ବିକାଶ ମୁଖରେ ଡେବ୍ରିଗଡ଼ ପର୍ଯ୍ୟଟନ

ଏକ ଶାନ୍ତ ସବୁଜ ପରିବେଶ । ସହରର ଭିଡ଼, ଗାଡ଼ି ମୋଟର କୋଳାହଳଠୁ ଦୂର ଯେଉଁଠି କେବଳ ପଶୁପକ୍ଷୀଙ୍କ ରାବ, ନିସ୍ତବ୍ଧତା ଭଙ୍ଗ କରୁଥିବ । ଭିତରେ ଯୁଆଡ଼େ ଦେଖିବ ସବୁଜ ବନାନୀ । ଖୋଲା ଆକାଶ ତଳେ ଲମ୍ବା ପ୍ରଶ୍ୱାସ ନେଲେ ମନରେ ସତେଜତା ଭରିଉଠୁଥିବ । ଶାଖା ପ୍ରଶାଖା ଭିତର ଦେଇ ଆସୁଥିବା ଖରା ରାସ୍ତା ସାରା ଛାଇ ଆଲୁଅରେ ଚିତ୍ର ଆଙ୍କୁଥିବ । ତାହାରି ଭିତରେ ରହିବାକୁ ଛୋଟ ଘରଟିଏ । ପହଞ୍ଚିଲେ ଘରକୁ ଆଦର ସହକାରେ ପାଛୋଟି ନିଆଯିବ । ରଙ୍ଗ ବେରଙ୍ଗ ଚିତ୍ରିତ କାନ୍ଥ, ରହିବା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ, ଘରୋଇ ଖାଇବା ସହ ପ୍ରକୃତି କୋଳରେ ଭରପୁର ମଜା ନେଇପାରିବେ । 

ସମୁଦ୍ର, ପାହାଡ଼, ନଦୀ ଭଳି ପ୍ରାକୃତିକ ସୌନ୍ଦଯ୍ୟପୂର୍ଣ୍ଣ ସ୍ଥାନ ବୁଲିବାକୁ ଗଲେ ପର୍ଯ୍ୟଟକ ଗୋଟିଏ ଦୁଇ ଦିନ ବିତାଇବା ପାଇଁ ପସନ୍ଦ କରୁଛନ୍ତି । ଲୋକମାନଙ୍କ ଏହି ପସନ୍ଦକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ସ୍ଥାନରେ ଇକୋ-ଷ୍ଟେ, ନେଚର୍ କ୍ୟାମ୍ପ୍‌, ଫାର୍ମ ଆଉ ହୋମ୍‌-ଷ୍ଟେ ଆଦିର ବ୍ୟବସ୍ଥା କରାଯାଉଛି । ହୋମ୍‌-ଷ୍ଟେ ଗୁଡ଼ିକରେ ଆପଣ ପ୍ରାକୃତିକ ଶୋଭା ଉପଭୋଗ କରିବା ସହ କିଛି ସ୍ଥାନରେ ଏଣ୍ଟର୍‌ଟେନିଂ ଆକ୍ଟିଭିଟିସ୍ ମଧ୍ୟ ରହୁଛି । 

କିଛି ଏମିତି ହିଁ ପ୍ରାକୃତିକ ପରିବେଶରେ ରହଣି ବ୍ୟବସ୍ଥାର ଆୟୋଜନ କରାଯାଇଛି ବରଗଡ଼ ଜିଲ୍ଲାସ୍ଥିତ ଧୋଦ୍ରୋକୁସୁମ ଗ୍ରାମରେ । ଡେବ୍ରିଗଡ଼ ୱାଇଲ୍ଡ ଲାଇଫ୍ ସାଞ୍ଚୁରୀ ଓଡ଼ିଶାରେ ଏକ ନୂଆ ପର୍ଯ୍ୟଟନ ସ୍ଥଳ ଭାବେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରୁଛି । ହୀରାକୁଦ ଜଳ ଭଣ୍ଡାର ସହ ସଂଲଗ୍ନ ଏହି ସାଞ୍ଚୁରୀରେ ଉଭୟ ଭୂମି ତଥା ଜଳୀୟ ଜୈବ ବିବିଧତା ଦେଖିବାକୁ ମିଳେ । ତେଣୁ ସ୍ଥାନର ଲୋକପ୍ରିୟତା ଦେଖି ଏଠାରେ ରଷ୍ଟିକ୍ କମ୍ୟୁନିଟି-ଷ୍ଟେ ର ବ୍ୟବସ୍ଥା ଆରମ୍ଭ କରାଯାଇଛି । ଡେବ୍ରିଗଡ଼ ପାହାଡ଼ର ପାଦଦେଶରେ ଅବସ୍ଥିତ ଏହି ହୋମ୍‌-ଷ୍ଟେ ଗୁଡ଼ିକରେ ଆପଣ ହୀରାକୁଦ ଜଳ ଭଣ୍ଡାରର ଆକର୍ଷଣୀୟ ଦୃଶ୍ୟକୁ ଉପଭୋଗ କରିପାରିବେ । ପର୍ଯ୍ୟଟକ ଏଠି ସଫାରୀ, ହୀରାକୁଦ କ୍ରୁଜ୍‌, ବାର୍ଡିଂ ଟ୍ରେଲ୍‌, ଆଇଲାଣ୍ଡ କ୍ୟାଫେ, ଟ୍ରେକିଂ, ହାଇକିଂ, ସାଇକେଲିଂ ଏବଂ ସାଇଟ୍ ଭିଜିଟିଂ ଭଳି ଅନେକ ମନୋରଞ୍ଜନକାରୀ ଆକ୍ଟିଭିଟିଜ୍ ରହିଛି ।

ଏମିତି ଇକୋ-ଷ୍ଟେ ବ୍ୟବସ୍ଥା ଆପଣ ଓଡ଼ିଶାରେ କୋଣାର୍କ, ପୂରୀ, ସାତକୋଶିଆ, ଭିତରକନିକା ଭଳି ବହୁତ ସ୍ଥାନରେ ପାଇବେ । ହେଲେ ଧୋଦ୍ରୋକୁସୁମରେ ଆରମ୍ଭ ହୋଇଥିବା ୫ଟି ନୂଆ ହୋମ୍‌-ଷ୍ଟେ ଟିକିଏ ଭିନ୍ନ । କାରଣ ଏହା କୌଣସି ବ୍ୟବସାୟୀ ବା କମ୍ପାନୀ ପକ୍ଷରୁ ନୁହେଁ ବରଂ ସରକାରଙ୍କ ଜଙ୍ଗଲ ବିଭାଗ ଅଧୀନରେ ସ୍ଥାନୀୟ ଗ୍ରାମର ଗୋଷ୍ଠୀ ଦ୍ୱାରା ପରିଚାଳିତ । ବିଶେଷ କଥା ହେଲା ଏହାକୁ ମହିଳାମାନେ ପରିଚାଳନା କରୁଛନ୍ତି । ଯେଉଁମାନେ ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ । ଘର ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହେବା ପାଇଁ ଗାଁର କିଛି ମହିଳା ଅଣ୍ଟା ଭିଡ଼ିଛନ୍ତି ।  

ରଷ୍ଟିକ୍ ହୋମ୍‌-ଷ୍ଟେ ରେ ଘର ଗୁଡ଼ିକୁ ଆଗନ୍ତୁକଙ୍କ ପାଇଁ ଗ୍ରାମୀଣ ଶୈଳୀରେ ସୁସଜ୍ଜିତ କରି ଋପାନ୍ତର କରାଯାଇଛି । ସାଜସଜ୍ଜା ପାଇଁ ସ୍ଥାନୀୟ କାରିଗରଙ୍କ ହାତ ତିଆରି ସାମଗ୍ରୀ ବ୍ୟବହାର କରାଯାଇଛି । ପ୍ରକୃତିର ଅନୁଭବ ଦେବା ପାଇଁ ଏହାର କାନ୍ଥ ଗୁଡ଼ିକ ମାଟିରେ ତିଆରି ଓ ଏଥିରେ ସମ୍ବଲପୁରୀ ଡିଜାଇନ୍ ରହିଛି, ଘର ତିଆରି ଉପକରଣ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକ ପାଇଁ ମାଟି, ଗୋବର, ଘସି ଓ ପ୍ରାକୃତିକ ଟାଇଲ୍ ଆଦି ବ୍ୟବହାର କରାଯାଇଛି । ଘର ଗୁଡ଼ିକରେ ଆଧୁନିକ ସୁବିଧା ଯଥା- ଫର୍ନିଚର୍‌, ଆଟାଚ୍‌ଡ୍‌୍ ବାଥ୍‌ରୁମ୍‌,୨୪ ଘଣ୍ଟା ୱାଟର୍ ସପ୍ଲାଏ,ଏନର୍ଜି କନ୍‌ଜର୍ଭେସନ୍ ଫ୍ୟାସିଲିଟି ଓ ଶିଶୁ ମାନଙ୍କ ପାଇଁ ଖେଳିବା ସ୍ଥାନ ସହ କ୍ୟାମ୍ପ୍ ଫାୟାର୍ ବ୍ୟବସ୍ଥା ଆଦିର ସୁବିଧା ରହିଛି । ଆତିଥ୍ୟତାପୂର୍ଣ୍ଣ ବ୍ୟବହାର ସଙ୍ଗେ ଘର ପରିଚାଳିକା ଅତିଥିଙ୍କ ପାଇଁ ସୁସ୍ୱାଦୁ ତଥା ସ୍ୱାସ୍ଥ୍ୟକର ଘରୋଇ ଖାଦ୍ୟ ପରଷିଦେବେ । ୱେବ୍‌ସାଇ୍‌ଟ୍ ମାଧ୍ୟମରେ ଏହପରିି ମଡ଼୍ ହୋମ୍‌-ଷ୍ଟେ ଗୁଡ଼ିକର ସମୟ ସହ ବୁକିଂ ବଢ଼ିଛି ଓ ବାହାର ପର୍ଯ୍ୟଟକ ଏଥିପ୍ରତି ଆକର୍ଷିତ ହେଉଛନ୍ତି । ପର୍ଯ୍ୟଟକ ଡେବ୍ରିଗଡ଼ର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏଠି ରହି ସ୍ଥାନୀୟ ସଂସ୍କୃତି, ପରମ୍ପରା ଓ ପ୍ରଥାର ନିଆରା ଅନୁଭୂତି ନେଇପାରିବେ । 

ଏହା ପ୍ରମାଣ ଦେଉଛି ଯେ, ଗ୍ରାମାଞ୍ଚଳରେ ତଥା ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ବିକାଶକୁ ନେଇ ସଚେତନ ଓ କିଛି ନୂଆ କରିଦେଖାଇବା ପାଇଁ ଆଗ୍ରହୀ । ଧୋଦ୍ରୋକୁସୁମ ଅଧୀବାସୀ, ଗ୍ରାମକୁ ଗ୍ରୀନ୍ ଭିଲେଜ୍‌ରେ ପରିଣତ କରିବା ପାଇଁ ଡେଫିକେସନ୍ ଫ୍ରି ଭିଲେଜ୍‌, ଜିରୋ ପ୍ଲାଷ୍ଟିକ୍ ୟୁଜ୍‌, ଡଷ୍ଟ୍‌ବିନ୍ ଓ ଗ୍ୟାସ୍‌ର ସୁନିଶ୍ଚିତ ବ୍ୟବହାର ଭଳି ବିଭିନ୍ନ ପରିବେଶ ଉପଯୋଗୀ ପଦକ୍ଷେପ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶାରେ ଏହି ଇକୋ ଟୁରିଜିମ୍‌ର ପ୍ରୟାସ ମାଧ୍ୟମରେ ସ୍ଥାନୀୟ ଅଧିବାସୀ ଏକ ସ୍ୱଚ୍ଛନ୍ଦ ଜୀବନ ଯାପନ କରିବା ସହ ଜୈବ ବିବିଧତାର ସୁରକ୍ଷାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।