ଲେମନ୍ଗ୍ରାସ୍ ଚାଷ ପାଇଁ ଆଗ୍ରହୀ ଓଡ଼ିଶା ଚାଷୀ
ଓଡ଼ିଶାର ମାଟିରେ ଏବେ କେବଳ ପାରମ୍ପରିକ ଫସଲ ନୁହେଁ, ସୁଗନ୍ଧିତ ଘାସ ମଧ୍ୟ ଆୟର ନୂଆ ସମ୍ଭାବନା ନେଇ ଉଭା ହେଉଛି। ଲେମନ୍ଗ୍ରାସ୍ ଚାଷ ଏହାର ଏକ ଉଦାହରଣ ଯାହା ଧନ୍ଵନ୍ତରୀ ଘାସ ନାମରେ ମଧ୍ୟ ଜଣାଶୁଣା। ଏହି ଫସଲରୁ ମିଳୁଥିବା ସୁଗନ୍ଧିତ ତୈଳ, ପ୍ରସାଧନ ସାମଗ୍ରୀ, ସାବୁନ, ଅତର, ଫ୍ରେସ୍ନର୍ ଓ ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୁଏ। ତେଣୁ ଏହା କେବଳ ଏକ ଚାଷ ନୁହେଁ, ବରଂ ମୂଲ୍ୟବୃଦ୍ଧି ଓ ଗ୍ରାମୀଣ ଉଦ୍ୟୋଗର ଏକ ସମ୍ଭାବନାମୟ ମାଧ୍ୟମ।
ଏହାର ପତ୍ରରୁ ମିଳୁଥିବା ତେଲର ସୁଗନ୍ଧ ଖୁବ୍ ଲୋକପ୍ରିୟ। ଏଣୁ ଏହା ଔଷଧୀୟ ଉତ୍ପାଦ ସହ ପର୍ଫ୍ୟୁମ୍, ସାବୁନ, ପ୍ରସାଧନ ସାମଗ୍ରୀ ବ୍ୟବହୃତ ହୁଏ। ଓଡ଼ିଶାରେ ଏହି ଫସଲ ଚାଷ ଓ ପ୍ରକ୍ରିୟାକରଣ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି କରିଛି। ଲେମନ୍ଗ୍ରାସ୍ର ପ୍ରକୃତ ବାଣିଜ୍ୟିକ ମୂଲ୍ୟ ଏହାର ତେଲରେ ରହିଛି। ତେଣୁ ଘାସ ଉତ୍ପାଦନ ସହ, ତେଲ ନିଷ୍କାସନ, ପ୍ୟାକେଜିଂ ଓ ବଜାର ବିତରଣ ମଧ୍ୟ ଏହି ଚାଷ ପଛରେ ସଫଳତାର ମୁଖ୍ୟ ଅଂଶ ସାଜିଛି । ଥରେ ଚାରା ରୋପଣ କଲେ ଏହି ଲେମନ୍ଗ୍ରାସ୍ ପ୍ରାୟ ୭ ବର୍ଷ ଯାଏଁ ଅମଳକ୍ଷମ ଭାବେ ବଢ଼ିଥାଏ। ଏହାକୁ କାଟି ଚାଷୀମାନେ ନିଜ ଜମି ପାଖରେ ଏଷ୍ଟ୍ରାସନ୍ ୟୁନିଟ୍ ରଖି ଷ୍ଟିମ୍ ମେସିନ୍ ସାହାଯ୍ୟରେ ଏଥିରୁ ତେଲ ଉତ୍ପାଦନ କରିଥାଆନ୍ତି। ଏହି ଘାସ ରୋଇବାର ୩ ମାସ ପରଠାରୁ ପତ୍ର କାଟିବା ଆରମ୍ଭ କରାଯାଇ ପାରିବ ଏବଂ ବର୍ଷକୁ ୩ ରୁ ୪ ଥର ଯାଏଁ ଅମଳ ହୋଇପାରିବ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲେମନ୍ଗ୍ରାସ୍ ଚାଷ ଧୀରେଧୀରେ ଏକ ବିକଳ୍ପ ଜୀବିକାର ରୂପ ନେଉଛି। ବିଶେଷକରି କୋରାପୁଟର ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ୍ରେ ଏହି ଚାଷ ସହିତ ତେଲ ନିଷ୍କାସନ ଓ ବଜାର ସଂଯୋଗର ଉଦାହରଣ ଦେଖିବାକୁ ମିଳେ। ଏହାସହିତ ମୟୂରଭଞ୍ଜ, ଗଜପତି, ବୌଦ୍ଧ, ଗଞ୍ଜାମ ଓ କେନ୍ଦୁଝର ଆଦି ଜିଲ୍ଲାରେ ମଧ୍ୟ ଲେମନ୍ଗ୍ରାସ୍ ଚାଷ ଓ ପ୍ରକ୍ରିୟାକରଣ ପାଇଁ ପ୍ରକଳ୍ପ ଓ ପଦକ୍ଷେପ ନିଆଯାଇଛି। କଳାହାଣ୍ଡିର କିଛି ଅଞ୍ଚଳରେ ମଧ୍ୟ ଏହି ଚାଷକୁ ଜୀବିକାର ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି ଚାଷୀ। ଏହି ଅଞ୍ଚଳଗୁଡ଼ିକରେ ହେଉଥିବା ଉତ୍ପାଦନ ଦର୍ଶାଉଛି ଯେ, ଲେମନ୍ଗ୍ରାସ୍ ଚାଷର ସଫଳତା କେବଳ ଉତ୍ପାଦନରେ ନୁହେଁ, ବରଂ ତେଲ ନିଷ୍କାସନ, ମୂଲ୍ୟବୃଦ୍ଧି ଓ ସ୍ଥାୟୀ ବଜାର ସଂଯୋଗ ଉପରେ ମଧ୍ୟ ନିର୍ଭରଶୀଳ।
ଦେଖୁବାକୁ ସାଧାରଣ ଘାସ ହେଲେ ଏ ପ୍ରଜାତି ନିଜର ମନମୁଗ୍ଧକର ବାସ୍ନା ପାଇଁ ବେଶ ଆଦୃତି ଲାଭ କରିଛି। ଏହା ପ୍ରକୃତିର କରିସ୍ମା ଓ ମାନବ ସମାଜ ପାଇଁ ଉପହାର। ଏହାର ଉପଯୁକ୍ତ ଉପଯୋଗ ସାଧାରଣ ଚାଷୀ ମାନଙ୍କୁ ଆୟର ନୂଆ ପନ୍ଥା ଯୋଗାଇବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଏକ ଉପକାରୀ ସାଧନ ଭାବେ ଗ୍ରହଣ କରାଯାଉଛି। ଏହି ଘାସ ଚାଷ ଅନେକ ଚାଷୀଙ୍କୁ ସ୍ୱାବଲମ୍ବୀ କରିଛି। ଆଗ ରାଜ୍ୟ ବାହାରେ ଏହାର ଅଧିକ ପ୍ରଚଳନ ଥିବା ବେଳେ କ୍ରମଶଃ ରାଜ୍ୟରେ ଏ ନେଇ ଆଗ୍ରହ ଓ ସଚେତନତା ବଢ଼ିଛି। ବର୍ଦ୍ଧିତ ଚାହିଦା ଦେଇଛି ରୋଜଗାରର ନୂଆ ସୁଯୋଗ।