୀଙ୍କ ବିବାହ ପରମ୍ପରାର ଏକ ଅନନ୍ୟ ଉଦାହରଣ । ଏହା କେବଳ ଏକ ବିବାହ ନୁହେଁ, ଏହା ହେଉଛି ସଂସ୍କୃତି ଓ ଆଧ୍ୟାତ୍ମିକତାର ପର୍ବ । ଏ ପରମ୍ପରା ପଶ୍ଚିମ ଓଡ଼ିଶା ଏବଂ ପ୍ରମୁଖ ଭାବେ ସମ୍ବଲପୁର ଅଞ୍ଚଳରେ ବଡ଼ ଆଡ଼ମ୍ବରରେ ପାଳନ ହୁଏ । ପ୍ରଭୁଙ୍କ ବିବାହର ଦିବ୍ୟ ଅବସରକୁ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ପାଇଁ ବିଭିନ୍ନ ପାରମ୍ପରିକ ନୃତ୍ୟ, ଯାତ୍ରା, ନାଟକ ଓ ମେଳାର ଆୟୋଜନ ହୋଇଥାଏ । ଏହା ପବିତ୍ର ଶୀତଳ ଷଷ୍ଠୀ ନାମରେ ସର୍ବପରିଚିତ । ଶିବ ପୂରାଣ ଅନୁଯାୟୀ ଜ୍ୟେଷ୍ଠ ମାସ, ଶୁକ୍ଳ ପକ୍ଷ, ଷଷ୍ଠୀ ଦିନ ମହାଦେବଙ୍କ ସହ ମା’ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହି ସମୟ ଗ୍ରୀଷ୍ମତାପ ହ୍ରାସ କରି ମୌସୁମୀର ଆଗମନକୁ ସୂଚାଇଥାଏ, ପରିବେଶକୁ ଶୀତଳ କରିଥାଏ । ତଦ୍‌ଅନୁସାରେ ପର୍ବର ନାମ ଶୀତଳ ଷଷ୍ଠୀ ।

ଏହି ପର୍ବ, ବହୁ ବର୍ଷ ପୁରାତନ ପରମ୍ପରା । ପ୍ରତିବର୍ଷ ପ୍ରଭୁଙ୍କ ବିବାହ ଉତ୍ସବରେ ସାମିଲ ହେବା ପାଇଁ ରାଜ୍ୟ କୋଣଅନୁକୋଣରୁ ଭକ୍ତଙ୍କ ଭିଡ଼ ଜମିଥାଏ । କେବଳ ମନ୍ତ୍ରପାଠ ଓ ପୂଜାର୍ଚ୍ଚନା ନୁହେଁ ନିର୍ବନ୍ଧ ଠାରୁ ଆରମ୍ଭ କରି କନ୍ୟା ବିଦାୟ ପର୍ଯ୍ୟନ୍ତ ସମସ୍ତ ରୀତିନୀତିକୁ ଖୁବ୍ ଜାକଜମକରେ ପାଳନ କରାଯାଏ । ପ୍ରଭୁଙ୍କ ବିବାହର ବ୍ୟବସ୍ଥା ସମ୍ପୂର୍ଣ୍ଣ ମାନବ ବିବାହ ପ୍ରଥା ଭଳି । ୫ ଦିନଧରି ଅନୁଷ୍ଠିତ ହେଉଥିବା ବିବାହ ଉତ୍ସବର ପ୍ରସ୍ତୁତି, ମାସେ ପୂର୍ବରୁ ଅକ୍ଷୟ ତୃତୀୟାଠାରୁ ଥାଳ ଉଠା ପ୍ରଥା ସହ ଆରମ୍ଭ ହୋଇଥାଏ । 

ଏହାପରେ ପତରପେଣ୍ଡି ଉତ୍ସବ ଆରମ୍ଭ ହୁଏ । ମହାଦେବଙ୍କ ପିତା ସପ୍ତ ଋଷୀଙ୍କ ସହ ବିବାହ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥାଆନ୍ତି । ପୂର୍ବ ନିର୍ଦ୍ଧାରିତ ସ୍ଥାନ ଅନୁଯାୟୀ ସେମାନେ ପହଞ୍ଚି ସେଠାରେ ସରଗିପତ୍ର ସହ ପତରପେଣ୍ଡି ଉତ୍ସବ ବା ନିର୍ବନ୍ଧ କାର୍ଯ୍ୟ ତୁଲାଇଥାଆନ୍ତି । ଉଭୟ ବର ଓ କନ୍ୟ ପକ୍ଷ ବର କନ୍ୟାଙ୍କ ଗୁଣଗାନ କରିବା ସହ ଶେଷରେ ବିବାହ ସ୍ଥିର କରିଥାଆନ୍ତି । ପୁର୍ବ ବର୍ଷର କନ୍ୟା ମାତାପିତା ନୂତନ ବର୍ଷର କନ୍ୟା ମାତାପିତାଙ୍କୁ କନ୍ୟା ହସ୍ତାନ୍ତର କରିଥାଆନ୍ତି । ସାଧାରଣ ବିବାହ ଉତ୍ସବ ଭଳି ସ୍ଥାନୀୟ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଏ । ଦେବ ନିମନ୍ତ୍ରଣ ସହ ସମସ୍ତ ଜନସାଧାରଣଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥାଏ । ବିବାହ ଦିନ ସନ୍ଧ୍ୟାରେ ବାଜା ରୋଷଣୀ ସହ ବିଶାଳ ଶୋଭାଯାତ୍ରା ନେଇ ବର ସାଜି ଦେବଙ୍କ ଦେବ ମହାଦେବ, ବରଯାତ୍ରୀ ନେଇ ଆସନ୍ତି । ଆଗରେ ରହିଥାନ୍ତି ପ୍ରଭୁ ହନୁମାନ । ଶିବମୟ ହୋଇଉଠେ ସମଗ୍ର ସହର । ଏହି ଉତ୍ସବରେ କନ୍ୟାପିତା ଭାବେ ମା’ ପାର୍ବତୀଙ୍କ କନ୍ୟାଦାନ କରିବାର ସୁଯୋଗ ହେଉଛି ଏକ ସୌଭାଗ୍ୟ । ବୈଦିକରୀତିରେ ବିବାହ ସମ୍ପନ୍ନ ହେବାପରେ ଦେବ ଦମ୍ପତି ଶେଷରେ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରନ୍ତି । ପରିକ୍ରମା ଶେଷକରି ସୁସଜ୍ଜିତ ଅଞ୍ଚଳରେ ପହଞ୍ଚିଥାନ୍ତି । ଆତସବାଜି ଓ ନୃତ୍ୟ ସଙ୍ଗୀତ ସହ ବେଶ୍ ଜାକଜମକରେ ଉତ୍ସବ ପାଳନ ଶେଷ ହୋଇଥାଏ ଏବଂ ଶେଷରେ ହୁଏ ମନ୍ଦିର ପ୍ରବେଶ ।

ଏହାର ଇତିହାସ ଓ ପରମ୍ପରା ବହୁତ ପୁରୁଣା । ୧୬୦୦ ଶତାବ୍ଦୀରେ ସମ୍ବଲପୁରର ମହାରାଜ ବଳୀୟାର ସିଂ ଦେବ ପୁରୀ ଯାତ୍ରାରୁ ଫେରିବା ବେଳେ ସାଙ୍ଗରେ କିଛି ଶୈବ ଉପାସକ ବ୍ରାହ୍ମଣଙ୍କୁ ନେଇ ଫେରିଥିଲେ । ସେମାନେ ପ୍ରଥମେ ମହାନଦୀକୂଳରେ ଥିବା ସୋମନାଥବାବାଙ୍କ ମନ୍ଦିରରେ ଶିବ ପାର୍ବତୀଙ୍କ ବିବାହ ଆରମ୍ଭ କରିଥିଲେ । ପରେ ବାବା ବାଲୁଙ୍କେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ହେଲା ଓ ସେଠାରେ ଆରମ୍ଭ ହୋଥିଲା ଏହି ଶିବ ବିବାହର ପର୍ବ । ଏହାପରେ କ୍ରମଶଃ ବିଭିନ୍ନ ସ୍ଥାନରେ ଶୈବପୀଠ ପ୍ରତିଷ୍ଠା କରିବା ସହ ବିବାହର ସୁନ୍ଦର ପରମ୍ପରା ପ୍ରଚଳନ ହେଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ହୋଇଥିଲେ ହେଁ ଓଡ଼ିଶାର ସମସ୍ତ ଶୈବପୀଠରେ, ଶିବ ବିବାହ ଅନୁଷ୍ଠିତ ହୁଏ । ମାତା ପାର୍ବତୀ ହେଉଛନ୍ତି ପ୍ରକୃତି ଓ ଶିବ ହେଉଛନ୍ତି ପୁରୁଷ । ଏହି ଦୁହିଁଙ୍କ ମିଳନରେ ପୃଥିବୀ ପୃଷ୍ଠ ବର୍ଷାରୁ ଶୀତଳତା ପ୍ରାପ୍ତ କରେ । ଏହି ବର୍ଷାକୁ ଧାରଣ କରି ଧରଣୀ ମାତା ଶସ୍ୟଶ୍ୟାମଳା ହୋଇଥାଆନ୍ତି । ଏଣୁ ଆମ ପରମ୍ପରାରେ ଶୀତଳ ଷଷ୍ଠୀର ମାହାତ୍ମ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ।