ଲୋକପ୍ରିୟ ହେଉଛି ଡୋଙ୍ଗରିଆ କନ୍ଧଙ୍କର ହାତ ତିଆରି ସାଲ୍

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆଚ୍ଛାଦିତ ଓଡ଼ିଶା ହେଉଛି ବିଭିନ୍ନ ଶ୍ରେଣୀ ଓ ସମ୍ପ୍ରଦାୟର ସମୃଦ୍ଧ ସଙ୍ଗମସ୍ଥଳ। ବିବିଧତା ମଧ୍ୟରେ ଭିନ୍ନ ଜନଜାତି ନିଜର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି। ସେମାନଙ୍କ ସଂସ୍କୃତି ଜୀବନଶୈଳୀ ଓ ପାରମ୍ପରିକ ରୀତିନୀତି ଆମ ଜୀବନଶୈଳୀଠାରୁ ବେଶ୍ ଭିନ୍ନ ହୋଇଥାଏ । ସାଧାରଣତଃ ପାହାଡ଼ିଆ ଓ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଜନଜାତିମାନେ ପାରମ୍ପରିକ ଜୀବିକାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥାଆନ୍ତି ଯାହାର କାରିଗରୀର ରହିଥାଏ ସ୍ୱତନ୍ତ୍ର ପରିଚୟ ।
ଏମିତି ହିଁ ଭିନ୍ନ ପରିଚୟ ସୃଷ୍ଟି କରିଛି ରାୟଗଡ଼ା ଜିଲ୍ଲାର ନିୟମଗିରି ପାହାଡ଼ର ଡ଼ୋଙ୍ଗରିଆ କନ୍ଧମାନଙ୍କ ହାତ ବୁଣା ସାଲ୍ । ଯାହାର ସ୍ୱତନ୍ତ୍ର ନାମ ରହିଛି କପଡ଼ାଗଣ୍ଡା । ପ୍ରକୃତ ଭୌଗୋଳିକ ଉତ୍ପତ୍ତି ହେତୁ ଏହାକୁ ଜି-ଆଇ ଟ୍ୟାଗ୍ ମଧ୍ୟ ମିଳିଛି । ହାତତିଆରି କାରିଗରୀ ଏବେ ଲୋକଙ୍କ ପାଖରେ ପହଞ୍ଚୁଛି ଏବଂ ଆଧୁନିକତାର ଯୁଗରେ ମଧ୍ୟ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ହେଲେ ସମୟ ସହ ଏହି କଳା ଲୋପ ନ ପାଇଯାଉ, ଏଣୁ ସରକାର ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନ ବଜାର ବୃଦ୍ଧି କରିବା ସହ କଳାର ସୁରକ୍ଷା ପାଇଁ ପ୍ରୋତ୍ସାହନ ଯୋଗାଉଛନ୍ତି । ଏହି ସବୁ କଳାର ଜାତୀୟ ତଥା ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଖୁବ୍ ଚାହିଦା ବଢ଼ୁଛି ।
ଏହି କାରିଗରୀପୂର୍ଣ୍ଣ ସାଲ୍ ସେଠାରେ ଥିବା ଶହ ଶହ ଆଦିବାସୀ ମହିଳାଙ୍କର ପ୍ରମୁଖ ରୋଜଗାରର ପନ୍ଥା । ଆୟର ମାଧ୍ୟମ ହେବା ସହ ଏହି ସାଲ୍ର ଡିଜାଇନ୍ରେ, ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କର ପ୍ରକୃତି ପ୍ରତି ଥିବା ଭଲପାଇବାର ପରିଚୟ ମିଳିଥାଏ । ସାଲ୍ ତିଆରି କରିବା ପାଇଁ ସ୍ଥାନୀୟ ଡମ୍ବ ସମ୍ପ୍ରଦାୟର ଲୋକଙ୍କଠାରୁ ଧଳା କପଡ଼ା ଅଣାଯାଇଥାଏ ଯେଉଁଥିରେ ଗୋଲାପୀ, ବାଦାମୀ ଓ କମଳା ରଙ୍ଗର ଧଡ଼ି ରହିଥାଏ । ଆଗରୁ ସଶ୍ୟ ପ୍ରତିବଦଳରେ ଏହା କିଣାଯାଉଥିଲା । ତା’ଉପରେ ଆଦିବାସୀ ମହିଳାମାନେ ଗାଡ଼ ରଙ୍ଗର ସୁତା ଦ୍ୱାରା ଧଡ଼ି ଆକାରରର ବିଭିନ୍ନ ବିଭିନ୍ନ ଜ୍ୟାମିତକ ଆକୃତି ବୁଣିଥାଆନ୍ତି । ବୁଣିବା ପାଇଁ ମୁଖ୍ୟତଃ ସବୁଜ, ହଳଦିଆ ଓ ନାଲି ରଙ୍ଗର ବ୍ୟବହାର ହୁଏ । ଏସବୁ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ । ସବୁଜ ରଙ୍ଗ ନିୟମଗିରିର ଉର୍ବର ଓ ପ୍ରକୃଷ୍ଟ ଭୂମିର ବର୍ଣ୍ଣନା କରେ । ହଳଦିଆ ରଙ୍ଗ ଶାନ୍ତି, ସଦ୍ଭାବନା ଓ ମୈତ୍ରୀର ପବିତ୍ରତାକୁ ସୂଚାଉଥିବା ବେଳେ ନାଲି ହେଉଛି ରକ୍ତର ପ୍ରତୀକ । ଏହି ରଙ୍ଗ ଶକ୍ତି, ଊର୍ଜା, ପରାକ୍ରମ ଓ ବଳିଦାନକୁ ସୂଚାଏ । ଏହି ଡିଜାଇନ୍ ଗୁଡିକର ନାମ ରହିଛି । ସବୁଜ ପତ୍ରକୁ ଅକ୍କା କୁହାଯାଏ । ଧଡ଼ିର ହଳଦିଆ ରଙ୍ଗ ହଳଦୀ ଚାଷକୁ ଇଙ୍ଗିତ କରେ ଯାହା ଆୟର ସବୁଠାରୁ ମୁଖ୍ୟ ମାଧ୍ୟମ । ନାଲି ଓ ମାଟିଆ ରଙ୍ଗର ତ୍ରିଭୁଜ ପାରମ୍ପରିକ ଉତ୍ସବରେ ବ୍ୟବହୃତ ସାମଗ୍ରୀକୁ ବୁଝାଏ । ସବୁଜ ତ୍ରିଭୁଜ ମଧ୍ୟରେ ନାଲି ଗୋଲାକାର ଆଖିକୁ ଦର୍ଶାଏ ଏବଂ ଛୋଟ ତ୍ରିଭୁଜ ଓ ଗୋଲାକାର ମନ୍ଦିର ତଥା ଦେବୀପୂଜା କରୁଥିବା ପରିବାର ଲୋକଙ୍କୁ ସୂଚାଏ।
ଏହି ବସ୍ତ୍ର ଉଭୟ ନାରୀ ଓ ପୁରୁଷ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପର୍ବରେ ପିନ୍ଧିଥାଆନ୍ତି । ପୁରୁଷମାନେ ଏହାକୁ ଅଣ୍ଟା ଚାରିପଟେ ବାନ୍ଧିବା ବେଳେ ମହିଳାମାନେ ବେକ ଓ ଅଣ୍ଟାରେ ଭିନ୍ନ ଭିନ୍ନ ଶୈଳୀରେ ପରିଧାନ କରନ୍ତି । ମଠା ବା ଧଳା ରଙ୍ଗର କପଡ଼ାରେ ଗୋଟେ ପରେ ଗୋଟେ ଖାପ ଖାଉଥିବା ରଙ୍ଗରେ ଧାଡ଼ି ଧାଡ଼ି କରି ଛୋଟ ତ୍ରିଭୁଜ ଆଉ ଚତୁର୍ଭୁଜ ଆକାରକୁ ନିଖୁଣ ଭାବେ ବୁଣି ପ୍ରସ୍ତୁତ କରାଯାଏ ଏହି କପଡ଼ାଗଣ୍ଡା ।
ଏହି ସାଲ୍ ତିଆରି କରିବା ପଛରେ ସୁନ୍ଦର ପରମ୍ପରା ରହିଛି । ଅବିବାହିତ କନ୍ୟାମାନେ ଏହାକୁ ନିଜ ଭାବି ସ୍ୱାମୀଙ୍କ ପାଇଁ ଖୁବ ଶ୍ରଦ୍ଧାର ସହ ବୁଣିଥାଆନ୍ତି । ସେଠାରେ ଥାଏ ଧାଙ୍ଗଡ଼ିବସା । ବିଶ୍ୱାସ କରାଯାଏ ସେହି ବସା ଭିତରେ ଅବିବାହିତ ଝିଅଟିଏ ନିଜ ହାତରେ ବୁଣିଥିବା ସାଲ୍, ସେ ପସନ୍ଦ କରୁଥିବା ଅବିବାହିତ ପୁଅକୁ ଦେଲେ ସମ୍ପର୍କ ଆଜୀବନ ମଧୁର ହୁଏ । ଏପରିକି ସାନ ମାନେ ଏହି ସାଲ୍ ତିଆରି କରି ବୟସ୍କ ମାନଙ୍କୁ ଉପହାର ସ୍ୱରୂପ ଭେଟି ଦେଇଥାଆନ୍ତି । ଯାହା ବଡ଼ ମାନଙ୍କ ପ୍ରତି ସେମାନଙ୍କ ସମ୍ମାନଭାବ ପ୍ରଦର୍ଶନ କରେ । ଏହି ପାରମ୍ପରିକ କଳା, ଡୋଙ୍ଗରିଆ କନ୍ଧ ମାନଙ୍କ ଜୀବନଶୈଳୀ ପୂଜା ପର୍ବାଣୀ ଏବଂ ସଂସ୍କୃତି ସହ ଜଡ଼ିତ । ଏହି କପଡ଼ାଗଣ୍ଡା ସାଲ୍ର ପ୍ରଚଳନ ସପ୍ତଦଶ ଶତାବ୍ଦୀରେ ଜୟପୁରର ରାଜା ବିକ୍ରମଦେବଙ୍କ ସମୟରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାର ସୌନ୍ଦ୍ୟର୍ଯ୍ୟ ସମସ୍ତଙ୍କ ମନ ଛୁଉଁଛି । ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ଏହାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଉଛି । ଆଧୁନିକ ଯୁଗରେ ପାରମ୍ପରିକ ପୋଷାକର ଯୁଗଳବନ୍ଦୀ ଆଜିକାଲି ବେଶ୍ ଆଦୃତ ହେଉଛି ।




