କାର୍ତ୍ତିକ ମାସରେ ତୁଳସୀର ମାହାତ୍ମ୍ୟ

ଆମ ଉତ୍କଳ ସଂସ୍କୃତିରେ ତୁଳସୀ ଚଉଁରା ପୂଜାର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି । ଚଉଁରା କେବଳ ଏକ ପୂଜା ସ୍ଥଳ ନୁହେଁ ବରଂ ଆମ ପରମ୍ପରାର ଏକ ଜୀବନ୍ତ ଓ ଅବିଚ୍ଛେଦ୍ୟ ଅଂଶ । ଏହା ବିନା ଏକ ସମ୍ପୁର୍ଣ୍ଣ ଗୃହର ପରିକଳ୍ପନା ଅସମ୍ଭବ । ତୁଳସୀ ମା'ଙ୍କୁ ସୁଖ ସୌଭାଗ୍ୟର ପ୍ରତୀକ ଭାବେ ପୂଜା କରାଯାଏ । ପ୍ରତ୍ୟେକ ଓଡ଼ିଆ ଘରର ଦୈନନ୍ଦିନ ପୂଜା ଆରମ୍ଭ ହୁଏ ଚଉଁରା ପାଖରୁ । ବିଭିନ୍ନ ପର୍ବପର୍ବାଣୀ ତଥା ଘର ପୂଜାରେ ପବିତ୍ର ତୁଳସୀ ଗଛ ମୂଳରେ ପୂଜାର୍ଚ୍ଚନା ସହ କାର୍ଯ୍ୟାରମ୍ଭ ହୋଇଥାଏ । ପାରମ୍ପରିକ ମାହାତ୍ମ୍ୟ ସହିତ ତୁଳସୀ ବୃକ୍ଷର ଅନେକ ଉପକାରୀ ଔଷଧୀୟ ଗୁଣ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ତୁଳସୀ ପତ୍ର ଅତିପ୍ରିୟ, ବିନା ତୁଳସୀରେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ ମଧ୍ୟ କରାଯାଏ ନାହିଁ । ସେଥିପାଇଁ ମା' ବୃନ୍ଦାବତୀ ହରିପ୍ରିୟା, ବିଷ୍ଣୁ ବଲ୍ଳଭା ବୈଷ୍ଣବୀ ଆଦି ନାମରେ ପୂଜା ପାଆନ୍ତି । ପବିତ୍ର କାର୍ତ୍ତିକ ମାସରେ ତୁଳସୀ ମାଙ୍କର ବିବିଧ ପୂଜା ରହିଥାଏ ।

ଧର୍ମର ମାସ କାର୍ତ୍ତିକ ସମୟରେ ତୁଳସୀଙ୍କୁ ପୂଜା କଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଛି । ଚଉଁରା ମୂଳରେ ମୁରୁଜ ଦେଇ ପୂଜାର୍ଚ୍ଚନା ହୁଏ । ହବିଷିଆଳିମାନେ କାର୍ତ୍ତିକ ମାହାତ୍ମ୍ୟ ଶୁଣନ୍ତି । ଏହି ସମୟରେ ମା' ବୃନ୍ଦାବତୀଙ୍କ ପୂଜା କଲେ ପାପ ନାଶ ହୁଏ ଓ ମୋକ୍ଷ ପ୍ରାପ୍ତି ହୁଏ । 

କାର୍ତ୍ତିକ ମାସରେ ଶ୍ରୀଜଗନ୍ନାଥ- ଭଗବାନ ବିଷ୍ଣୁଙ୍କ ନାମ ହେଉଛି ଦାମୋଦର । ଏଣୁ ହବିଷିଆଳିମାନେ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଚଉଁରା ମୂଳରେ ଭୋଗ ଲଗାଇବା ସହ ରାଇଦାମୋଦରଙ୍କୁ ପୂଜା କରିଥାଆନ୍ତି । ପୌରାଣିକ କଥା ଅନୁଯାୟୀ ତୁଳସୀ ସର୍ବଦା ଭଗବାନ ବିଷ୍ଣୁଙ୍କ ମସ୍ତକରେ ଧାରଣ କରନ୍ତି । ହରି ନାମ ସଂକୀର୍ତ୍ତନ ସମୟରେ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଶ୍ରୀହରି ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । କାର୍ତ୍ତିକ ମାସର ପ୍ରବୋଧିନୀ ଏକାଦଶୀ ଠାରୁ ପୂର୍ଣ୍ଣିମା ମଧ୍ୟରେ ଶାଳଗ୍ରାମ ସହ ମା' ତୁଳସୀଙ୍କର ବିବାହ କରାଯାଏ । ତୁଳସୀ ମା'ଙ୍କୁ ଏହି ଦିନ ବଧୂ ବେଶରେ ସଜାଯାଇ ଧୁମ୍ ଧାମ୍‌ରେ ଉତ୍ସବ ପାଳନ କରାଯାଏ ।

କେବଳ କାର୍ତ୍ତିକ ନୁହେଁ ବର୍ଷର ପାଳିତ ହେଉଥିବା ବିଭିନ୍ନ ପ୍ରମୁଖ ପର୍ବମାନଙ୍କରେ ତୁଳସୀ ଚଉଁରା ପାଖରେ ପୂଜାବିଧିର ପରମ୍ପରା ରହିଛି ।

କୁମାରୀ ମାନଙ୍କ ପର୍ବ କୁମାର ପୂର୍ଣ୍ଣିମାରେ ସନ୍ଧ୍ୟାରେ ଖଇ, ଗୁଡ଼, ଛେନା, କଦଳୀ ସବୁ ମିଶାଇ ଚାନ୍ଦ ଚକଟା ପ୍ରସ୍ତୁତକରି ଚଉଁରା ମୂଳରେ ପୂଜା କରାଯିବାର ପରମ୍ପରା ରହିଛି । କୁଆଁରୀ 

ମାନଙ୍କ ଅନ୍ୟ ଏକ ପ୍ରମୁଖ ପର୍ବ ଜହ୍ନି ଓଷା, କୁମାର ପୂର୍ଣ୍ଣିମା ଯାଏଁ ପୁରା ମାସ ପାଳନ ହୋଇଥାଏ । ଏହି ଓଷାରେ ମୁଖ୍ୟତଃ ମା' ବୃନ୍ଦାବତୀଙ୍କୁ ପୂଜା କରାଯାଇଥାଏ । ପ୍ରତିଦିନ ସନ୍ଧ୍ୟାରେ ଚଉଁରା ମୂଳରେ ଜହ୍ନି ଅନ୍ୟାନ୍ୟ ଫୁଲ ମିଶାଇ କଳସୀ ବସାନ୍ତି ଏବଂ ମା' ବୃନ୍ଦାବତୀଙ୍କୁ ଆଞ୍ଜୁଳି ଦିଅନ୍ତି ।

ଆମ ଓଡ଼ିଆ ନବ ବର୍ଷ ପାଳନ କରାଯାଉଥିବା ମହାବିଷୁବ ସଂକ୍ରାନ୍ତି ଦିନ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ତୁଳସୀ ଚଉଁରା ଚାରିପଟେ ପାଣି ଓ ପଣା ଭର୍ତ୍ତି କରି ଠେକି ବନ୍ଧାଯାଏ । ଯାହାକୁ ବସନ୍ତରା ଠେକି କୁହାଯାଏ । ଠେକିର ତଳ ଭାଗରେ ଛୋଟ କଣା କରାଯାଇଥାଏ, ଯେଉଁଥିରୁ ଧିରେ ଧିରେ ପାଣି ଝରି ତୁଳସୀ ଗଛ ଉପରେ ପଡ଼େ । ସେ ସମୟରେ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବାରୁ ଏହା ତୁଳସୀ ମା'ଙ୍କୁ ଶୀତଳତା ପ୍ରଦାନ କରିବା ସହ ବର୍ଷାକୁ ସୂଚାଇଥାଏ ଏବଂ ଜଳ ଦାନର ପରମ୍ପରାକୁ ସୂଚାଇଥାଏ । ତୁଳସୀ ଗଛକୁ ଖରା ଦାଉରୁ ରକ୍ଷା କରିବା ପାଇଁ ଗଛ ଶାଖା କିମ୍ବା ପତ୍ରରେ ଏକ ଛାମୁଣ୍ଡିଆ ମଧ୍ୟ ତିଆରି କରାଯାଏ । ଏହି ସଂକ୍ରାନ୍ତିରେ ତୁଳସୀ ପୂଜା ଶୁଭ ଫଳ ଦେବା ସହ ଶରୀରକୁ ଶାନ୍ତି ଓ ସକାରତ୍ମକ ଶକ୍ତି ଯୋଗାଇଥାଏ ବୋଲି ବିଶ୍ୱାସ ରହିଛି । 

ଆଧ୍ୟାତ୍ମିକତା ସହ ତୁଳସୀ ଅନେକ ଔଷଧୀୟ ଗୁଣରେ ଭରପୁର । ଚାପରୁ ମୁକ୍ତି ଦେବା ସହ ବିଭିନ୍ନ ଶାରିରୀକ ରୋଗ ଓ ମାନସିକ ଅଶାନ୍ତି ଦୂର କରିଥାଏ ।