ପ୍ରକୃତି କୋଳରେ ପୂଜିତ ବାବା ପଞ୍ଚଲିଙ୍ଗେଶ୍ୱର

ସବୁଜ ବନାନୀ ଘେରା ପ୍ରକୃତିର କୋଳରେ ଝରି ଯାଇଛି ସୁନ୍ଦର ଝରଣା । ଚାରିପଟେ ଛୋଟ ବଡ଼ ପାହାଡ଼ ମଝିରେ ଲୁଚକାଳି ଖେଳୁଥିବ ଭାସମାନ ମେଘ ଖଣ୍ଡ । ଖରା ଛାଇର ଖେଳ ମଝିରେ ସବୁଜିମାର ସୁନ୍ଦର ରଙ୍ଗ ମନରେ ଶାନ୍ତି ଭରିଦେବ । ଏହାଭିତରେ ଝରଣା କେଉଁଠି ସଂକୀର୍ଣ୍ଣ ରାସ୍ତା ତିଆରି କରିଛି ତ ପୁଣି କେଉଁଠି ପଥର ଖଣ୍ଡ କାଟି ବିସ୍ତୀର୍ଣ୍ଣ ଶଯ୍ୟାରେ କୁଳୁକୁଳୁ ହୋଇ ବୋହିଯାଇଛି । ଝରଣା କଡ଼େ କଡ଼େ ପାଖାପାଖି ୨୫୦ ରୁ ୩୦୦ ଛୋଟ ପାହାଚ । ଏଇ ପାହାଚ ଅତିକ୍ରମ କଲେ ଆପଣ ପହଞ୍ଚିଯିବେ ଓଡ଼ିଶାର ଜଣାଶୁଣା ଶୈବ ପୀଠ ପଞ୍ଚଲିଙ୍ଗେଶ୍ୱରଠାରେ ।
ଠାକୁର ଦର୍ଶନ ପାଇଁ ଏଠି ଆପଣଙ୍କୁ କୌଣସି ମନ୍ଦିର ଭିତରକୁ ଯିବାର ଆବଶ୍ୟକତା ନାହିଁ । ଶିବ-ଲିଙ୍ଗ ଏଠି ପଥର ଫାଙ୍କରେ ବିଦ୍ୟମାନ । ପାଞ୍ଚଟି ଲିଙ୍ଗ ଥିବାରୁ ଏହା ପଞ୍ଚଲିଙ୍ଗେଶ୍ୱର ଭାବେ ନାମିତ । ଏହି ଶିବ ଲିଙ୍ଗ ଉପରେ ପ୍ରଭାବିତ ହେଉଥାଏ ଅନବରତ ଜଳଧାରା । ଝରଣା ପାଣି ଭିତରେ ପଶି ପଥର ଉପରେ ଶୋଇ ଏହା ଭିତରେ ଥିବା ଲିଙ୍ଗକୁ ସ୍ପର୍ଶକରି ଏଠି ପ୍ରଭୁଙ୍କ ଦର୍ଶନ କରାଯାଏ । ବାସ୍ତବରେ ଅଧ୍ୟାତ୍ମିକତାରେ ପୂର୍ଣ୍ଣ ଏପରି ଏକ ପୂଜା ସ୍ଥଳ ଅନ୍ୟ କୌଣସିଠାରେ ଦେଖିବାକୁ ମିଳିବ ନାହିଁ ।
ନୀଳଗିରି ପର୍ବତ ନିକଟସ୍ଥ ଦେବଗିରି ପାହାଡ଼ ଉପରେ ଥିବା ପବିତ୍ର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ପ୍ରସିଦ୍ଧ ତୀର୍ଥ ତଥା ପର୍ଯ୍ୟଟନସ୍ଥଳ । ନିରନ୍ତର ଜଳସ୍ରୋତ ମଧ୍ୟରେ ପ୍ରଭୁ ବିଦ୍ୟମାନ । ପାଖରେ ଥିବା ପ୍ରସ୍ତର ଶଯ୍ୟାରେ ପୂଜାର୍ଚ୍ଚନା କରାଯାଏ । ପୂର୍ବକାଳରେ ଏହା ରାଜା ବାଣାସୁରଙ୍କ ରାଜଧାନୀ ଥିଲା । ସେ ଶାସନ କରୁଥିବା ସମୟରେ ଏହି ପାଞ୍ଚଟି ଶିବଲିଙ୍ଗ ପ୍ରତିଷ୍ଠା ହୋଇଥିବାର ପୁରାଣରେ ବର୍ଣ୍ଣନା ରହିଛି । ପଞ୍ଚଲିଙ୍ଗେଶ୍ୱର ମନ୍ଦିରର ଆଉଟିକେ ଉପର ପାଶ୍ୱର୍କୁ ବଣଦେବୀଙ୍କ ମନ୍ଦିର । ଏହା ସମ୍ମୁଖରେ ଛୋଟ ହ୍ରଦଟିଏ ରହିଛି । ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ଏହି ହ୍ରଦ କୌଣସି ଜଳ ସ୍ରୋତ ସହ ସଂଯୋଗ ହୋଇନାହିଁ, ସ୍ୱତଃ ଜଳ କ୍ଷରଣ ହୋଇଥାଏ । ଶ୍ରାବଣ ମାସ ହେଲେ ଜଳ ଅର୍ପଣ କରିବା ପାଇଁ ଏଠି କାଉଡ଼ିଆଙ୍କର ଭିଡ଼ ଜମିଥାଏ । ଏଠାରେ ମହାଶିବରାତ୍ରି ମଧ୍ୟ ଜାକଜମକରେ ପାଳନ କରାଯାଏ । କେବଳ ଓଡ଼ିଶା ନୁହେଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ମଧ୍ୟରେ ବି ଏହି ସ୍ଥାନର ଲୋକପ୍ରିୟତା ରହିଛି । ପର୍ଯ୍ୟଟକଙ୍କ ବିଶ୍ରାମ ଓ ରାତ୍ରିଯାପନ ପାଇଁ ଏଠି ସମସ୍ତ ପ୍ରକାରର ସୁବିଧା ସହ ମନ୍ଦିର ପାଦଦେଶରେ ପାନ୍ଥଶାଳା ରହିଛି । ବାଲେଶ୍ୱରଠାରେ ପହଞ୍ଚିଲେ ଆପଣଙ୍କୁ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିବାକୁ ପ୍ରାୟ ୩୦ କିଲୋମିଟର ଯିିବାକୁ ହେବ । ଏଠାରେ ଦର୍ଶନ ସାରି ଅନ୍ୟାନ୍ୟ ପାଖାପାଖି ଅଞ୍ଚଳକୁ ବୁଲିବାକୁ ଯାଇପାରିବେ । ନୀଳଗିରି ଜଗନ୍ନାଥ ମନ୍ଦିର, ଚାନ୍ଦିପୁର, ଭୁଷଣ୍ଡେଶ୍ୱର, ଚନ୍ଦନେଶ୍ୱର, କୁଲଡ଼ିହା ଅଭୟାରଣ୍ୟ ଇତ୍ୟାଦି ଭଳି ବିଭିନ୍ନ ସୁନ୍ଦର ଓ ଦର୍ଶନୀୟ ସ୍ଥାନ ରହିଛି । ବର୍ଷ ତମାମ ଏହି ସବୁ ସ୍ଥାନରେ ଦର୍ଶକଙ୍କ ଗହଳି ଲାଗି ରହିଥାଏ ।
ଏଣୁ ପବିତ୍ର ଶ୍ରାବଣ ମାସରେ ଓଡ଼ିଶାର ପ୍ରସିଦ୍ଧ ତଥା ଅନନ୍ୟ ଶୈବପୀଠରେ ପ୍ରଭୁଙ୍କ ଦର୍ଶନ ଅତିଥୀଙ୍କୁ ନିହାତି ଏକ ଭିନ୍ନ ଅନୁଭୂତି ଆଣିଦେବ । ଆଧ୍ୟାତ୍ମିକତାର ପରିବେଶ ସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଗନ୍ତାଘର ମନରେ ଦିବ୍ୟ ଭାବନା ଜାଗ୍ରତ କରିବା ସହ ମନୋରଞ୍ଜନ ଯୋଗାଇବ ।




