ମନ ଜିତୁଛି ଜିତେନ୍ଦ୍ରଙ୍କ ଯାଦୁକରୀ କଳା
ଅବକାଶ ସମୟ ସଭିଙ୍କୁ ଭଲ ଲାଗେ। ସମସ୍ତେ ନିଜ ରୁଚି ଅନୁସାରେ କିଛି ନା କିଛି କରି ସମୟ ଅତିବାହିତ କରନ୍ତି। କିଛି କଳା ପ୍ରେମୀଙ୍କ ପାଇଁ ଏହି ଅତିରିକ୍ତ ସମୟ ପାଲଟିଯାଏ ଉତ୍କୃଷ୍ଟ କାରିଗରୀର ଏନ୍ତୁଡ଼ିଶାଳ।
ଗାଡ଼ିର ପୁରୁଣା ଚେନ୍, ସ୍ପୋକେଟ୍, ଟାୟାର ରିମ୍ ଭଳି
ବିଭିନ୍ନ ଅଟୋମୋବାଇଲ୍ ପାର୍ଟସ୍ ଯାହା ଗ୍ୟାରେଜ୍ର ଗୋଟିଏ କୋଣରେ ପଡ଼ି ରହିଥାଏ ଏହି ଜିନିଷଗୁଡ଼ିକର ଆଉ କାହା ପାଇଁ ଅଦରକାରୀ ହୋଇପାରେ ହେଲେ ଭୁବନେଶ୍ୱରର ଜିତେନ୍ଦ୍ରଙ୍କ ପାଇଁ ଏସବୁ ହେଉଛି କଞ୍ଚାମାଲ। ନିଜ ଦକ୍ଷତାକୁ କେବଳ ଚାକିରିରେ ସୀମିତ ନରଖି, ଗ୍ୟାରେଜର ଅବ୍ୟବହୃତ ଜିନିଷକୁ ନୂଆ ଜୀବନ ଦେବାରେ ସେ ଖୋଜିଛନ୍ତି ନିଜର ଅଲଗା ରାସ୍ତା।
ଜିତେନ୍ଦ୍ରଙ୍କ ପାଇଁ ଗାଡ଼ିର ପୁରୁଣା ପାର୍ଟସ୍ କେବଳ ଲୁହା ନୁହେଁ। ସେଗୁଡ଼ିକ ହେଉଛି ତାଙ୍କ କଳ୍ପନାର କ୍ୟାନଭାସ୍। ଆଉ ସେହି କ୍ୟାନଭାସ୍ରେ ତିଆରି ହେଉଥିବା ପ୍ରତ୍ୟେକ ଘଣ୍ଟା ସମୟ ଦେଖାଇବା ସହ କିଛି ନୂଆ କରି
ଦେଖାଇବାର ପ୍ରୟାସକୁ ଦେଇଛି ନୂଆ ପରିଚୟ।
ଭାବନ୍ତୁ, ପସନ୍ଦ କରି କିଣିଥିବା ପ୍ରିୟ ବାଇକ୍ଟି ବର୍ଷ ବର୍ଷ ଧରି ଆପଣଙ୍କ ସାଥୀ ଥିଲା। ଦିନେ ସେହି ବାଇକ୍ଟି ଆଉ ରାସ୍ତାରେ ଚାଲିନପାରେ। କିନ୍ତୁ ତା’ର କୌଣସି ପାର୍ଟକୁ ଜିତେନ୍ଦ୍ରଙ୍କ ହାତରେ ଦିଆଗଲେ, ସେହି ପୁରୁଣା ସ୍ମୃତି ଏକ ନୂଆ ରୂପରେ ଘରକୁ ଫେରିପାରେ। ପୁରୁଣା ଜିନିଷକୁ ନୂଆ ଭାବେ ପାଇବାର ଖୁସି... ୟାଠୁ ଅଧିକ ଆଉ କେମିତି ହୋଇପାରିବ।
ପ୍ରାୟ ବର୍ଷେରୁ ଦେଢ଼ ବର୍ଷ ହେଲା ଜିତେନ୍ଦ୍ର ଏଭଳି ପୁରୁଣା ଗାଡ଼ି ପାର୍ଟସ୍କୁ ନୂଆ ରୂପ ଦେଇଆସୁଛନ୍ତି। ପାରମ୍ପରିକ ଘଣ୍ଟା ସ୍ଥାନରେ ବାଇକ୍ର ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରି ସେ ତିଆରି କରୁଥିବା ଘଣ୍ଟାର ଚାହିଦା ଧୀରେ ଧୀରେ ବଢ଼ୁଛି। ୨ ହଜାର ଟଙ୍କାରୁ ଘଣ୍ଟାର ଦାମ ଆରମ୍ଭ ହେଉଥିବା ବେଳେ, ଡିଜାଇନ୍ ଓ ବ୍ୟବହୃତ ପାର୍ଟସ୍ ଅନୁସାରେ ଦାମ ଅଲଗା ହୋଇଥାଏ। ଇନ୍ଷ୍ଟାଗ୍ରାମ୍ ଓ ଫେସବୁକ୍ ମାଧ୍ୟମରେ ଅଧିକାଂଶ ଅର୍ଡର ଆସିଥାଏ। ଭୁବନେଶ୍ୱରରୁ ଆରମ୍ଭ କରି ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ କେରଳ ପର୍ଯ୍ୟନ୍ତ ସବୁଠି ଏହା ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ବିଶେଷକରି ରୁମ୍ ଡେକୋର୍ ଓ ବାଇକ୍ପ୍ରେମୀଙ୍କ ମଧ୍ୟରେ ଏହି ନିଆରା କଳାକୃତିର ବେଶ୍ ଚାହିଦା ରହିଛି। ଜିତେନ୍ଦ୍ର କେବଳ ନିଜ ପସନ୍ଦରେ ନୁହେଁ ଗ୍ରାହକଙ୍କ ପସନ୍ଦ ଅନୁସାରେ ନୂଆ ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି। ଦିନ ସାରା କାମ କରିବା ପରେ ଜିତେନ୍ଦ୍ର ଲାଗିପଡ଼ନ୍ତି ନିଜ ସୃଜନଶିଳତାକୁ ବାସ୍ତବତାର ରୂପ ଦେବାରେ। କେଇଘଣ୍ଟାର ପରିଶ୍ରମରେ ଯୋଗାଡ଼ ହୋଇଥିବା ଗାଡ଼ି ପାର୍ଟ୍ସରେ ତିଆରି ହୋଇଥାଏ ଆଖିଦୃଶିଆ ଡିଜାଇନର୍ ଘଣ୍ଟା।
ଅନୁପଯୋଗୀ ସାମଗ୍ରୀକୁ ନେଇ ସୁନ୍ଦର ଜିନିଷ ତିଆରି କରି ଜିତେନ୍ଦ୍ର ଯୁବପିଢ଼ିଙ୍କୁ କିଛି ନୂଆ କରିଦେଖାଇବାର ଦୃଢ଼ ଇଚ୍ଛାଶକ୍ତି ଓ ପ୍ରେରଣା ଯୋଗାଇବା ସହ ପୁନଃବ୍ୟବହାର ମାଧ୍ୟମରେ ବର୍ଜ୍ୟ ସାମଗ୍ରୀରୁ ନୂତନ ମୂଲ୍ୟ ପାଇପାରୁଛନ୍ତି। ଲୋକମାନେ ଆଜି ଯୁଗରେ ପ୍ରତିଦିନ କିଛି ନୂଆ ଖୋଜୁଥିବା ବେଳେ ଜିତେନ୍ଦ୍ର ପୁରୁଣା ଭିତରେ କିଛି ନୂଆ ସୃଷ୍ଟିକୁ ସମ୍ଭବ କରିଛନ୍ତି। ଇତି ମଧ୍ୟରେ ଜିତେନ୍ଦ୍ରଙ୍କ କାମ ଏକ ଭିନ୍ନ ବାର୍ତ୍ତା ଦିଏ। ଅନୁପଯୋଗୀ ହୋଇଯାଇଥିବା ଜିନିଷର ମଧ୍ୟ ଏକ ନୂଆ ଜୀବନ ଥାଏ।