ବିଜୟା ରଥବାହିନୀ ମା ବିରଜା

ତନ୍ତ୍ର ପୂଜା ଓ ଶକ୍ତି ଉପାସନାର ଅନନ୍ୟ ଭୂମି ହେଉଛି ଓଡ଼ିଶା । ପରମ୍ପରା ଓ ସଂସ୍କୃତିରେ ସମୃଦ୍ଧ ଆମ ରାଜ୍ୟର ପ୍ରତିଟି ଜିଲ୍ଲାରେ ରହିଛି ସ୍ୱତନ୍ତ୍ର ବିଶେଷତ୍ୱ । ରଥଯାତ୍ରା ପାଇଁ ଓଡ଼ିଶା ବେଶ୍ ଜଣାଶୁଣା । ରଥର ପରମ୍ପରା ଆମର ପରିଚୟ । ହେଲେ ମା'ଙ୍କ ରଥଯାତ୍ରା ବିଷୟରେ ଶୁଣିଛନ୍ତି କି? 

ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ‘ଘୋଷାଯାତ୍ରା’ ବା ‘ଗୁଣ୍ଡିଚାଯାତ୍ରା’ ନାମରେ ପ୍ରସିଦ୍ଧ, ତାହା ଛଡ଼ା ଓଡ଼ିଶାର ବିଭିନ୍ନ ପୀଠରେ ନିଜସ୍ୱ ରଥଯାତ୍ରା ପାଳନ ହୋଇଥାଏ । ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ‘ରୁକୁଣା ରଥଯାତ୍ରା’ ଅଶୋକାଷ୍ଟମୀରେ, କୋଣାର୍କର 'ସୂର୍ଯ୍ୟରଥଯାତ୍ରା' ମାଘ ମାସରେ ପାଳିତ ହୋଇଥାଏ । ଏମାନଙ୍କ ମଧ୍ୟରେ ଯାଜପୁରର ମା' ବିରଜାଙ୍କ ରଥଯାତ୍ରାର ବିଶେଷ ମହତ୍ତ୍ୱ ରହିଛି । 

ବିରଜା କ୍ଷେତ୍ର ବା ନାଭିଗୟା କ୍ଷେତ୍ର ଭାବେ ଜଣାଶୁଣା ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜା। ପୌରାଣିକ କଥା ଅନୁସାରେ ସତୀଙ୍କ ନାଭି ଏଠାରେ ପଡ଼ିଥିଲା। ସେବେଠାରୁ ଏହି ସ୍ଥାନ ନାଭିଗୟା ଭାବେ ନାମିତ ଏବଂ ମା' ବିରଜା ଏଠି ମହିଷା ମର୍ଦ୍ଦିନୀ ନାମରେ ପୂଜା ପାଆନ୍ତି । ଶ୍ରୀଜଗନ୍ନାଥଙ୍କ ମାଦଳା ପାଞ୍ଜି ଭଳି ବିରଜାଙ୍କ ସ୍ବତନ୍ତ୍ର ପାଞ୍ଜି ରହିଛି । ଏଠି ପିଣ୍ଡ ଦାନ କଲେ ପୂର୍ବଜଙ୍କୁ ମୋକ୍ଷ ପ୍ରାପ୍ତି ହେବାର ବିଶ୍ୱାସ ରହିଛି ।

ସୋମବଂଶୀଙ୍କ ଶାସନ ସମୟରେ ଏହି ରଥଯାତ୍ରାର ଆରମ୍ଭ ହୋଇଥିଲା। ଭାଦ୍ରବ ଶୁକ୍ଲ ଦ୍ବାଦଶୀରେ ବିଲ୍ବ ବରଣୀ ଉତ୍ସବରେ ରଥ କାଠ ପାଇଁ ବୃକ୍ଷ ସନ୍ଧାନ ହୁଏ। ମୂଳାଷ୍ଟମୀରେ ପ୍ରତିଷ୍ଠା ମଣ୍ଡପରେ ରଥ ନିର୍ମାଣ ହୋଇଥାଏ ଏବଂ ମହାଳୟା ପରଦିନଠାରୁ ମା'ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହା ହେଉଛି, ଏକ ମାତ୍ର ଦେବୀ ପୀଠ ଯେଉଁଠାରେ ଦୁର୍ଗାପୂଜା ସମୟରେ ସ୍ୱତନ୍ତ୍ର ଭାବେ ମାଙ୍କ ନବଦିନାତ୍ମକ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ୫୧ଟି ଶକ୍ତିପୀଠ ମଧ୍ୟରୁ ମା' ବିରଜାଙ୍କ ପୀଠରେ ହିଁ ନବରାତ୍ରର ନଅ ଦିନ ପର୍ଯ୍ୟନ୍ତ ରଥଯାତ୍ରା ପାଳିତ ହୋଇଥାଏ । ଦେବୀଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରେ ପରିକ୍ରମା କରିଥାଆନ୍ତି । ପୂଜାର ନବମ ଦିବସରେ ଅପରାଜିତ ପୂଜା ଅନୁଷ୍ଠିତ ହୋଇଥାଏ । ପ୍ରତୀକାତ୍ମକ ଭାବେ ମହିଷାସୁର ବଦ୍ଧ କରି ମା ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାଆନ୍ତି । 

ସିଂହଧ୍ୱଜ ନାମିତ ମାଙ୍କ ରଥର ଅନ୍ୟନାମ ହେଉଛି ବିଜୟା ରଥ । ଏଥିରେ ନାଲି, ଧଳା ଓ କଳା ରଙ୍ଗର କପଡ଼ାରେ ବ୍ୟବହାର ହୋଇଥାଏ । ଯାହାକୁ ମହାଲକ୍ଷ୍ମୀ, ମହାସରସ୍ୱତୀ ଓ ମହାକାଳୀଙ୍କ ପ୍ରତୀକ ଭାବେ ଗ୍ରହଣ କରାଯାଏ । ରଥର ସାରଥି ହେଉଛନ୍ତି ଚତୁର୍ମୁଖ ବ୍ରହ୍ମ । ରଥରେ ୮ଟି ଅଖ ବିଶିଷ୍ଟ ୧୨ଟି ଚକ ରହିଥାଏ । ସ୍ବର୍ଣ୍ଣଚୂଡ଼ ଓ ଶଙ୍ଖଚୂଡ଼ ଦୁଇ ସର୍ପଙ୍କ ସହ ୨୪ ଜଣ ପାର୍ଶ୍ବଦେବତା ଓ ୯ଜଣ ପାର୍ଶ୍ବଦେବୀ ରଥରେ ରହିଥାଆନ୍ତି । ଯାତ୍ରା ସମୟରେ ରଥରେ ଧନୁ, ଶର, ଖଣ୍ଡା, ତୁଣୀର, ଦୁନ୍ଦୁଭୀ ଏବଂ ବିଭିନ୍ନ ଔଷଧ ଆଦି ନେଇ ରଥ ପରିକ୍ରମା ହୋଇଥାଏ ।

ରଥରେ ମା'ଙ୍କ ଦର୍ଶନ କଲେ ବିଗତ ୭ ଜନ୍ମର ପାପରୁ ମୁକ୍ତି ମିଳିବାର ବିଶ୍ୱାସ ରହିଛି । ଏହି ବିଶ୍ୱାସ ସହ ଅନେକ ଶ୍ରଦ୍ଧାଳୁ ପ୍ରତି ବର୍ଷ ରଥରେ ବିରାଜିତ ମା'ଙ୍କ ପରିକ୍ରମା ଉତ୍ସବ ଦେଖିବାକୁ ଆସିଥାଆନ୍ତି । ସ୍ଥାନୀୟ ଲୋକେ ଖୁବ୍ ଶ୍ରଦ୍ଧା ଓ ଭକ୍ତିର ସହ ଏହି ଯାତ୍ରାରେ ସାମିଲ ହୁଅନ୍ତି । ଆସ୍ଥା, ଆଧ୍ୟାତ୍ମିକତା ଓ ପରମ୍ପରାର ଏହି ପବିତ୍ର ଯାତ୍ରାରେ ଦେବୀ ଶକ୍ତିର ଦିବ୍ୟ ଅନୁଭୂତି ବାସ୍ତବରେ ମନରେ ଶାନ୍ତି ଭରିଦିଏ ।