ପୁରାତନ ପରମ୍ପରାରୁ ପ୍ରେରଣା ସାଜିଛି 'ତୁମ୍ବା'
ଓଡ଼ିଶାର ଆଦିବାସୀ ଜୀବନଶୈଳୀକୁ ଯଦି ନିକଟରୁ ଅନୁଧ୍ୟାନ କରିବା, ତେବେ ସେମାନଙ୍କ ଜୀବନ ପ୍ରକୃତି ସହ କେତେ ନିବିଡ଼ ଭାବରେ, ଜଡ଼ିତ ଏହା ସହଜରେ ବୁଝିହେବ । ଜଙ୍ଗଲ, ଗଛ ଲତା, ଫୁଲ, ଫଳ, ମାଟି, ପାଣି ଓ ପଥର—ସବୁକିଛି ସେମାନଙ୍କ ପାଇଁ କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ଜୀବନର ସହଯାତ୍ରୀ। ପ୍ରକୃତି ଯାହା ଦେଇଛି, ତାହାକୁ ସର୍ବାଧିକ ସଦୁପଯୋଗ କରି ଏକ ସ୍ୱାବଲମ୍ବୀ ତଥା ପରିବେଶ- ଉପଯୋଗୀ ଜୀବନଶୈଳୀ ଗଢ଼ି ତୋଳିଛନ୍ତି ଆଦିବାସୀ ସମ୍ପ୍ରଦାୟ।
ଏହି ପ୍ରାକୃତିକ ଜୀବନଶୈଳୀର ଏକ ଅଦ୍ଭୁତ ଉଦାହରଣ ହେଉଛି ତୁମ୍ବା। ଆଜିର ପିଢ଼ି ପାଇଁ ଏହା ହୁଏତ ଏକ ସାଧାରଣ ଶୁଖିଲା ଫଳ, କିନ୍ତୁ ଓଡ଼ିଶାର ଅନେକ ଆଦିବାସୀ ପରିବାର ପାଇଁ ତୁମ୍ବା ହେଉଛି ଜୀବନର ଅବିଚ୍ଛିନ୍ନ ଅଂଶ। ଏହା ଏକ ପାତ୍ର, ଏକ ସଂରକ୍ଷଣ ସାମଗ୍ରୀ, ଏକ ସଙ୍ଗୀତ ବାଦ୍ୟ ଯନ୍ତ୍ରର ଅଂଶ ଏବଂ ଏକ ଶିଳ୍ପକୃତି ମଧ୍ୟ ହୋଇପାରେ ।
ତୁମ୍ବା ଲତାଜାତୀୟ ଉଦ୍ଭିଦ ଲାଉ ଫଳ। ଫଳଟି ସମ୍ପୂର୍ଣ୍ଣ ପରିପକ୍ୱ ହୋଇ ଶୁଖିଯିବା ପରେ ଏହାର ଭିତର ଅଂଶକୁ ବାହାର କରାଯାଏ ଓ ଶକ୍ତ ଖୋଳକୁ ବିଭିନ୍ନ ବ୍ୟବହାର ଉପଯୋଗୀ ସାମଗ୍ରୀରେ ପରିଣତ କରାଯାଏ। ତୁମ୍ବାର ବିଶେଷତା ହେଉଛି ଏହା ଯେମିତି ହାଲୁକା ସେମିତି ମଜଭୁତ, ଦୀର୍ଘସ୍ଥାୟୀ ଓ ସମ୍ପୂର୍ଣ୍ଣ ପ୍ରାକୃତିକ। କେବଳ ସେତିକି ନୁହେଁ ଏହାର ସବୁଠାରୁ ବଡ଼ ସ୍ୱତନ୍ତ୍ରତା ହେଉଛି ଏହାର ଅନନ୍ୟ ଆକାର। ପାରମ୍ପରିକ ବ୍ୟବହାର ବ୍ୟତୀତ ଏହାକୁ ଯେତେବେଳେ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଏ ସେବେ ତୁମ୍ବାର ପ୍ରାକୃତିକ ଆକରକୁ ନେଇ ସୃଜନଶୀଳତାର ସହ ସାଜସଜ୍ଜା ଉପକରଣ ସବୁ ପ୍ରସ୍ତୁତ କରାଯାଏ।
ଯେଉଁ ସମୟରେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକର ପ୍ରଚଳନ ନଥିଲା କେବଳ ଧାତୁର ପାତ୍ରର ବ୍ୟବହାର ଥିଲା। ସେହି ସମୟରେ ତୁମ୍ବା ଥିଲା ଆଦିବାସୀ ସମାଜ ପାଇଁ ସହଜ ବିକଳ୍ପ। ପିଢ଼ି ପରେ ପିଢ଼ି ଏହାର ବ୍ୟବହାର ଆଜି ମଧ୍ୟ ଅନେକ ଅଞ୍ଚଳରେ ରହିଥିବା ବେଳେ ଏହାର ଉପଯୋଗିତା ଆଧୁନିକ ସମୟରେ ଆଗ୍ରହ ବିଷୟ ପାଲଟିଛି।
ଓଡ଼ିଶାର କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତୁମ୍ବା କେବଳ ଏକ ଉପକରଣ ନୁହେଁ; ନିତିଦିନିଆ ଜୀବନ ଜଡ଼ିତ ଏକ ପରମ୍ପରା। ଘରର ଚାଳରୁ ଝୁଲିଥିବା ତୁମ୍ବା, ଜଙ୍ଗଲକୁ ଯିବାବେଳେ କାନ୍ଧରେ ଝୁଲୁଥିବା ତୁମ୍ବା କିମ୍ବା ଶସ୍ୟ ଭରି ରଖାଯାଇଥିବା ତୁମ୍ବା—ଏସବୁ ଗ୍ରାମୀଣ ଜୀବନର ସାଧାରଣ ଚିତ୍ର।
ତୁମ୍ବାର ବିଭିନ୍ନ ବ୍ୟବହାର
. ଜଳ ସଂରକ୍ଷଣ ଓ ବହନ
ତୁମ୍ବାର ସବୁଠାରୁ ଅଧିକ ବ୍ୟବହାର ପାଣି ରଖିବା ପାଇଁ ହୋଇଥାଏ। ଜଙ୍ଗଲ କିମ୍ବା ଚାଷଜମିକୁ ଯିବାବେଳେ ଲୋକମାନେ ତୁମ୍ବାରେ ପାଣି ନେଇ ଯାଆନ୍ତି। ଏହା ହାଲୁକା ହୋଇଥିବାରୁ ବହନ କରିବା ସହଜ ଏବଂ ଭିତରେ ରହିଥିବା ପାଣି ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ରହେ।
. ଶସ୍ୟ ଓ ବୀଜ ସଂରକ୍ଷଣ
ଗ୍ରାମାଞ୍ଚଳରେ ମାଣ୍ଡିଆ, କାଙ୍ଗୁ, ସୁଆଁ, ଡାଲି, ବିଭିନ୍ନ ପନିପରିବା ଏବଂ ବୀଜ ଆଦିକୁ ତୁମ୍ବାରେ ସଂରକ୍ଷଣ କରାଯାଏ। ଏହା ଆର୍ଦ୍ରତାରୁ ସୁରକ୍ଷା ଦେବା ସହ ବୀଜର ଗୁଣବତ୍ତା ବଜାୟ ରଖିଥାଏ।
. ରୋଷେଇ ଘରର ଉପକରଣ
ତୁମ୍ବାରୁ ବିଭିନ୍ନ ଆକାରର ବାଟି, ଡୋଳି, ମାପ ପାତ୍ର, ଚାମଚ ଇତ୍ୟାଦି ପ୍ରସ୍ତୁତ କରାଯାଏ। ଏହା ଦୈନନ୍ଦିନ କାମକୁ ସହଜ କରେ।
. ସଙ୍ଗୀତ ଓ ଲୋକସଂସ୍କୃତି
ଲୋକବାଦ୍ୟରେ ତୁମ୍ବାର ବ୍ୟବହାର ଆଜି ମଧ୍ୟ ଦେଖିବାକୁ ମିଳେ। ଏହାର ଭିତର ଫମ୍ପା ଅଂଶ ସ୍ୱରକୁ ଅଧିକ ଗଭୀର ଓ ମଧୁର କରିଥାଏ। ଲୋକଗୀତ ଓ ପାରମ୍ପରିକ ନୃତ୍ୟରେ ଏହାର ବିଶେଷ ସ୍ଥାନ ରହିଛି।
. ହସ୍ତଶିଳ୍ପ ଓ ଜୀବିକା
ବର୍ତ୍ତମାନ ତୁମ୍ବାକୁ ଆଧାର କରି ବିଭିନ୍ନ ସାମଗ୍ରୀ ଯଥା ଲ୍ୟାମ୍ପ, ଫୁଲଦାନୀ, ଶୋ-ପିସ୍ ଓ ଅଳଙ୍କାର ତିଆରି କରାଯାଉଛି। ଏହା ଆଦିବାସୀ କାରିଗରଙ୍କ ପାଇଁ ରୋଜଗାରର ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି।
ତୁମ୍ବାର ସ୍ୱାସ୍ଥ୍ୟ ଓ ପରିବେଶଗତ ଉପକାରିତା ରହିଛି।
-ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଜୈବ-ଅବକ୍ଷୟଶୀଳ
-ପ୍ଲାଷ୍ଟିକ ପାତ୍ରର ଏକ ଉତ୍ତମ ବିକଳ୍ପ
-ରାସାୟନିକ ପଦାର୍ଥ ମୁକ୍ତ
-କମ୍ ଖର୍ଚ୍ଚରେ ଦୀର୍ଘ ସମୟ ବ୍ୟବହାରଯୋଗ୍ୟ
-ପରିବେଶ ପ୍ରଦୂଷଣ ହ୍ରାସରେ ସହାୟକ
କେବଳ ଘରୋଇ ବ୍ୟବହାର ନୁହେଁ, ତୁମ୍ବା ଆଦିବାସୀ ଅର୍ଥନୀତିର ମଧ୍ୟ ଏକ ଅଂଶ। ଗ୍ରାମାଞ୍ଚଳରେ ଏହାର ଚାଷ, ସଂଗ୍ରହ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଅନେକ ପରିବାରକୁ ଅତିରିକ୍ତ ଆୟର ସୁଯୋଗ ଦେଉଛି।
ଓଡ଼ିଶାର ଆଦିବାସୀ ସଂସ୍କୃତିରେ ତୁମ୍ବା ଏକ ସାଧାରଣ ବସ୍ତୁ ହୋଇଥିଲେ ମଧ୍ୟ ତାହାର ମହତ୍ତ୍ୱ ଅସାଧାରଣ। ତୁମ୍ବାର ବ୍ୟବହାର, ଏହାକୁ କେନ୍ଦ୍ର କରି ଗଢ଼ିଉଠିଥିବା ଲୋକଜ୍ଞାନ ଏବଂ ଆଦିବାସୀ ସମ୍ପ୍ରଦାୟର ସୃଜନଶୀଳତା ଆମ ଐତିହ୍ୟର ଅମୂଲ୍ୟ ସମ୍ପଦ। ଏହି ପରମ୍ପରାକୁ ସଂରକ୍ଷଣ କରିବା, ନୂତନ ପିଢ଼ି ସହ ପରିଚିତ କରାଇବା ଓ ଏହାକୁ ଆଧୁନିକ ବଜାର ସହ ଯୋଡ଼ିବା ଦ୍ୱାରା କେବଳ ଆମ ସଂସ୍କୃତି ନୁହେଁ, ଆମର ପରିବେଶ ଓ ଗ୍ରାମୀଣ ଅର୍ଥନୀତି ମଧ୍ୟ ଆହୁରି ସମୃଦ୍ଧ ହୋଇପାରିବ।