ଫୁଲରୁ ପ୍ରସ୍ତୁତ ସୁଆଦିଆ ବ୍ୟଞ୍ଜନ

ଆମେ ଓଡ଼ିଆ, ଆମ ଖାଇବା ଭାରି ବଢ଼ିଆ! ଅନେକ ପାରମ୍ପରିକ ଖାଦ୍ୟରେ ପରିପୁଷ୍ଟ ଆମ ଓଡ଼ିଆ ଖାଦ୍ୟ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିଜର କିଛି ନା କିଛି ସ୍ୱତନ୍ତ୍ର ଖାଇବା ରହିଛି । କଥାରେ ଅଛି ନା..ଯେଉଁ ଜାଗା ଯାଇ, ସେଇ ଫଳ ଖାଇ । ଦୈନନ୍ଦିନ ଜୀବନରେ ପରିବା ପତ୍ର ତ ସବୁ ଖିଆ ହେଉଛି ହେଲେ ସେଇ ଗଛରେ ଫୁଟିଥିବା ରଙ୍ଗ ବେରଙ୍ଗ ଫୁଲକୁ ତୋଳି ଖାଇବାର ମଜା ପୁରା ନିଆରା। ଖାଲି ଓଡ଼ିଶାରେ ନୁହେଁ ବାହାରେ ମଧ୍ୟ ବିଭିନ୍ନ ଫୁଲକୁ ଖାଇବାରେ ବ୍ୟବହାର କରାଯାଉଛି । ଓଡ଼ିଶାର ବିଭିନ୍ନ ଜାଗାରେ ମିଳୁଥିବା ଫୁଲକୁ ସ୍ଥାନୀୟ ଅଧିବାସୀମାନେ ବିଭିନ୍ନ ଉପାୟରେ ରାନ୍ଧିକରି ଖାଇଥାନ୍ତି । ସେ ଭିତରୁ କିଛି ଜଣା ଶୁଣା ଫୁଲର ରନ୍ଧା ଓ ଉପକାରିତା ବିଷୟରେ ଜାଣିବା ।
ଅଶୋକ ଫୁଲ
ଅଶୋକ ଆମ ରାଜ୍ୟର ପ୍ରମୁଖ ଫୁଲ । ଗାଢ଼ କମଳା ରଙ୍ଗର ଅଶୋକ ଫୁଲ ଦେଖିବାକୁ ଯେମିତି ଆକର୍ଷଣୀୟ ଗୁଣରେ ବି ସେମିତି ଉପାଦେୟ । ଆମ ଓଡ଼ିଶାର ପିଠା ପଣା ସଂସ୍କୃତି କାହିଁ ପୁରୁଣା । ଭିନ୍ନ ରକମ ପିଠା ମଧ୍ୟରେ ଅଶୋକ ଫୁଲ ଦିଆ ପୋଡ଼ ପିଠା ବି ରହିଛି । ଏହା ବିଷୟରେ ବୋଧହୁଏ ବେଶି ଜଣ ଜାଣନ୍ତି ନାହିଁ । ଅଶୋକାଷ୍ଟମୀରେ ଶିବଙ୍କ ପାଖରେ ପୂଜା କରାଯାଏ ଅଶୋକ ଫୁଲ। ଶୋକ ନିବାରଣ କରୁଥିବାରୁ ଏହାର ଅଶୋକ ନାମକରଣ ହୋଇଥିବାର ବିଶ୍ୱାସ ଅଛି । ଖାଲି ଫୁଲ ନୁହେଁ, ପୌରାଣିକ କାହାଣୀ ସହ ସଂଯୋଗ ଥିବା ଅଶୋକ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଥିପାଇଁ ଏହାକୁ ଖାଇବାରେ ବ୍ୟବହାର କରାଯାଉଛି । ଖାସ୍ କରି ମହିଳା ମାନଙ୍କ ପାଇଁ ଅଶୋକ ଗଛର ଉପାଦେୟତା ଖୁବ୍ ଅଧିକ ।
କଖାରୁ ଫୁଲ
କଖାରୁ ଫୁଲ କଥା ପଡ଼ିଲେ ମନକୁ ଆସେ ସାନ ବେଳେ ଘର ଛାତ ଉପରୁ ନହେଲେ ବାଡ଼ି ପଛପଟେ ଥିବା କଖାରୁ ଗଛରେ ଫୁଟୁଥିବା ତାଜା ଫୁଲ । ତାକୁ ତୋଳି ଆଣି କେବେ ପିଠଉ ଦେଇ ଭଜା ହେଲାଣି ତ ପୁଣି କେବେ ପୁର ଦିଆ ଭଜା । କିଛି ନହେଲେ ଚୁନା ଚୁନା କାଟି ସାଧା ଫୁଲ ଭଜା ପଖାଳ ସାଙ୍ଗରେ ଖାଇବାର ତୃପ୍ତି ଅଲଗା । ଆଣ୍ଟି ଅକ୍ସିଡ଼ାଣ୍ଟରେ ଭରପୁର କଖାରୁ ଫୁଲରେ ରହିଛି ଆଇରନ୍, କ୍ୟାଲ୍ସିୟମ୍, ପୋଟାସିୟମ୍ ଭଳି ମିନେରାଲ୍ । ଏଥିରେ ଅଛି ଭିଟାମିନ୍ ଏ, ସି, ଫୋଲିକ୍ ଏସିଡ୍, ଯାହା, ହାଡ଼ ମଜବୁତ୍ କରେ, ରୋଗ ପ୍ରତିରୋଧକ ଶକ୍ତି ଓ ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଏ ।
ଅଗସ୍ତି ଫୁଲ
ଅଗସ୍ତି ଗଛର ମାହାତ୍ମ୍ୟ ଓଡ଼ିଶାରେ ବେଶ୍ ଅଧିକ ରହିଛି । କାର୍ତ୍ତିକ ମାସରେ ହବିଷିଆଳୀ ମାନେ ଅଗସ୍ତି ଫୁଲକୁ ତଥା ପତ୍ରକୁ ବିଭିନ୍ନ ପ୍ରକାରର ରୋଷେଇ କରି ଖାଇଥାନ୍ତି । ଅଗସ୍ତି ପତ୍ରକୁ ପ୍ରାୟତଃ ଖରଡ଼ା କରିବା ସହ ଫୁଲକୁ ପିଠଉ ଦେଇ ଭଜା କରାଯାଏ । କ୍ୟାଲ୍ସିୟମ୍ ଆଇରନ୍ ଭିଟାମିନ୍ ବି ଆଦି ପାଇଁ ଅଗସ୍ତି ଫୁଲ ଏକ ଭଲ ମାଧ୍ୟମ । ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଇନ୍ଫ୍ଲାମେଟୋରୀ ଓ ଆଣ୍ଟି-ମାଇକ୍ରୋବିଆଲ୍ ଉପାଦାନ ରହିଛି । ଏଣୁ ଆମ ପାରମ୍ପରିକ ଆୟୁର୍ବେଦିକ୍ ଔଷଧରେ ଅନ୍ଧାରକଣା, ଯକୃତ ରୋଗ ଓ ଅର୍ଦ୍ଧକପାଳି ଭଳି ରୋଗର ଉପଚାର ପାଇଁ ଅଗସ୍ତି ଫୁଲର ବ୍ୟବହାର କରାଯାଇଥାଏ ।
ସଜନା ଫୁଲ
ଓଡ଼ିଆ ଘର ମାନେ ନିଜ ବଗିଚାରେ ନହେଲେ ପାଖ ପଡ଼ିଶା ବାରିରେ ସଜନା ଗଛଟେ ନିହାତି ଦେଖିବାକୁ ପାଇବେ । ଆଉ ଓଡ଼ିଆ ଖାଦ୍ୟ କହିଲେ ସଜନା ଛୁଇଁ, ଶାଗ ଓ ଫୁଲ ବିନା ବୋଧେ ଭାବି ହେବ ନାହିଁ । ପଖାଳ ହେଉ କି ଗରମ ଭାତ, ସଜ ତୋଳା ସଜନା ଫୁଲ ଭଜା ସହ ଖାଇବାକୁ ଭାରି ଶାନ୍ତି ଲାଗେ । କେତେବେଳେ ପିଠଉ ଦିଆ ଭଜା ହୁଏ ତ ପୁଣି କେବେ ଫୁଲ ବରା ନହେଲେ ପତୁଆ । ଛୁଆଠୁ ବଡ଼ ସଜନା ଫୁଲ କାହାକୁ ବା ନ ପସନ୍ଦ! ରୋଷେଇ ଘରେ ଭଜା ହେଲା ମାନେ ତାୱାରୁ ସିଧା ପେଟକୁ ଯାଏ । ଭାତ ସହ ଖାଇବା ପାଇଁ ବଳେ ହିଁ ନାହିଁ । ସଜନା ଫୁଲରୁ ଭିଟାମିନ୍ ଏ,ସି,ଇ ତଥା କ୍ୟାଲ୍ସିୟମ୍, ପୋଟାସିୟମ୍ ଓ ଆଇରନ୍ ଭଳି ଖଣିଜ ତତ୍ତ୍ୱ ମିଳେ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ । ପାଚନ ଶକ୍ତି ବୃଦ୍ଧି କରିବା ସହ ଚର୍ମ ହାଡ଼ ଓ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ ।
କଦଳୀ ଭଣ୍ଡା
ଘର ମାନଙ୍କରେ କଦଳୀ କାନ୍ଧି ପଡ଼ିଲା ମାନେ ମନ ଲାଗି ରହିଥାଏ କେମିତି କଦଳୀ ଭଣ୍ଡାଟି ତୋଳା ହେବ । ଛନଛନିଆ ସବୁଜ କଦଳୀ କାନ୍ଧି ମଝିରେ ଗାଢ଼ ବାଇଗଣୀ ରଙ୍ଗର କଦଳୀ ଭଣ୍ଡା ଭାରି ମନଲୋଭା ଲାଗେ । ପାଖୁଡ଼ା ଛଡ଼େଇ ଗୋଟି ଗୋଟି ଫୁଲ କେଶର କାଢ଼ିବା, ବଡ଼ ପଟୁଆର ଆଉ କଷ୍ଟ ଲାଗେ, ହେଲେ ରାଇ ହୋଉ କି ଭଜା... ଖାଇବା ତିଆରି ହୋଇଗଲା ପରେ ତା’ ସ୍ୱାଦରେ ମନ ଭରିଯାଏ । ଏଥିରେ କ୍ୟାଲ୍ସିୟମ୍ ଆଇରନ୍ ଓ ତନ୍ତୁ ଜାତୀୟ ଉପାଦାନ ଭରପୁର ରହିଛି । ଏହା ଓଜନ ସନ୍ତୁଳନ ବଜାୟ ରଖିବା ସହ ସହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ଏହା ସହ ମାନସିକ ଦୁଶ୍ଚିନ୍ତା, ଚାପ ଓ ରକ୍ତ ଶର୍କରା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ କଦଳୀ ଫୁଲ ।
କାଞ୍ଚନ ଫୁଲ
ପ୍ରାୟ ୩ ପ୍ରକାରର କାଞ୍ଚନ ଫୁଲ ଦେଖିବାକୁ ମିଳେ । ସେ ଭିତରେ ଶ୍ୱେତ ଓ ରକ୍ତ କାଞ୍ଚନ ଫୁଲର ଅଧିକ ଉପାଦେୟ ହୋଇଥାଏ । ହେଲେ ଖାଇବା ପାଇଁ ଧଳା କାଞ୍ଚନ ଫୁଲକୁ ଲୋକ ଅଧିକ ପସନ୍ଦ କରନ୍ତି । ସଜ ଧଳା କାଞ୍ଚନ ପାଖୁଡ଼ାକୁ ପିଠଉ ଦେଇ ଭଜା, ବେସନ ଦେଇ ବରା ନହେଲେ ବେସର ଦେଇ ରାନ୍ଧିଲେ ଭାରି ବଢ଼ିଆ ଲାଗେ । ବିଭିନ୍ନ ରୋଗର ଉପଶମ ପାଇଁ ବ୍ୟବହାର କରାଯାଏ । ହଜମ ଶକ୍ତି ବୃଦ୍ଧି କରିବା ଓ ରକ୍ତ ଶର୍କରା ସନ୍ତୁଳନ ରକ୍ଷା କରିବା ସହ ଏହା ଚର୍ମରୋଗ ପାଇଁ ବହୁତ ଉପକାରୀ । ଯକୃତ ରୋଗ, ପେଟ ତଥା ମୁଖ ଦୁର୍ଗନ୍ଧ ପରି ସମସ୍ୟା ପାଇଁ କାଞ୍ଚନ ଗଛର ବିଭିନ୍ନ ଅଂଶକୁ ବ୍ୟବହାର କରାଯାଏ ।
ନିମ ଫୁଲ
ସ୍ୱାଦରେ ସିନା ପିତା ଦେହକୁ ଭାରି ହିତ । ସାନ ବେଳେ ପାଟିକୁ ପିତା ବୋଲି ଖାଇବାକୁ ଇଚ୍ଛା ହୋଉନଥିଲା ହେଲେ ଘର ଲୋକ ଜୋରକରି ନିମ ପିତା ଖୁଆଉଥିଲେ । ଆଜି ବଡ଼ ହେଲା ପରେ ସେଇ କଡ଼ା ଓ ପିତାକୁ ମନ ଖୋଜୁଛି । ନିମଫୁଲ ବରା, ପରିବ ମିଶା ଭଜା, ପତୁଆ ନହେଲେ ରାଗ ଲୁଣ ଦିଆ ଖରିଆ ଭଜା ।ସ୍ୱାଦ ଯେମିତି ନିଆରା ବାସ୍ନା ସେମିତି ମନଲୋଭା । ପିତା କିନ୍ତୁ ଏହାର ହିତକାରୀ ଗୁଣ ନେଇ ସମସ୍ତେ ସଚେତନ ହେଲେଣି । ନିମ୍ବ ଫୁଲ ରକ୍ତଶର୍କରା ସନ୍ତୁଳନ ରକ୍ଷା କରିବା ସହ ବିଭିନ୍ନ ଚର୍ମରୋଗ ପାଇଁ ଉପକାରୀ ।
ମାଷ୍ଟର ସେଫ୍ ଭଳି କିଛି ଲୋକପ୍ରିୟ ଧାରାବାହିକରେ ତଥା ପ୍ରସିଦ୍ଧ ସେଫ୍ ମାନେ ଏହି ପାରମ୍ପରିକ ଜିନିଷକୁ ନେଇ ଖାଇବା ରାନ୍ଧିବା ପରେ ଏହିସବୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଆଗ ଗାଁ ଗହଳିରେ ଏହିସବୁ ପ୍ରଚୁର ଭାବେ ସହଜରେ ମିଳିଯାଉଥିଲା । ଦିନକୁ ଦିନ ଜୀବନ ବଞ୍ଚିବାର ଢ଼ଙ୍ଗ ବଦଳିବା ସହ ବଳୁଛି ଖାଦ୍ୟପେୟର ପ୍ରକାର । କିଛି ସମୟ ସହ ଭୁଲି ଗଲେଣି ତ କିଛି ନିଜ ଗାଁ ମଉଜ ମନେ ପକାଇ ଏହି ସବୁ ପାରମ୍ପରିକ ଖାଇବା ଖୋଜି ଖାଉଛନ୍ତି ।



