ଅନ୍ତର୍ଜାତୀୟ ମ୍ୟାଗାଜିନ୍ କଭର ପେଜ୍‌ରେ ଶିମିଳିପାଳ କଳା ବାଘ

ପ୍ରକୃତି କୋଳରେ ସବୁଜିମା ପରିବେଷ୍ଟିତ ଆମ ରାଜ୍ୟ ଓଡ଼ିଶା, କାହିଁ କେତେ ଅନନ୍ୟ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ସେ ଯେଉଁ ବି ଋତୁ ହେଉ ନା କାହିଁ ପର୍ଯ୍ୟଟନ ପାଇଁ ଓଡ଼ିଶା ପ୍ରକୃଷ୍ଟ ସ୍ଥାନ ଯୋଗାଇଦେବାରେ କେବେ ପର୍ଯ୍ୟଟକଙ୍କୁ ନିରାଶ କରିନାହିଁ । ଐତିହାସିକ କୀର୍ତ୍ତିରାଜି ଠାରୁ ଆରମ୍ଭ କରି ପ୍ରାକୃତିକ ସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥଳୀ ଆମକୁ ଆକୃଷ୍ଟ କରେ । ହେଲେ ପ୍ରକୃତି ମଧ୍ୟ କେବେ କେବେ ଚିରାଚରିତ ଧାରାରୁ ଟିକିଏ ବିରତି ନେଇ ଭିନ୍ନ ମୋଡ଼ କିଛି ସର୍ଜନା କରିଥାଏ । ଯାହା ଅବର୍ଣ୍ଣନୀୟ ଓ ଅତୁଳନୀୟ । ଏହିପରି କିଛି ପ୍ରାକୃତିକ ଦୃଷ୍ଟାନ୍ତ ମଧ୍ୟରେ ରହିଛି ଆମ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳୁଥିବା ବିରଳ ପ୍ରଜାତିର କଳା ବାଘ । ଯାହାର ଶରୀରର ପ୍ରମୁଖ ଅଂଶରେ କଳା ରଙ୍ଗର ପଟି ରହିଥାଏ ଯାହା ସାଧାରଣ ବାଘ ଠାରୁ ଏହାକୁ ଭିନ୍ନ ରୂପ ଦିଏ । ଏହି ବର୍ଣ୍ଣ ବିଚିତ୍ର ଦୁର୍ଲଭ ପ୍ରଜାତି ବିରଳ ।

ପ୍ରକୃତିର ଏପରି ଏକ ସୁନ୍ଦର ବ୍ୟତିକ୍ରମ ଆମ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଲଟିଛି । ନିକଟ ଅତୀତରେ ପ୍ରକୃତି ଓ ବନ୍ୟ ଜଗତ ଆଧାରିତ ଜଣାଶୁଣା ଟିଭି ଚ୍ୟାନେଲ୍ ନ୍ୟାସ୍‌ନାଲ୍ ଜୋଗ୍ରାଫିକ୍ ନିଜର ପତ୍ରିକାର ଅକ୍ଟୋବର ମାସ ସଂସ୍କରଣ ପାଇଁ ଆମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଦେଖିବାକୁ ମିଳୁଥିବା କଳାବାଘର ଫୋଟୋକୁ ମନୋନୀତ କରିଛନ୍ତି । ମେଲାନିଷ୍ଟିକ୍ ଟାଇଗର୍ କୁହାଯାଉଥିବା ରୟାଲ୍ ବେଙ୍ଗଲ୍ ଟାଇଗର୍‌ର ଏହି ଭିନ୍ନ ପ୍ରଜାତି ପାଇଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । 

କଳାବାଘର ପ୍ରାକୃତିକ ଆବାସସ୍ଥଳୀ ଭାବେ ବିଶ୍ୱସ୍ତରୀୟ ମ୍ୟାଗାଜିନ୍‌ର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇବା ଓଡ଼ିଶା ପାଇଁ ଗର୍ବର ବିଷୟ । ମ୍ୟାଗାଜିନ୍‌ରେ ପ୍ରକାଶ ପାଇବା ପରେ ଓଡ଼ିଶାର ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଗଣିତ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରିପାରିଛି । ଏହି ଅନ୍ତର୍ଜାତୀୟ ସ୍ୱୀକୃତି ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ତଥା ପର୍ଯ୍ୟଟନ ଶିଳ୍ପକୁ ନିଶ୍ଚିତ ଏକ ନୂତନ ଦିଗ ଦେବ । ଏହା ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରୁ ବନ୍ୟଜୀବ ପ୍ରେମୀ ତଥା ବନ୍ୟ ସଂରକ୍ଷକଙ୍କୁ ଆକୃଷ୍ଟ କରୁଛି । 

ନ୍ୟାସ୍‌ନାଲ୍ ଜୋଗ୍ରାଫିକ୍‌ର କଭର୍ ପେଜ୍‌ରେ ଆମ ଶିମିଳିପାଳର ବାଘର ସ୍ୱତନ୍ତ୍ର ଫୋଟୋଟିଏ ସ୍ଥାନିତ କରିବା ପଛରେ ରହିଛି ଭାରତୀୟ ୱାଇଲ୍ଡଲାଇଫ୍ ଫୋଟୋଗ୍ରାଫର୍ ପ୍ରସନ୍ନଜିତ୍ ଯାଦବ୍‌ଙ୍କ କଠିନ ପରିଶ୍ରମ । ଏହି ବାଘର ଠିକ୍ ସଟ୍ ନେବା ଏତେ ସହଜ ନଥିଲା । ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟର ଗବେଷଣା ଓ ସନ୍ଧାନ ଓ ଧୈର୍ଯ୍ୟପୂର୍ଣ୍ଣ ଅପେକ୍ଷା ପରେ ବାଘର ଫୋଟୋ ନିଆଯାଇଥିଲା । ଏହାର ଫୋଟୋ ନେବା ସହ ପ୍ରସନ୍ନଜିତ୍ ଏହାର କାହାଣୀ ମଧ୍ୟ ବର୍ଣ୍ଣନା କରିଛନ୍ତି ଯାହାର ଶୀର୍ଷକ ରହିଛି - ''ଦ ଟାଇଗର୍ ହୁ ଚେଞ୍ଜେସ୍ ଦେୟାର୍ ଷ୍ଟ୍ରିପସ୍'' । 

ଏହି ସ୍ୱତନ୍ତ୍ର ପ୍ରଜାତିର ବାଘଙ୍କୁ 'ସୁଡ଼ୋ-ମେଲାନିଷ୍ଟିକି୍ ଟାଇଗର୍' କୁହାଯାଏ । ଜିନ୍ ଗତ ପରିବର୍ତ୍ତନ କାରଣରୁ ଏହି ବାଘମାନଙ୍କ ଶରୀରର ଅଧିକାଂଶ ଅଂଶ କଳା ରହିଥାଏ । ଅଭୟାରଣ୍ୟରେ ପାଖାପାଖି ୩୦ଟି ବାଘ ଅଛନ୍ତି ।  ଅଲ୍ ଓଡ଼ିଶା ଟାଇଗର୍ ଏଷ୍ଟିମେସନ୍ ରିପୋର୍ଟ ୨୦୨୩-୨୪ ଅନୁସାରେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୩ଟି ମେଲାନିଷ୍ଟିକ୍ ଟାଇଗର୍ ଅଛନ୍ତି ।

ଜଣେ ମଲିକ୍ୟୁଲାର୍ ଇକୋଲୋଜିଷ୍ଟ୍ ଭାବେ କାମ କରିବା ପରେ ନ୍ୟାସ୍‌ନାଲ୍ ଜୋଗ୍ରାଫିକ୍‌ର ଫୋଟୋଗ୍ରାଫର୍ ଭାବେ ଯୋଗ ଦେଇଥିବା ପ୍ରସନ୍ନଜିତ୍‌ଙ୍କ ଫୋଟୋ ମ୍ୟାଗାଜିନ୍‌ର କଭର୍ ପେଜ୍‌ରେ ସ୍ଥାନ ପାଇବା ଭାରତ ପାଇଁ ଗୌରବର ବିଷୟ । ୧୩୫ ବର୍ଷ ପୁରାତନ ଏହି ପ୍ରତିଷ୍ଠିତ ପତ୍ରିକାରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ମେଲାନିଷ୍ଟିକ୍ ଟାଇଗର୍ ସ୍ଥାନ ପାଇବା, ଓଡ଼ିଶାକୁ ବିଶ୍ୱ ମଞ୍ଚରେ ଉଦ୍‌ଭାସିତ କରିପାରିଛି । ଏହି ସ୍ୱୀକୃତି ପ୍ରାୟ ୨,୭୦୦ ବର୍ଗ କି.ମି ପରିବ୍ୟାପ୍ତ ଶିମିଳିପାଳର ସମୃଦ୍ଧ ଜୈବ ବିବିଧତା ଏବଂ ଏହାର ସଂରକ୍ଷଣ ପାଇଁ ଆମ ରାଜ୍ୟବାସୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିପାରିଛି ।