ଅଣସର ଘରେ ପ୍ରଭୁଙ୍କ ମଲମ - ଫୁଲୁରୀ ତେଲ

ପବିତ୍ର ରଥଯାତ୍ରା ଦେଖିବା ପାଇଁ ଭକ୍ତ ଆକୁଣ୍ଠ ଚିତ୍ତରେ ଭକ୍ତ ପ୍ରତି ବର୍ଷ ଅପେକ୍ଷା କରି ରହିଥାଆନ୍ତି । ଘୋଷଯାତ୍ରା କହିଲେ ସାଧାରଣତଃ ଆଷାଢ଼ ଶୁକ୍ଲ ପକ୍ଷ ଦ୍ୱିତୀୟାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସମୟକୁ ଆମେ ବୁଝୁ । ହେଲେ ଏହି ଦିବ୍ୟ ରଥ ଉପଲକ୍ଷେ ଶ୍ରୀପଞ୍ଚମୀ ଠାରୁ କାର୍ଯ୍ୟାରମ୍ଭ ହୋଇଥାଏ ।  ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅନ୍ତର୍ଗତ କେତେ ଯେ ପ୍ରଥା ଓ ପର୍ବ ରହିଛି, ସବୁର କାହାଣୀ ଓ ମାହାତ୍ମ୍ୟ ଭିନ୍ନ । ରଥଯାତ୍ରା ଆଗରୁ ଅନୁଷ୍ଠିତ ହୁଏ ପବିତ୍ର ସ୍ନାନ ଯାତ୍ରା । ୧୦୮ ଗରା ସୁବାସିତ ଜଳ ସ୍ନାନ ସରିବା ପରେ ମହାପ୍ରଭୁଙ୍କୁ ମାନବସମ ହୁଏ ଜ୍ୱର ଏବଂ ଚତୁର୍ଦ୍ଧା ମୂର୍ତ୍ତୀ ୧୫ଦିନ ପାଇଁ ଅଣସର ଗୃହରେ ବିଶ୍ରାମ ନିଅନ୍ତି, ଭକ୍ତଙ୍କୁ ଦର୍ଶନ ଦେଇନଥାନ୍ତି । ଏହି ସମୟରେ ପଟି ଦିଅଁ ଭାବେ ଅନନ୍ତ ବାସୁଦେବ, ଅନନ୍ତ ନାରାୟଣ ଓ ଦେବୀ ଭୂବନେଶ୍ୱରୀ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

ଅଣସର ପଞ୍ଚମୀର ମଧ୍ୟାନ୍ନ ଧୂପ ପରେ ଦକ୍ଷିଣ ଦ୍ୱାର ଦେଇ ଫୁଲୁରି ତେଲ ମନ୍ଦିରକୁ ନିଆଯାଏ । ଶ୍ରୀଅଙ୍ଗ ଫିଟା ନୀତି ପରେ ପ୍ରଭୁଙ୍କ ଜ୍ୱରପୀଡ଼ା ଲାଘବ କରିବା ପାଇଁ ଏହି ସମୟରେ ଲାଗିହୁଏ ଫୁଲୁରୀ ତେଲ । ଗୁପ୍ତ ସେବା ଅନ୍ତର୍ଗତ ଏହି ପ୍ରାଚୀନ ଆୟୁର୍ବେଦିକ ଉପଚାରରେ ଫୁଲୁରି ତେଲକୁ ଦାଇତାପତି ସେବକ ଯଥା ରୀତି କର୍ପୂର, କେଶର ଓ କୁଙ୍କୁମ ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲଗାଇଥାନ୍ତି । 

ଏହି ଔଷଧୀୟ ତୈଳର ପ୍ରସ୍ତୁତି କରିବା ଦାୟିତ୍ୱ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ମଠ-ବଡ଼ ଓଡ଼ିଆ ମଠର । ରାଜା ପ୍ରତାପଦେବଙ୍କ ଅମଳରୁ ପ୍ରତି ବର୍ଷ ଏହି ମଠ ପକ୍ଷରୁ ଫୁଲୁରୀ ତେଲ ପ୍ରସ୍ତୁତ କରି ପ୍ରଭୁଙ୍କ ପାଇଁ ଯୋଗାଇ ଦିଆଯାଇଥାଏ । ଅଣସର ସମୟରେ ଲାଗିହେବା ପାଇଁ ତେଲ ପୂର୍ବ ବର୍ଷରୁ ହେରା ପଞ୍ଚମୀଠାରୁ ତିଆରି କରାଯାଇଥାଏ ଏବଂ ସନ୍ଧ୍ୟା ସମୟରେ ମାଟିପାତ୍ରରେ ମୁହଁ ବାନ୍ଧି ମାଟି ତଳେ ପୋତାଯାଏ । ଏହାର ପ୍ରସ୍ତୁତିରେ ଘଣା ପେଡ଼ା ଶୁଦ୍ଧ ରାଶି ତେଲ ବ୍ୟବହାର ହୋଇଥାଏ କିନ୍ତୁ ଏହା କେବଳ ତୈଳର ମିଶ୍ରଣ ନୁହେଁ, ବିଭିନ୍ନ ଔଷଧୀୟ ଜଡ଼ିବୁଟି, ଚେରମୂଳ ଓ ସୁଗନ୍ଧିତ ପୁଷ୍ପ ଆଦି ୨୪ ଗୋଟି ଦ୍ରବ୍ୟ ମିଶିଥାଏ । ମଝି ମଝିରେ ଏହି ତୈଳ ପାତ୍ରକୁ ଖୋଲାଯାଇ ଋତୁ ଅନୁଯାୟୀ ଉପଲବ୍ଧ ବିଭିନ୍ନ ଚେର ଓ ପୁଷ୍ପ ଆଦି ଏହି ତେଲରେ ମିଶାଯାଏ । କେତକୀ, ଚମ୍ପା, ବଉ, ମାଳତୀ, ଜୁଇ, ଜାଇ ଆଦି ଫୁଲ ଏବଂ କୃଷ୍ଣ ଭୋଗ ଧାନ, ବେଣାଚେର, ଚନ୍ଦନ କାଠ, ଶାଳ, ଫର୍ଣ୍ଣି ଆଦି ଔଷଧୀୟ ଚେରମୂଳ ଉପାଦାନ ପ୍ରମୁଖ । ପ୍ରଭୁ ଅଣସର ଗୃହକୁ ବିଜେ କରିବା ପରେ ଏହି ତେଲକୁ ପରିଷ୍କାର କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଭରାଯାଏ ଏବଂ ମନ୍ଦିର ଅଣାଯାଏ । ଦାରୁ ଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ମାଲିସ ହେବା ପରେ ସେ ସାଷ୍ଟାଙ୍ଗ ହୁଅନ୍ତି । 

ପରମ୍ପରାରେ ପରିପୂର୍ଣ୍ଣ ଆମ ଜଗନ୍ନାଥ ସସ୍କୃତିରେ ରହିଛି ପ୍ରଭୁଙ୍କର ଅନେକ ଦିବ୍ୟ ଲୀଳା । ଭିନ୍ନ ପରମ୍ପରାର ନିଜସ୍ୱ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି । ଆମ ଜଗନ୍ନାଥ ସଂସ୍କୃତି କେବଳ ଆମ ଓଡ଼ିଆଙ୍କର ନୁହେଁ, ସମଗ୍ର ବିଶ୍ୱରେ ରହିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ସେ କେବଳ ଏକ ପରମ୍ପରା ଓ ଧାର୍ମିକ ବିଶ୍ୱାସରେ ସୀମିତ ନୁହଁନ୍ତି, ଆମ ଜୀବନ ଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଣୁ ରଥଯାତ୍ରାରେ ଯେବେ ପ୍ରଭୁ ରତ୍ନ ସିଂହାସନରୁ ଉଠି ଭକ୍ତ ଗହଣରେ ବୁଲି ବାହାରନ୍ତି, ପ୍ରଭୁଙ୍କ ଅନନ୍ୟ ଲୀଳାର ସାନ୍ନିଧ୍ୟ ପାଇ ଭାବବିହ୍ୱଳ ହୋଇପଡ଼ନ୍ତି ଶ୍ରଦ୍ଧାଳୁ ।