ବଉଳମାଳ ପଥର କୃତି - ଫତେଗଡ଼ ରାମ ମନ୍ଦିର
ନୟାଗଡ଼ ଫତେପୁର ଗାଁ ପାଖରେ ଛୋଟ ପାହାଡ଼ଟିଏ । ନିକଟରେ ବୋହି ଯାଉଛି ମହାନଦୀ । ନିକଟସ୍ଥ ପାହାଡ଼ ଉପରେ ଅଙ୍କା ବଙ୍କା ରାସ୍ତା କାଟି ଗଢିଉଠିଛି ଏକ ସୁନ୍ଦର ରାମ ମନ୍ଦିର । ଯାହା ଏବେ ନୟାଗଡ଼ ଅଞ୍ଚଳରେ ପର୍ଯ୍ୟଟକମାନଙ୍କର ପ୍ରିୟ ପର୍ଯ୍ୟଟନ ସ୍ଥଳ ପାଲଟିଛି । ଏ ହେଉଛି ନିକଟ ଅତୀତରେ ତିଆରି ହୋଇଥିବା ଫତେଗଡ଼ ରାମ ମନ୍ଦିର । ଯାହାକି ଧର୍ମ, ମର୍ଯ୍ୟାଦା ଓ ପରମ୍ପରାକୁ ପ୍ରତିଫଳିତ କରୁଛି । ଏଠି ପହଞ୍ଚିବାକୁ ହେଲେ ନୟାଗଡ଼ରୁ କେବଳ ୪୦ କିଲୋମିଟର ଯାତ୍ରା କରିବାକୁ ହେବ । ନୀଳମାଧବ କଣ୍ଟିଲୋ ରାସ୍ତାରେ ଫତେଗଡ଼ ଗାଁ ପାଖରେ ପହଞ୍ଚିବେ । ସେଠାରୁ ମନ୍ଦିରକୁ ରହିଛି ରାସ୍ତା । ସମୁଦ୍ର ପତ୍ତନଠାରୁ ୧୬୩୨ ଫୁଟ୍ ଉଚ୍ଚତାରେ, କଳିଙ୍ଗ ଶୈଳୀରେ ନିର୍ମିତ ଏହି ସୁଦୃଶ୍ୟ ମନ୍ଦିର, ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ପ୍ରତିଷ୍ଠା ଯାଇଥିଲା । ଏଣୁକରି ଏହାକୁ ଓଡ଼ିଶାର ଅଯୋଧ୍ୟା ବୋଲି କୁହାଯାଏ । ଏହାର ଉଚ୍ଚତା ୬୫ ଫୁଟ୍ ରହିଛି । ପ୍ରାୟ ସବୁଜିମା ଘେରା ପାହାଡ଼ ଉପରେ କାରୁକାର୍ଯ୍ୟପୂର୍ଣ୍ଣ ତିଆରି ଏହି ମନ୍ଦିରର ଚତୁପାର୍ଶ୍ବ ପରିବେଶରେ ମୃଦୁ ମଳୟ, ମନକୁ ଶାନ୍ତି ଦିଏ । ମନ୍ଦିର ଗର୍ଭଗୃହରେ ଶୋଭା ପାଉଛି ପ୍ରଭୁ ରାମ ଲକ୍ଷ୍ମଣ ଓ ମାତା ସୀତାଙ୍କର ଜୀବନ୍ତ ପ୍ରତିମୂର୍ତ୍ତୀ । ଏକ ବଡ଼ ଯଜ୍ଞ ମଣ୍ଡପ ସହ ବାହାରେ ଭକ୍ତଙ୍କ ଜପ ଓ ଆରାଧନା ପାଇଁ ରହିଛି ବିଶାଳ ମଣ୍ଡପ ।
ଏହି ମନ୍ଦିରର ନିଜସ୍ବ କିମ୍ବଦନ୍ତୀ ରହିଛି । ସ୍ଥାନୀୟ ଲୋକକଥା ଅନୁଯାୟୀ ମନ୍ଦିର ତିଆରି ହେବା ଆଗରୁ ପାହାଡ଼ ଉପରେ ଭାଗବତ ପୀଠ ଥିଲା । ଗାଁ ଲୋକ ଏଠାରେ ଭଲ ବର୍ଷା ପାଇଁ ଗିରିଧାରୀ ଗୋବର୍ଦ୍ଧନଙ୍କୁ ପୂଜା କରୁଥିଲେ । ଜଗନ୍ନାଥଙ୍କ ନବକଳେବର ସମୟରେ ସୁଦର୍ଶନଙ୍କ ପାଇଁ ଏଠାରୁ ନିମ କାଠ ସଂଗ୍ରହ କରାଯିବା ପରେ ଚକ୍ରଧର ପ୍ରଧାନ ମନ୍ଦିର ଏଠି ମନ୍ଦିର ତିଆରି ଆରମ୍ଭ କରିଥିଲେ । ଏହାପରେ କମିଟି ଗଠନ କରି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଗଞ୍ଜାମର ପ୍ରତିଷ୍ଠିତ ମନ୍ଦିର ତାରାତାରିଣୀ ଭଳି ଏହି ରାମ ମନ୍ଦିର ତିଆରି ହୋଇଛି ଯେଉଁଥିରେ କେବଳ ବଉଳମାଳ ପଥର ବ୍ୟବହାର ହୋଇଛି । ଫତେପୁର ମନ୍ଦିରର ପରିସରରେ ରାମଙ୍କ ସହ ଅନ୍ୟାନ୍ୟ ଦେବା ଦେବୀଙ୍କ ମନ୍ଦିର ବି ରହିଛି । ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ପାଇଁ ତଳେ ଓ ଉପରେ ଯଥେଷ୍ଟ ପାର୍କିଂର ସୁବିଧା ରହିଛି । ଆଧ୍ୟାତ୍ମିକତା ସହ ପ୍ରକୃତି ଭିତରେ ମନୋରମ ରାସ୍ତାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ, ତଳେ ଗାଡ଼ି ପାର୍କ କରି ଚାଲି ଚାଲି ମନ୍ଦିର ଯାଏଁ ପହଞ୍ଚିପାରିବେ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ଦେଖିଲେ ମନ୍ଦିରର ଲୋକପ୍ରିୟତା ଜଣା ପଡ଼େ । ପାର୍କିଂ ସହ ମନ୍ଦିର ପାଖରେ ଛୋଟ ମାର୍କେଟ୍ କମ୍ପେ୍ଲକ୍ସ ଅଛି । ଏହା ସହ ଶ୍ରଦ୍ଧାଳୁମାନଙ୍କର ଭୋଗ ଖାଇବା ବ୍ୟବସ୍ଥା ରହିଛି । ବର୍ତ୍ତମାନ ସମୟରେ ଯୋଜନାବଦ୍ଧଭାବେ ମନ୍ଦିର ନିର୍ମାଣ ହୋଇଥିବାରୁ ଏଠି ସମସ୍ତ ପ୍ରକାରର ସୁବିଧା ରହିଛି । ଯାହାଦ୍ୱାରା ଲୋକମାନେ ପୂଜାର୍ଚ୍ଚନା ସହ ସହଜରେ ଯାତାୟାତ କରିପାରିବେ।