ଭକ୍ତି, ଐତିହ୍ୟ ଓ ପରମ୍ପରାର ରଥଯାତ୍ରା
ଓଡ଼ିଶାର ସଂସ୍କୃତି, ଆଧ୍ୟାତ୍ମିକତା ଓ ଲୋକବିଶ୍ୱାସରେ ରଥଯାତ୍ରାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ପୁରୀର ଶ୍ରୀଜଗନ୍ନାଥ ରଥଯାତ୍ରା ବିଶ୍ୱବିଖ୍ୟାତ ହୋଇଥିଲେ ମଧ୍ୟ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶତାବ୍ଦୀ ପୁରୁଣା ଅନେକ ରଥଯାତ୍ରା ନିଜସ୍ୱ ପରମ୍ପରା ଓ ବିଶେଷତା ସହ ଆଜିଯାଏ ଅନୁଷ୍ଠିତ ହେଉଛି। ଏହି ସବୁ ରଥଯାତ୍ରା ଧାର୍ମିକ ଆସ୍ଥା, ପ୍ରାଚୀନ ଐତିହ୍ୟ ଓ ସାମାଜିକ ଏକତାର ଜୀବନ୍ତ ପ୍ରତୀକ।
ଶାମ୍ବ ଦଶମୀର ସୂର୍ଯ୍ୟ ରଥ
ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ କୋଣାର୍କର ସ୍ୱତନ୍ତ୍ର ପରିଚୟ ରହିଛି। ପୌରାଣିକ ମତ ଅନୁସାରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଜନିତ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ହୋଇଥିଲେ। ସୂର୍ଯ୍ୟଦେବଙ୍କ ଆରାଧନା ପାଇଁ ବିଶ୍ୱବିଖ୍ୟାତ ଏହି ଐତିହ୍ୟବାହୀ କ୍ଷେତ୍ରରେ ଶାମ୍ବଦଶମୀ ଓ ମାଘସପ୍ତମୀ ଉଭୟ ପ୍ରମୁଖ ପର୍ବ ବିଶେଷ ଆଡ଼ମ୍ବରର ସହ ପାଳନ କରାଯାଏ। ଏହି ଦୁଇ ପର୍ବକୁ ସଂଯୋଗ କରିଥିବା ସବୁଠାରୁ ଆକର୍ଷଣୀୟ ଓ ପ୍ରାଚୀନ ପରମ୍ପରା ହେଉଛି ସୂର୍ଯ୍ୟନାରାୟଣଙ୍କ ରଥଯାତ୍ରା। ପ୍ରତିବର୍ଷ ଶାମ୍ବଦଶମୀ ଅବସରରେ କୋଣାର୍କର ମୈତ୍ରେୟ ବନ, ଯାହା ବର୍ତ୍ତମାନ ଅନନ୍ତ ଅବଧୂତ ମଠ ଭାବେ ପରିଚିତ, ସେଠାରୁ ଭଗବାନ ସୂର୍ଯ୍ୟନାରାୟଣଙ୍କ ରଥ ବିଧିବିଧାନ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନନ୍ତ ଅବଧୂତ ମଠର ମଠାଧୀଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରେ। ଭକ୍ତମାନଙ୍କର ହରିବୋଲ, ଜୟଧ୍ୱନି ଓ ଭକ୍ତିମୟ ପରିବେଶ ମଧ୍ୟରେ ରଥଟି ଚନ୍ଦ୍ରଭାଗା ଅଭିମୁଖେ ଅଗ୍ରସର ହୁଏ। ଅପରାହ୍ଣ ସମୟରେ ଏହା ଚନ୍ଦ୍ରଭାଗାସ୍ଥିତ ଛୋଟାରାମ ବାବାଙ୍କ ଆଶ୍ରମରେ ପହଞ୍ଚିଥାଏ। ସେଠାରେ ସୂର୍ଯ୍ୟନାରାୟଣ ୨୧ ଦିନ ପର୍ଯ୍ୟନ୍ତ ରହିଥାନ୍ତି ଏବଂ ଏହି ସମୟରେ ବିଭିନ୍ନ ଧାର୍ମିକ ରୀତିନୀତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ଏହାପରେ ପବିତ୍ର ମାଘସପ୍ତମୀ ଦିନ ରଥ ପୁଣି ଅନନ୍ତ ଅବଧୂତ ମଠକୁ ଚନ୍ଦ୍ରଭାଗାରୁ ପ୍ରତ୍ୟାବର୍ତ୍ତନ କରେ। ଏହି ଦିନ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଥାଏ।
ବିରଜା ରଥଯାତ୍ରା – ଶକ୍ତି ଆରାଧନାର ଅପୂର୍ବ ପରମ୍ପରା
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଓଡ଼ିଶାର ଶାକ୍ତ ପରମ୍ପରାର ଏକ ଅନନ୍ୟ ନିଦର୍ଶନ।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ରଥଯାତ୍ରା ଶକ୍ତି ଉପାସନାର ଏକ ଅନନ୍ୟ ନିଦର୍ଶନ। ଉତ୍ସବ ଅବସରରେ ଦେବୀ ମା' ବିରଜାଙ୍କୁ ଭବ୍ୟ ରଥରେ ବିରାଜମାନ କରାଯାଇ ନଗର ପରିକ୍ରମା କରାଯାଏ, ଯେଉଁଥିରେ ହଜାର ହଜାର ଭକ୍ତ ଶ୍ରଦ୍ଧା ଓ ଭକ୍ତିଭାବର ସହିତ ଅଂଶଗ୍ରହଣ କରନ୍ତି। ରଥଟି ଟାଣିବା ସହ ଜୟଧ୍ୱନି, ଭଜନ, ପୂଜାର୍ଚ୍ଚନା ଓ ଧାର୍ମିକ ଆଚାର-ବିଚାରରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ମୁଖରିତ ହୋଇଉଠେ। ମନ୍ଦିରର ପ୍ରାତଃକାଳୀନ ନୀତି ଓ ବୈଦିକ ବିଧିରେ ରଥ ପ୍ରତିଷ୍ଠା ପରେ ମା'ଙ୍କ ବିଜେ ପ୍ରତିମାଙ୍କୁ ସୁସଜ୍ଜିତ 'ସିଂହଧ୍ୱଜ' ରଥରେ ବିଜେ କରାଯାଏ। ଏହି ରଥ ନଅ ଦିନ ଧରି ପ୍ରତିଦିନ ମନ୍ଦିର ପରିସର ପରିକ୍ରମା କରିଥାଏ। ରଥ ଟାଣିବା, ଜୟଧ୍ୱନି, ଭଜନ ଓ ପୂଜାର୍ଚ୍ଚନାରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠେ ଏବଂ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ ପାଇଁ ଯାଜପୁରକୁ ଆସନ୍ତି।
ବିରଜା ରଥଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ନାରୀଶକ୍ତି, ସାହସ ଓ ଧର୍ମର ବିଜୟର ପ୍ରତୀକ। ବିରଜା ପୀଠରେ ଶାକ୍ତ ତାନ୍ତ୍ରିକ ପରମ୍ପରା ସହ ବୈଦିକ ପୂଜାବିଧିର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ଓଡ଼ିଶାରେ ଦେବୀଙ୍କ ପାଇଁ ଏଭଳି ରଥଯାତ୍ରାର ପରମ୍ପରା କେବଳ ବିରଜା କ୍ଷେତ୍ରରେ ପ୍ରଚଳିତ ଥିବାରୁ ଏହାର ସ୍ୱତନ୍ତ୍ର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ଓଡ଼ିଶାରେ ଦେବୀଙ୍କ ରଥଯାତ୍ରାର ଏପରି ପରମ୍ପରା ଅନ୍ୟ କେଉଁଠାରେ ପ୍ରଚଳିତ ନାହିଁ। ଏହି ଉତ୍ସବ ଯାଜପୁରର ଗୌରବମୟ ଐତିହ୍ୟ ଓ ଓଡ଼ିଶାର ଶକ୍ତି ଉପାସନା ପରମ୍ପରାକୁ ଆଜି ମଧ୍ୟ ସଜୀବ ରଖିଛି।
ଅଣଲେଉଟା ରୁକୁଣା ରଥ
ଭୁବନେଶ୍ୱରର ଏକାମ୍ରକ୍ଷେତ୍ରରେ ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପଞ୍ଚଦିନାତ୍ମକ ରୁକୁଣା ରଥଯାତ୍ରା ପାଳିତ ହୁଏ। ଶ୍ରୀଲିଙ୍ଗରାଜ, ପ୍ରଭୁ ଦୋଳଗୋବିନ୍ଦ ଓ ଦେବୀ ରୁକୁଣା (ଦୁର୍ଗା) ରଥାରୂଢ଼ ହୋଇ ରାମେଶ୍ୱର ମନ୍ଦିରକୁ ଯାତ୍ରା କରନ୍ତି। ପୁରାଣ ଅନୁଯାୟୀ, ରାବଣ ବଧ ପରେ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇବା ପାଇଁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ କ୍ରମେ ପ୍ରଭୁ ଶ୍ରୀରାମ ଏକାମ୍ରକାନନରେ ଶିବଙ୍କ ଆରାଧନା କରି ରାମେଶ୍ୱର ଲିଙ୍ଗ ସ୍ଥାପନ କରିଥିଲେ। ତପସ୍ୟାରେ ପ୍ରସନ୍ନ ହୋଇ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ କରିବା ସହ ପ୍ରତିବର୍ଷ ଶ୍ରୀଲିଙ୍ଗରାଜ ରାମେଶ୍ୱରଙ୍କୁ ଦର୍ଶନ ଦେବାକୁ କଥା ଦେଇଥିଲେ। ଏହି ରଥକୁ ବିଜୟା, ଦେବଦଳନ ଓ ରୁକୁଣା ରଥ ବୋଲି କୁହାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ, ତ୍ରିପୁରାସୁର ବଧ ସମୟରେ ମହାଦେବ ଏହି ଦିବ୍ୟ ରଥ ବ୍ୟବହାର କରିଥିଲେ।
ରୁକୁଣା ରଥର ସବୁଠୁ ବଡ଼ ବିଶେଷତ୍ତ୍ୱ ହେଉଛି ଏହା "ଅଣଲେଉଟା ରଥ"। ଫେରିବା ବେଳେ ରଥକୁ ବୁଲାଯାଏ ନାହିଁ; ବରଂ ରଥର ଦିଗ ଓ ଆବଶ୍ୟକୀୟ ଅଂଶଗୁଡ଼ିକୁ ପରିବର୍ତ୍ତନ କରି ଫେରାଯାଏ। ଏହା ପଛରେ ରହିଛି ଦେବୀ ପାର୍ବତୀଙ୍କ ଅଭିମାନର କଥା। ମହାପ୍ରଭୁ ତାଙ୍କୁ ସାଙ୍ଗରେ ନେଇନଥିବାରୁ ହେରାଯାତ୍ରା ସମୟରେ ଦେବୀ ପାର୍ବତୀ କ୍ରୋଧିତ ହୋଇ ରଥକୁ ଭାଙ୍ଗିଦେଇଥିଲେ। ସେହିଠାରୁ ରଥକୁ ଆଉ ମୋଡ଼ାଯାଏ ନାହିଁ ଏବଂ ଏହା "ଅଣଲେଉଟା ରୁକୁଣା ରଥ" ଭାବେ ପ୍ରସିଦ୍ଧ। ଶୈବ ପରମ୍ପରା, ପୁରାଣ କଥା ଓ ଲୋକବିଶ୍ୱାସର ଅନନ୍ୟ ସମନ୍ୱୟ ଭାବେ ଏହି ରଥଯାତ୍ରା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ନିଦର୍ଶନ।
ଘୋଷ ଯାତ୍ରା ବ୍ୟତୀତ ଓଡ଼ିଶାର ଏହି ତିନି ରଥଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ଆମ ପ୍ରାଚୀନ ସଂସ୍କୃତି, ଲୋକବିଶ୍ୱାସ ଓ ସାମୂହିକ ଐତିହ୍ୟର ଜୀବନ୍ତ ପରିଚୟ। ସୂର୍ଯ୍ୟଦେବଙ୍କ ଜୀବନଦାୟିନୀ ଶକ୍ତି, ମା' ବିରଜାଙ୍କ ଦିବ୍ୟ ଶକ୍ତିସ୍ୱରୂପ ଏବଂ ଲିଙ୍ଗରାଜଙ୍କ ଅନନ୍ୟ ରୁକୁଣା ପରମ୍ପରା ଆଜି ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଧ୍ୟାତ୍ମିକ ଭାବେ ଏକତ୍ର କରୁଛି।