ମନ ମୋହୁଛି ପାରମ୍ପରିକ ଓଡ଼ିଆ ମିଷ୍ଠାନ୍ନ ମୁଆଁ
ଆମ ଓଡ଼ିଆଙ୍କର ପୌଷ ମାସ ଆସିଲେ ଧନୁ ସଂକ୍ରାନ୍ତି ପାଖାପାଖି ମନେ ପଡ଼ିଯାଏ ମୁଆଁ ମିଠା କଥା । ଦେଖିବାକୁ ଯେମିତି ସୁନ୍ଦର ପାଟିକୁ ବି ସେମିତି ସୁଆଦିଆ ।
ସମୟ ବଦଳିଛି କିନ୍ତୁ ସ୍ୱାଦ ନୁହେଁ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ମଧ୍ୟରେ ପ୍ରସ୍ତୁତ ହୁଏ ଧନୁ ମୁଆଁ । ଏହାର ପ୍ରସ୍ତୁତି ବ୍ରହ୍ମପୁରର ବିଶେଷତ୍ୱ । ସ୍ଥାନୀୟ ବଜାରରେ ଏହାର ବେଶ୍ ଚାହିଦା ରହିଥାଏ । ସଂକ୍ରାନ୍ତି ଆସିଲେ ଚଳଚଞ୍ଚଳ ହୋଇଉଠେ ବ୍ରହ୍ମପୁର ବଜାର । ମା' ତାରାତାରିଣୀ ଓ ମା' ବୁଢ଼ୀ ଠାକୁରାଣୀଙ୍କର ଏହି ମିଠା ଖୁବ୍ ପ୍ରିୟ । ଧନୁ ସଂକ୍ରାନ୍ତିରେ ମା'ଙ୍କୁ ମୁଆଁ ଭୋଗ କରି ଚାଷୀମାନେ ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାଆନ୍ତି । ଏହା ସହ ପରିବାର ସଦସ୍ୟମାନଙ୍କର ମଙ୍ଗଳ ପାଇଁ ଘର ମାନଙ୍କରେ ମୁଆଁ ଭୋଗ କରିବାର ପ୍ରଥା ରହିଛି । ପ୍ରଥମେ ଦେବୀଙ୍କୁ ଅର୍ପଣ କରି ମୁଆଁ ଅନୁକୂଳ କରାଯାଏ ତାପରେ ଯାଇ ଘରଲୋକ ଏହା ଖାଇଥାଆନ୍ତି । ଘରେ ଖାଇବା ସହ ସାଙ୍ଗସାଥୀ ଓ ବନ୍ଧୁ ବାନ୍ଧବଙ୍କୁ ଖୁସିରେ ମୁଆଁ ଭେଟି ମଧ୍ୟ ଦେଇଥାଆନ୍ତି ।
ଧନୁ ସଂକ୍ରାନ୍ତିରେ ସୂର୍ଯ୍ୟ, ଧନୁ ରାଶିକୁ ପ୍ରବେଶ କରିଥାଆନ୍ତି । ଏହି ଅବସରରେ ମୁଆଁ ଭୋଗ ଲାଗି ହେଉଥିବାରୁ ଏହାକୁ "ଧନୁ ମୁଆଁ" କୁହାଯାଏ ।
ପୌଷ ମାସରେ ନୂଆ ଧାନ ଅମଳ ହୁଏ ଏବଂ ସେହି ଧାନରୁ ପ୍ରସ୍ତୁତ ଖଇରେ ମୁଆଁ ତିଆରି କରାଯାଏ । ଦେଶୀ ଘିଅ, ଗୋଲମରିଚ, ଜୁଆଣି ମିଶା ଗୁଡ଼ ପାଗ ମୁଆଁର ବାସ୍ନା ସହ ଉପରେ ସଜାଯାଇଥିବା ନଡ଼ିଆ ପାତିଆ ଓ ବାଦାମର ସ୍ୱାଦ ଲୋକଙ୍କୁ ଆକର୍ଷିତ କରିଥାଏ । ଆଜି କାଲି ଗୁଡ଼ ପାଗ ପରିବର୍ତ୍ତେ ଚିନି ପାଗରେ ମଧ୍ୟ ମୁଆଁ ମିଳୁଛି । ଭଲ ପାଗ କରିବା ପାଇଁ ଏଥିରେ ଆବଶ୍ୟକ ଅନୁସାରେ ଲେମ୍ବୁ ରସ ମିଶାଯାଏ । ଗୋଟିଏ ଥର ପାଗ ପ୍ରସ୍ତୁତ ହେଲା ପରେ ଏହାକୁ ଠିକିରି, ଗୋଲିଆ, ଚାରିକୋଣିଆ, ଚେପଟା, ଡାଇମଣ୍ଡ, ଜହ୍ନ ଆଦି ବିଭିନ୍ନ ଛାଞ୍ଚ ଦେଇ ଭିନ୍ନ ଆକୃତି ଦିଆଯାଏ । ଶୁଦ୍ଧ ଘିଅ ମୁଆଁର ଚାହିଦା ସବୁଠାରୁ ଅଧିକ ରହିଥାଏ । ବର୍ଷ ବର୍ଷ ଧରି କୂଳ ବେଉସା ଥିବା କାରିଗରମାନେ ଏହାକୁ ତିଆରି କରି ଆସୁଛନ୍ତି ।
ମୁଆଁର ବିଭିନ୍ନ ପ୍ରକାର ରହିଛି । ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ପହିଲି ଭୋଗ ନୀତି ଅନୁଷ୍ଠିତ ହୁଏ । ବଡ଼ି ଭୋରରୁ ପ୍ରଭୁଙ୍କୁ ପହିଲି ଭୋଗ ସହ ମଧ୍ୟାନ୍ନ ଧୂପରେ ଧନୁ ମୁଆଁ ଭୋଗ ଲାଗି ହୋଇଥାଏ । କୁହାଯାଏ ଧନୁ ମୁଆଁ ଖାଇଲେ ଘୋଡ଼ଲାଗି ହୋଇଥିବା ମହାପ୍ରଭୁଙ୍କୁ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ମିଳେ । ବିମଳାଙ୍କ ପାଖରେ ମା' ବିମଳେଇ ଭୋଗ ଲାଗି ହୁଏ । ଏହି ସମୟରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମାସ ତମାମ ବାଳ ଧୂପରେ ମୁଆଁ ଭୋଗ କରାଯାଇଥାଏ ଏବଂ କାର୍ତ୍ତିକ ପୂର୍ଣ୍ଣମାରେ ଶ୍ରୀବଳଦେବଜୀଉଙ୍କ ପାଖରେ ମଧ୍ୟ ମୁଆଁ ଭୋଗର ପରମ୍ପରା ରହିଛି । ବେଣ୍ଟ ମୁଆଁ ଦିଅଁଙ୍କୁ ଅର୍ପଣ ହୁଏ । ଭୁବନେଶ୍ୱରର "ବଇଆ ସାହୁଙ୍କ' ଅନୁଷ୍ଠାନର ପ୍ରସିଦ୍ଧ କୋରା ଖଇ ଧନୁ ମୁଆଁର ସ୍ୱତନ୍ତ୍ର ପରିଚୟ ରହିଛି । ପଶ୍ଚିମ ଓଡ଼ିଶାର ଲୋକପ୍ରିୟ "ଜୁଗାର ଯାତ୍ରା"ରେ ମାନସିକଧାରୀମାନେ ମା' କାଳୀଙ୍କ ପାଖରେ 'ଜୁଗାର' ବା ମୁଆଁ ସମର୍ପଣ କରିଥାଆନ୍ତି । ଏହାର ଆକାର ବେଶ୍ ଆକର୍ଷଣୀୟ ହୋଇଥାଏ ।
କେବଳ ଆକାରରେ ନୁହେଁ ସ୍ୱାଦରେ ମଧ୍ୟ ବିଭିନ୍ନ ପ୍ରକାର ରହିଛି ଯେମିତିକି ସାଦା ମୁଆଁ, ଘିଅ ମୁଆଁ, ମସଲା ମୁଆଁ, କାଜୁ ମୁଆଁ, ଗୁଡ଼ ଓ ଡ୍ରାଏଫ୍ରୁଟ୍ ମୁଆଁ ଏମିତି ଅନେକ କିଛି । ଅଳ୍ପରୁ ଆରମ୍ଭ କରି ଅଧିକ ଯାଏଁ ବଜାରରେ ଆମକୁ ବିଭିନ୍ନ ଦାମ୍ର ମୁଆଁ ମିଳିଥାଏ । ଏଥିରେ ମିଶାଯାଉଥିବା ସାମଗ୍ରୀ ଅନୁଯାୟୀ ମୁଆଁର ଦର ନିର୍ଦ୍ଧାରିତ ହୋଇଥାଏ । ରାଜ୍ୟବ୍ୟାପୀ ଲୋକମାନେ ମୁଆଁକୁ ଖୁସିରେ ଖାଉଥିବା ବେଳେ ଦେଶ ବାହାରେ ମଧ୍ୟ ଏହାର ଲୋକପ୍ରିୟତା ରହିଛି । କୃଷି ପ୍ରଧାନ ଅଞ୍ଚଳରେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଖାଦ୍ୟ ଶସ୍ୟରୁ ସାଧାରଣ ଶୈଳୀରେ ନିର୍ମିତ ଏହି ପାରମ୍ପରିକ ମିଷ୍ଠାନ୍ନ ଆମ ସଂସ୍କୃତି ଓ ସ୍ୱାଦକୁ ଦେଇଛି ଭିନ୍ନ ଏକ ପରିଚୟ ।