ଚାନ୍ଦିପୁର ବେଳାଭୂମି: ଯେଉଁଠି ସମୁଦ୍ର ଖେଳେ ଲୁଚକାଳି

ସକାଳ ହେଉ କି ସନ୍ଧ୍ୟା ସମୁଦ୍ରକୂଳରେ ଟିକିଏ ବୁଲି ଆସିଲେ ଭାରି ଶାନ୍ତି ଲାଗେ । ହେଲେ ଆପଣ ସମୁଦ୍ର ବୁଲିବାକୁ ଯିବେ କିନ୍ତୁ ପାଣି ନଥିବ! ଏମିତି କିଛି କେବେ ଦେଖିଛନ୍ତି? ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ବାଲେଶ୍ୱର ଚାନ୍ଦିପୁର ବେଳାଭୂମି ଗଲେ ଆପଣ ପ୍ରକୃତିର ଏହି ଭିନ୍ନ ରୂପ ଦେଖିପାରିବେ । ଏହି ମନୋରମ ଦୃଶ୍ୟ ଆପଣଙ୍କୁ କେବଳ ଏହି ବେଳାଭୂମିରେ ହିଁ ଦେଖିବାକୁ ମିଳିବ । ଦେଖିବାକୁ ଶାନ୍ତ ଓ ରହସ୍ୟମୟ ଲାଗେ । 

ଭଟ୍ଟା ପଡ଼ିବା ସହ ସମୁଦ୍ର ପାଣି ପ୍ରାୟ ୫ କିଲୋମିଟର ପଛକୁ ପଳାଏ ଏବଂ ସୃଷ୍ଟିକରେ ଅର୍ଦ୍ଧ ଆଦ୍ର ବିସ୍ତୀର୍ଣ୍ଣ ସମୁଦ୍ରତଟ । ଏଠାରେ ବୁଲିବା ବେଳେ ଶାମୁକା କଙ୍କଡ଼ା ଆଦି ଛୋଟ ଛୋଟ ସାମୁଦ୍ରିକ ଜୀବ ଦେଖିବାକୁ ମିଳନ୍ତି । ଢ଼େଉ କଡ଼େ କଡ଼େ ଚାଲିବାର ମଜା ଅଲଗା ମାତ୍ର ଖାଲି ସମୁଦ୍ରର ମଝି ଯାଏଁ ବୁଲିବାର ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ । ହେଲେ ସନ୍ଧ୍ୟା ସମୟରେ ଯେତେବେଳେ ଜୁଆର ଆସେ, ସମୁଦ୍ର ପୁଣି ତଟକୁ ଚାଲିଆସେ । ଧିରେ ଧିରେ ଛୋଟ ଛୋଟ ସମୁଦ୍ର ଢ଼େଉ ସାଙ୍ଗରେ ଆଗକୁ ମାଡ଼ିଆସୁଥିବା ସମୁଦ୍ର ସହ ଚାଲି ଚାଲି ଆସିବାର ଅନୁଭୂତି ପର୍ଯ୍ୟଟକଙ୍କ ପାଇଁ ଭାରି ରୋମାଞ୍ଚକର ହୋଇଥାଏ ।

 ଜୈବବିବିଧତାରେ ପୂର୍ଣ୍ଣ ଏହି ବେଳାଭୂମିରେ ବିଭିନ୍ନ ସାମୁଦ୍ରିକ ମାଛ ଓ ଜୀବ ସହ ଏହି ଅଞ୍ଚଳରେ ବିରଳ ଅଶ୍ୱଖୁରାକୃତି କଙ୍କଡ଼ା ଦେଖିବାକୁ ମିଳିଥାଏ । ଛୋଟ ନାଲି କଙ୍କଡ଼ା ଗୁଡ଼ିକ ପାଣିଛଡ଼ା ସମୁଦ୍ରର ବାଲି କୁଦରେ ଖେଳିବୁଲୁଥିବାର ଦୃଶ୍ୟ ସୂର୍ଯ୍ୟାସ୍ତ ସମୟରେ ବେଶ ମନୋରମ ହୋଇଥାଏ । 

କିଛି ପର୍ଯ୍ୟଟକ ସମୁଦ୍ରର ସୌନ୍ଦର୍ଯ୍ୟକୁ ଚାଲି ଚାଲି ଉପଭୋଗ କରିବାକୁ ପସନ୍ଦ କରୁଥିବାବେଳେ କିଛି ଏହା ଭିତରେ ଗାଡ଼ି ଚଳାଇ ବୁଲିବାର ମଜା ନେଇଥାଆନ୍ତି । ବୁଲି ବୁଲି ହାଲିଆ ହେଲେ ଭୋକ ତ ନିହାତି ଲାଗିବ । ଚାନ୍ଦିପୁର ବେଳାଭୂମିରେ ଥାଇ ସି-ଫୁଡ଼୍ ନ ଖାଇଲେ କ’ଣ ମଜା! ସନ୍ଧ୍ୟାରେ ବିଭିନ୍ନ ଖାଦ୍ୟର ପସରା ଜମିଥାଏ । ପମ୍‌ଫ୍ରେଟ୍‌, କଙ୍କଡ଼ା, ଚିଙ୍ଗୁଡ଼ି ଆଉ ମାଛର ଭଳକିି ଭଳି ସୁଆଦିଆ ଆଇଟମ୍ ପାଖରେ ଲୋକଙ୍କର ଭାରି ଭିଡ଼ ଜମେ ।

କେବଳ ଅନନ୍ୟ ବେଳାଭୂମି ନୁହେଁ ଚାନ୍ଦିପୁରଠାରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ ରହିଛି ଯେଉଁଠାରେ ଡିଆରଡ଼ିଓ ମିଶାଇଲ୍ ପରୀକ୍ଷଣ କେନ୍ଦ୍ର ରହିଛି । ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମିଶାଇଲ୍ ଗୁଡ଼ିକର ପରୀକ୍ଷଣ ପାଇଁ ଚାନ୍ଦିପୁରରେ ଥିବା ଏହି ଟେଷ୍ଟ୍ ରେଞ୍ଜର ନାମ ହେଉଛି ଅବଦୁଲ୍ କାଲାମ୍ ଦ୍ୱୀପ । ବାଲେଶ୍ୱର ଜିଲ୍ଲା ବୁଲିବାକୁ ଯାଉଛନ୍ତି ତେବେ ଚାନ୍ଦିପୁର ବ୍ୟତୀତ ସେଠାରେ କୁଲ୍‌ଡ଼ିହା ୱାଇଲ୍ଡ ଲାଇଫ୍ ସାଞ୍ଚୁରୀ, ପଞ୍ଚଲିଙ୍ଗେଶ୍ୱର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ଇମାମି ଜଗନ୍ନାଥ ମନ୍ଦିର ଆଦି ବୁଲିପାରିବେ । ଏହାଛଡ଼ା ଆଜିକାଲି ପର୍ଯ୍ୟଟକଙ୍କ ବୁଲିବା ସଉକକୁ ଦୃଷ୍ଟିରେ ରଖି ସମୁଦ୍ରକୂଳରେ ସମସ୍ତ ସୁବିଧା ବିଶିଷ୍ଟ ନେଚର୍ କ୍ୟାମ୍ପ ଅଛି । ବୁଲାବୁଲି କରିବା ସହିତ ଆପଣ ସେଠାରେ ପ୍ରାକୃତିକ ପରିବେଶର ମଜା ନେଇପାରିବେ । ସେଠାରେ ତାଳସାରୀ ଓ ଦୁବଲାଗଡ଼ି ବେଳାଭୁମି ମଧ୍ୟ ଆଜିକାଲି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି । ଜଙ୍ଗଲ ଓ ଝାଉଁ ବଣ ଭିତରେ ଇକୋ ଷ୍ଟେ ବୁକ୍ କଲେ ଆପଣଙ୍କୁ ବହୁତ କିଛି ରୋମାଞ୍ଚକର ୱାଟର୍ ସ୍ପୋର୍ଟ ଓ ବିଭିନ୍ନ ଆକ୍ଟିଭିଟିସ୍ କରିବାର ସୁଯୋଗ ମିଳିବ । ଏଠି ପ୍ରି-ୱେଡ଼ିଂ ସୁଟ୍ ସହ ସ୍ପେସାଲ୍ ଇଭେଣ୍ଟ୍ ଆୟୋଜନର ବ୍ୟବସ୍ଥା ମଧ୍ୟ ମିଳିଯିବ । 

ପ୍ରକୃତି କୋଳରେ ଏମିତି ଲୁଚି ରହିଛି କେତେ ରହସ୍ୟ ଯାହାର ସୌନ୍ଦର୍ଯ୍ୟ ସବୁବେଳେ ମନ ବିଭୋର କରୁଥାଏ । ଆପଣ ଯଦି ସମୁଦ୍ର ପ୍ରେମୀ ତାହେଲେ ଚାନ୍ଦିପୁର ଆପଣଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ । ଯେକୌଣସି ଋତୁ ହେଉ ନା କାହିଁକି ଏଠାକୁ ଯେବେ ବି ଆସିଲେ ଆପଣ ପ୍ରକୃତିର ଏହି ଅନନ୍ୟ ଉଦାହରଣକୁ ନିଶ୍ଚିତ ଉପଭୋଗ କରିପାରିବେ ।