ଓଡ଼ିଶାରେ କ୍ରୁଜ୍ର ନିଆରା ଅନୁଭୂତି ପାଇଁ ସ୍ୱଦେଶୀ ଲକ୍ଜୁରୀ ବୋଟ୍ - ଗରୁଡ଼
ପର୍ଯ୍ୟଟନର ଗନ୍ତାଘର ଆମ ଓଡ଼ିଶା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ନୁହେଁ ବରଂ ଐତିହାସିକ, ପାରମ୍ପରିକ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ପାଲଟିଛି । ସମୟ ସହ ଅନ୍ୟାନ୍ୟ କ୍ଷେତ୍ର ଭଳି ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ହେଉଛି ଆଧୁନିକୀକରଣ । ପର୍ଯ୍ୟଟକଙ୍କ ମଜା ଦ୍ୱିଗୁଣିତ କରିବା ପାଇଁ ସରକାରୀ ତଥା ଘରୋଇ କ୍ଷେତ୍ରରେ ମନୋରଞ୍ଜନର ବିଭିନ୍ନ ନୂଆ ମାଧ୍ୟମ ଆରମ୍ଭ କରାଯାଉଛି । ଓଡ଼ିଶାରେ ଚିଲିକା ପର୍ଯ୍ୟଟନର ଏକ ଲୋକପ୍ରିୟ ସ୍ଥାନ । ଖାସ୍ ଶୀତଦିନ ଆସିଲେ ବିଦେଶୀ ପକ୍ଷୀଙ୍କ ସମାଗମ ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମେ । ସେମାନଙ୍କୁ ମନୋରଞ୍ଜନର ଏକ ଲକ୍ଜୁରୀ ଅନୁଭବ ଭେଟିଦେବା ପାଇଁ କ୍ରୁଜ୍ର ବ୍ୟବସ୍ଥା ରହିଛି । ଯାହାର ନାମ ହେଉଛି ଗରୁଡ଼ ।
ଏପରି ବ୍ୟବସ୍ଥା ଓଡ଼ିଶାରେ ପ୍ରଥମ । ଏହି ଲକ୍ଜୁରୀ ହାଉସ୍ବୋଟ୍ରେ ପୁରା ଗୋଟିଏ ଦିନ ସହ ବିତାଇବା ପାଇଁ ରହିଛି ସମସ୍ତ ପ୍ରକାରର ସୁବିଧା । ଖାଇବା ଓ ରହିବାର ସୁବିଧା ସହ ପାଣି ଭିତରେ ଖୋଲା ଆକାଶର ମଜା ଉଠାଇବା ପାଇଁ ଆଉ ଓଡ଼ିଶା ବାହାରକୁ ଯିବାର ଆବଶ୍ୟକତା ନାଇଁ । ସେଥିପାଇଁ ଗରୁଡ଼ ନେଇଆସିଛି ଫାଇଭ୍ ଷ୍ଟାର୍ ଏକ୍ସପିରିଏନ୍ସ ।
ପ୍ରାୟ ୧୫୦ ଫୁଟ୍ ଲମ୍ବା ହାଉସ୍ ବୋଟ୍ ଗରୁଡ଼କୁ ଓଡ଼ିଶାର ପାଣିପାଗକୁ ସୁହାଇଲା ଭଳି ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ବରକୁଳଠାରେ ତିଆରି କରାଯାଇଛି । ବିକାଶ ରିସୋର୍ଟ ଲାଇସେନ୍ସ ସହ ଏହାର ପରିଚାଳନା କରୁଛି । ଏଥିରେ ପ୍ରମିୟମ୍ କୋଠରୀ ସହିତ ପ୍ରିମିୟମ୍ ସୁଇଟ୍, ରେଷ୍ଟୋରାଣ୍ଟ୍ ଏବଂ ଅପର୍ ଡେକ୍ରେ ମିଟିଂ ତଥା ବୁଲା ବୁଲି ପାଇିଁ ଓପନ୍ ଏୟାର୍ ଲବି ଅଛି । ବୋଟ୍ର ପ୍ରାଇଭେଟ୍ ଲାଉଞ୍ଜ୍ରେ ଦିୱାନ୍, କିଙ୍ଗ୍ ସାଇଜ୍ ବେଡ଼୍ ସହ ୱାନ୍ ଏଇଟି ଡିଗ୍ରୀ ଭିଉ ପାଣି ଭିତରେ ଏକ ଭିନ୍ନ ଅନୁଭୂତି ନିଶ୍ଚିତ ଦେବ । ତଳ ଭାଗରେ ଥିବା ଏସି ଲାଉଞ୍ଜରେ ପ୍ରାୟ ୩୦ଲୋକ ବସିପାରିବେ । ଏଥିରେ ୨୪ ଘଣ୍ଟାର ପ୍ୟାକେଜ୍ ରହିଛି ଯେଉଁଥିରେ ପର୍ଯ୍ୟଟକ ଡଙ୍ଗାରେ ରାତ୍ରୀଯାପନ କରିପାରିବେ ଯେଉଁଥିରେ ସର୍ବାଧିକ ୬ଟି ଯୋଡ଼ି ବୁକ୍ କରିପାରିବେ ।
କ୍ରୁଜ୍ରେ ଗଲେ ପ୍ରଥମେ ୱେଲ୍କମ୍ ଡ୍ରିଙ୍କ୍ ସହ ସ୍ୱାଗତ କରାଯାଏ । ଏଠାରେ ମଧ୍ୟାହ୍ନ ଭୋଜନରେ ଓଡ଼ିଆ ଖାଦ୍ୟ ସହ ବିଭିନ୍ନ ସୁଆଦିଆ ସାମୁଦ୍ରିକ ଖାଦ୍ୟର ବ୍ୟବସ୍ଥା ରହିଛି । ସନ୍ଧ୍ୟାରେ ସ୍ନାକ୍ସ, କଫି, ଚା ଓ ସଙ୍ଗୀତ ଆସର ସହ ବାର୍ବିକ୍ୟୁର ସୁବିଧା ଉପଲବ୍ଧ । ଏହା ସହ ଆପଣ ରାତିରେ ମଲ୍ଟିକୁଜିନ୍ ବୁଫେର ମଜା ନେଇପାରିବେ । କେବଳ ଏତିକି ନୁହେଁ କ୍ରୁଜ୍ ଯାତ୍ରାରେ ଅତିଥିଙ୍କ ପାଇଁ ମସାଜ୍, ସନ୍ ବାଥ୍, ସ୍ପୋଟ୍ ସହ ଦ୍ୱୀପ ପରିଭ୍ରମଣ ଡଲ୍ଫିନ୍ ଓ ପକ୍ଷୀ ଦର୍ଶନ ଇତ୍ୟାଦି ମଧ୍ୟ ରହିଛି । ଓପନ୍ ଏୟାର୍ ଲବିରେ ପକ୍ଷୀମାନଙ୍କୁ ଦେଖିବା ସହ ସୂର୍ଯ୍ୟାସ୍ତର ଦୃଶ୍ୟ ବେଶ୍ ମନୋରମ ହୋଇଥାଏ । ପାଣିଭିତରେ ସବୁ ଆଧୁନିକ ସୁବିଧା ସହ ଗରୁଡ଼ରେ ଆପଣ ଏକ ଶାନ୍ତି ଭରା ସୁନ୍ଦର ପରିବେଶରେ ଛୁଟି କଟାଇପାରିବେ । ଓଡ଼ିଶାରେ ଏପରି ଏକ ପର୍ଯ୍ୟଟନ ବ୍ୟବସ୍ଥା ନୂଆକରି ଆରମ୍ଭ ହେବା ଆମ ପର୍ଯ୍ୟଟନ ଶିଳ୍ପ ପାଇଁ ଏକ ନୂଆ ଅଧ୍ୟାୟ ଆଣିଦେଇଛି ।
ଡବଲ୍ ଇଞ୍ଜିନ୍ ଥିବା ଗରୁଡ଼ରେ ସବୁ ଅତ୍ୟାଧୁନିକ ସୁବିଧା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ପାରା ସୈଲିଂ, ସ୍ପିଡ଼୍ ବୋଟ୍, ବାନାନା ବୋଟ୍, କାୟାକିଂ ଆଦି ବିଭିନ୍ନ ୱାଟର୍ ସ୍ପୋଟ୍ ଆକ୍ଟିଭିଟିର ମଜା ତ ନେଇଥିବେ ହେଲେ ଆଉ କିଛି ନୂଆ ଅନୂଭୁତି ଚାହୁଁଥିଲେ କ୍ରୁଜ୍ ଯାତ୍ରା ଆଡ୍ଭେନ୍ଚର୍ ଲଭର୍ଙ୍କ ପାଇଁ ଗୋଟିଏ ଭଲ ଅପ୍ସନ୍ ହୋଇପାରିବ ।