ପ୍ରାଚୀନ ସଂସ୍କୃତିର ନିଆରା ଛାପ- ସଉରା ଚିତ୍ରକଳା

ଆଦିମାନବ କାଳରୁ ଅଭିବ୍ୟକ୍ତିର ସର୍ବ ପ୍ରଥମ ମାଧ୍ୟମ ହେଉଛି ଚିତ୍ରକଳା। ପୁରାତନ ସଭ୍ୟତାରୁ ଆରମ୍ଭ କରି ଆର୍ଯ୍ୟ ଓ ଦ୍ରାବିଡ଼ ଓ ରାଜାରାଜୁଡ଼ାଙ୍କ ସମୟରେ ସବୁଠି  ପ୍ରଚଳିତ ସାମାଜିକ ପ୍ରଥା, କୀର୍ତ୍ତି   ତଥା ଉପଲବ୍ଧି ଆଦିକୁ ସାଇତି ରଖିବା ପାଇଁ ଚିତ୍ରକଳାର ବ୍ୟବହାର ହୋଇ ଆସିଛି। ସଂସ୍କୃତି ଓ ସଭ୍ୟତାର ଏହି ଛବିଳ ପରିପ୍ରକାଶ ସଭ୍ୟତାର ଇତିହାସ ବର୍ଣ୍ଣନା କରିବା ସହ ଲୋକଙ୍କୁ ଆକୃଷ୍ଟ ମଧ୍ୟ କରିଥାଏ। ଏହିପରି ପୁରାତନ ଚିତ୍ରକଳା ମଧ୍ୟରେ ଓଡ଼ିଶାର ସଉରାଙ୍କ ଚିତ୍ରକଳା ଅନ୍ୟତମ। ଆଞ୍ଚଳିକ କଳାକୃତି ଗୁଡ଼ିକରେ ପ୍ରମୁଖ ଭାବେ ମାନବ ଜୀବନରେ ପ୍ରକୃତିର ସମ୍ପର୍କକୁ ଦର୍ଶାଇଥାନ୍ତି। ସଉରାମାନେ ଭାରତର ସବୁଠାରୁ ପ୍ରାଚୀନ ଜନଜାତି ମଧ୍ୟରୁ ଗୋଟିଏ, ଯେଉଁମାନେ ଓଡ଼ିଶାର ଦକ୍ଷିଣ ଭାଗରେ ବାସ କରନ୍ତି। ସ୍ୱତନ୍ତ୍ର ଆଦିବାସୀ ସଂସ୍କୃତି ଏବଂ ପ୍ରକୃତି ସହ ଗଭୀର ଭାବରେ ଜଡ଼ିତ ଏହି ଜନଜାତି, ସେମାନଙ୍କର କଳା ପାଇଁ ଜଣାଶୁଣା।

ସଉରା କଳାକୃତିରେ ଥିବା ଚିତ୍ରଗୁଡ଼ିକରେ ଜନଜାତିର ଦୈନନ୍ଦିନ ଜୀବନରେ ବୃକ୍ଷ ଲତା, ସୂର୍ଯ୍ୟ, ଚନ୍ଦ୍ର ଆଦି ଦେବତା, ଘୋଡ଼ା, ହାତୀ ଆଦି ପଶୁପକ୍ଷୀ ପର୍ବ ପର୍ବାଣି ଆଦିର ମହତ୍ତ୍ୱକୁ ପ୍ରତୀକାତ୍ମକ ଛବିରେ ଉପସ୍ଥାପନ କରିଥାଆନ୍ତି। ସଉରା କଳାରେ ପାରମ୍ପରିକ ଭାବରେ ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ଲାଲ କିମ୍ବା ବାଦାମୀ ରଙ୍ଗର ମାଟି କାନ୍ଥରେ ଅଙ୍କାଯାଏ। ଏହା ଉପରେ ବାଉଁଶରେ ତିଆରି ତୂଳୀ ମାଧ୍ୟମରେ ଚାଉଳ ଚୂନା, ଧଳା ପଥର, ଫୁଲ ଓ ପତ୍ରର ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଚିତ୍ର ଅଙ୍କା ଯାଏ। ସଉରାମାନେ ଏହି ଚିତ୍ରକଳା ଦେବତା ଓ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥାଆନ୍ତି, ଯେଉଁ ପରମ୍ପରା "ଇଡ଼ିତାଲ" ଭାବରେ ଜଣାଶୁଣା। ସଉରା ଜନଜାତିର ଲୋକମାନେ ବିଶେଷ କରି ଫସଲ ଅମଳ, ବିବାହ, ସନ୍ତାନ ଜନ୍ମ ଆଦି ସ୍ୱତନ୍ତ୍ର ଅବସରରେ ଏହି ପୂଜା କରିଥାଆନ୍ତି। ଇଡ଼ିତାଲ ଆଙ୍କି ପୂଜା କରିବା ପରେ ହିଁ ଏହି ସମୁଦାୟର ଚାଷୀମାନେ ବିହନ ବୁଣିବାକୁ ଯାଇଥାଆନ୍ତି କାରଣ ଇଡ଼ିତାଲ ପୂଜା କଲେ ଭଲ ଫସଲ ଅମଳ ହେବାର ବିଶ୍ୱାସ ରହିଛି।

ଏହାର ଆଉ ଏକ ବିଶେଷତ୍ବ ହେଉଛି "ଫିଶ୍ ନେଟ୍"

ପ୍ରଣାଳୀ। ଚିତ୍ର ପାଇଁ ପ୍ରଥମେ ସରୁ ଧାରରେ କେନ୍ଦ୍ରକୁ ମୁନିଆ କରି ଚିତ୍ର ଆକାର ଅଙ୍କାଯାଏ ଏହାପରେ ସତର୍କତାର ସହିତ ସେହି ଅଙ୍କିତ ଆକାର ଭିତରେ ରଙ୍ଗ ଭରାଯାଏ। ଯାହା ଚିତ୍ରକୁ ଏକ ଭିନ୍ନ ଏବଂ ସୁନ୍ଦର ଆକୃତି ଦିଏ।

ପୂର୍ବରୁ ସଉରା ଚିତ୍ରକଳା କେବଳ ମାଟି କାନ୍ଥରେ ଅଙ୍କା ଯାଉଥିଲା, ଯାହାକୁ 'ୱାଲ୍‌ ମୁରାଲ୍‌ ଷ୍ଟାଇଲ୍ ଅଫ୍ ପୈଟିଂ' କୁହାଯାଏ। ଆଜିକାଲି ଚିତ୍ର କଳାକାରମାନେ କାଗଜ, କାନ୍‌ଭାସ୍, କପଡ଼ା, ଶାଢ଼ୀ, ଖାତା, କଭର୍ ପେଜ୍, ହୋର୍ଡ଼ିଂ ଆଦି ମାଧ୍ୟମରେ ପ୍ରିଣ୍ଟ, ଆକ୍ରିଲିକ୍ ରଙ୍ଗ, କ୍ଳେ, କଲମ ଓ କାଳି ବ୍ୟବହାର କରି ନୂତନ ଉପାୟରେ ଚିତ୍ର ଆଙ୍କୁଛନ୍ତି। ପାରମ୍ପରିକ ବିଷୟବସ୍ତୁ ଛଡ଼ା ଏହି ଚିତ୍ରରେ ଆଧୁନିକ ବିଷୟବସ୍ତୁ ମାଧ୍ୟମରେ ଆଧୁନିକ ଜୀବନଶୈଳୀକୁ ଦର୍ଶାଯାଇଥାଏ ଯାହା ପାରମ୍ପରିକ କଳାକୁ ଆଧୁନିକ ଛାପରେ ଏକ ଆକର୍ଷଣୀୟ ରୂପ ଦେଇଥାଏ। ପୁରାତନ ଶୈଳୀରେ ଅଙ୍କିତ ଚିତ୍ରଗୁଡିକୁ ବିଭିନ୍ନ ଯାନବାହନ, ରାସ୍ତା ଏବଂ ଘରୋଇ ସାଜସଜ୍ଜାରେ ବ୍ୟବହୃତ ସାମଗ୍ରୀରେ ଦେଖିବାକୁ ଖୁବ ସୁନ୍ଦର ଲାଗିଥାଏ।

ସଉରା ଚିତ୍ରକଳା ସହ ଭାରତର ଆଉ ଏକ ଆଦିବାସୀ କଳା "ୱାର୍ଲି" ର ସାମଞ୍ଜସ୍ୟ ରହିଛି। ଉଭୟ କଳାରେ ସମାନ ପ୍ରକାରର ଜ୍ୟାମିତିକ ଆକୃତି ଓ ମାଟିଆ ରଙ୍ଗ ବ୍ୟବହୃତ ହୋଇଥାଏ, ଯାହା ଦ୍ୱାରା ସେମାନଙ୍କୁ ଚିହ୍ନଟ କରିବା ହଠାତ ସହଜ ହୁଏନାହିଁ। ତଥାପି ଦୁଇଟି କଳା ମଧ୍ୟରେ କିଛି ସୂକ୍ଷ୍ମ ପାର୍ଥକ୍ୟ ରହିଛି, ଯାହା ସେମାନଙ୍କୁ ଭିନ୍ନ କରିଥାଏ। ସଉରା କଳାରେ ପୁରୁଷ ଓ ମହିଳା ଆକୃତି ମଧ୍ୟରେ କୌଣସି ଶାରୀରିକ ପାର୍ଥକ୍ୟ ଦେଖାଯାଏ ନାହିଁ। ହେଲେ "ୱାର୍ଲି" ତୁଳନାରେ ସଉରା ଚିତ୍ରଗୁଡ଼ିକର କୋଣ ବେଶି ମୁନିଆ ହୋଇନଥାଏ। ଏହି ଚିତ୍ରରେ ମାନବ ଶରୀରର ମୁଣ୍ଡ ମୁହାଁମୁହିଁ ତୀକ୍ଷ୍ଣ ତ୍ରିଭୁଜ ଦ୍ୱାରା ଯୋଡ଼ାଯାଇଥାଏ। ଆକୃତିଗୁଡ଼ିକ "ୱାର୍ଲି" ଚିତ୍ର ତୁଳନାରେ ଅଧିକ ବଡ଼ ଏବଂ ଲମ୍ବା ହୋଇଥାଏ। 

ଏହି ଆଞ୍ଚଳିକ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗୋଳିକ ଉତ୍ପତ୍ତି ଦୃଷ୍ଟିରୁ ହସ୍ତକଳା ବର୍ଗରେ "ଜିଆଇ ଟ୍ୟାଗ୍" ପ୍ରଦାନ କରାଯାଇଛି। ଏହା ଆଦିବାସୀଙ୍କ ନିଆରା ଚିତ୍ରକଳାକୁ ଭବିଷ୍ୟତ ପିଢ଼ି ପାଇଁ ସୁରକ୍ଷିତ ରଖିବ। ସଉରା କଳା କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ଜନଜାତି ଜୀବନର ଦୈନନ୍ଦିନ ଜୀବନ କଥା ଓ ସଂସ୍କୃତିକୁ ସରଳ ଭାବରେ ପ୍ରକାଶ କରେ। ଭାରତର ସବୁଠାରୁ ଆକର୍ଷଣୀୟ ଆଦିବାସୀ କଳାମାନଙ୍କ ମଧ୍ୟରୁ "ସଉରା ଚିତ୍ରକଳା" ଅନ୍ୟତମ, ଯାହା ଭାରତର ସାଂସ୍କୃତିକ ବିବିଧତାକୁ ଆହୁରି ସମୃଦ୍ଧ କରେ ।